ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବା ନେଇ ଆଶଙ୍କା ବଢ଼ୁଛି। ଉତ୍ତର ଥାଇଲ୍ୟାଣ୍ଡ ଉପରେ ରହିଥିବା ଘୂର୍ଣ୍ଣିବଳୟ ଧୀରେଧୀରେ ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ପରେ ଏହା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପହଞ୍ଚିପାରେ। ପାଣିପାଗ ବିଭାଗର ଆକଳନ ଅନୁସାରେ, ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ଗଠିତ ହେବାର ସମ୍ଭାବନା ରହିଛି। ଏହି ପ୍ରଣାଳୀ ପରବର୍ତ୍ତୀ ସମୟରେ ଅଧିକ ଶକ୍ତି ସଞ୍ଚୟ କରିପାରେ। ସେପ୍ଟେମ୍ବର ୨୧ କିମ୍ବା ୨୨ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବାର ଆଶଙ୍କା ରହିଛି।
ଏହାପରେ ପ୍ରଣାଳୀଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିପାରେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଗତି ଉତ୍ତରପଶ୍ଚିମ ଦିଗକୁ ରହିଲେ ଉତ୍ତର ଛତିଶଗଡ଼, ପୂର୍ବ ଉତ୍ତରପ୍ରଦେଶ ଏବଂ ଏହା ସଂଲଗ୍ନ ବିହାର ଅଞ୍ଚଳ ପ୍ରଭାବିତ ହୋଇପାରେ। ତେବେ ଏହି ଅବପାତ ଆଗକୁ ବାତ୍ୟାର ରୂପ ନେବ କି ନାହିଁ, ତାହା ନେଇ ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇନାହିଁ। ପ୍ରଣାଳୀର ଗତିପଥ, ତୀବ୍ରତା ଏବଂ ଉପକୂଳ ଅତିକ୍ରମ ସ୍ଥାନ ସମ୍ପର୍କରେ ମଧ୍ୟ ଅନିଶ୍ଚିତତା ରହିଛି।
ଏହାର ପ୍ରଭାବରେ ଓଡ଼ିଶାରେ ସେପ୍ଟେମ୍ବର ୨୨ରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ୨୩ରୁ ୨୫ ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ବର୍ତ୍ତମାନ ଆକଳନ ହେଉଥିବା ଗତିପଥ ବଜାୟ ରହିଲେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ଅଧିକ ବର୍ଷା ହୋଇପାରେ। ପରେ ଏହା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାକୁ ପ୍ରଭାବିତ କରିପାରେ। ଅନ୍ୟପକ୍ଷରେ ପ୍ରଣାଳୀର ଗତିପଥ ଆହୁରି ଉତ୍ତରକୁ ବଦଳିଲେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ବର୍ଷାକୁ ନେଇ ଚାଷୀଙ୍କ ପାଇଁ ମଧ୍ୟ ସତର୍କତା ଜାରି ହୋଇଛି। ଅତ୍ୟଧିକ ବର୍ଷା ଯୋଗୁଁ ପନିପରିବା, ମାଣ୍ଡିଆ, ଅଦା, ହଳଦୀ ଏବଂ ଡାଲି ଜାତୀୟ ଫସଲ ପ୍ରଭାବିତ ହୋଇପାରେ। ତେଣୁ ଜମିରେ ଜଳ ଜମି ନରହିବା ପାଇଁ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ସମ୍ପୂର୍ଣ୍ଣ ଥମିବା ଏବଂ ମାଟି ଚାଷ ଉପଯୋଗୀ ହେବା ପର୍ଯ୍ୟନ୍ତ ନୂଆ ଚାଷ କାର୍ଯ୍ୟ ନକରିବାକୁ ମଧ୍ୟ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୧୯ ତାରିଖରେ ଲଘୁଚାପ ଗଠନ ହେବାର ସମ୍ଭାବନା ବେଶ୍ ଅଧିକ। ବିଭିନ୍ନ ପାଣିପାଗ ମଡେଲ୍ର ଆକଳନକୁ ଦେଖିଲେ ୨୨ କିମ୍ବା ୨୩ ତାରିଖ ବେଳକୁ ଏହା ଅବପାତର ରୂପ ନେଇପାରେ। ଏହା ଆହୁରି ଶକ୍ତିଶାଳୀ ହୋଇ ୨୩ରୁ ୨୪ ତାରିଖ ମଧ୍ୟରେ ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା ମଧ୍ୟ ରହିଛି। ବର୍ତ୍ତମାନ ସ୍ଥିତିରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇପାରୁନାହିଁ। ତେବେ ପ୍ରଣାଳୀର ତୀବ୍ରତା ଓ ଗତିପଥ ନେଇ ବିଭିନ୍ନ ମଡେଲ୍ର ଆକଳନ ଏବେ ବି ଏକାପରେ ଏକ ସମାନ ନୁହେଁ। ତେଣୁ ଆଗାମୀ କିଛି ଦିନର ନୂଆ ଆକଳନ ପରେ ହିଁ ଏହାର ପ୍ରକୃତ ରୂପ ଓ ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ।
