ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜୟଦେବ ବିହାର ଆତ୍ମାରାମ ବସ୍ତିର ଗୋଟିଏ ପରିବାରର ୭ ଜଣଙ୍କ ମୃତଦେହ ଭୁବନେଶ୍ୱରରେ ପହଞ୍ଚିଛି। ରବିବାର ରାତି ପ୍ରାୟ ସାଢ଼େ ୧୨ଟାରେ ମଧ୍ୟପ୍ରଦେଶ ସରକାରଙ୍କ ଦୁଇଟି ଆମ୍ବୁଲାନ୍ସ ଯୋଗେ ମୃତଦେହଗୁଡ଼ିକ ଜୟଦେବ ବିହାରସ୍ଥିତ ବାସଭବନରେ ପହଞ୍ଚିଥିଲା। ମୃତଦେହ ପହଞ୍ଚିବା ପରେ ଆତ୍ମାରାମ ବସ୍ତିରେ ଶୋକର ଛାୟା ଖେଳିଯାଇଛି।
ମୃତକଙ୍କ ମଧ୍ୟରେ ଅଛନ୍ତି ଶିବପ୍ରସାଦ ବେହେରା, ତାଙ୍କ ପୁଅ କୃଷ୍ଣ ରାଜବୀର, ଝିଅ ସାଇ ସ୍ୱର୍ଣ୍ଣପ୍ରଭା, ରାଧାରାଣୀ ବେହେରା, ଜ୍ଞାନେନ୍ଦ୍ର କୁମାର ବେହେରା, ତାଙ୍କ ପତ୍ନୀ ରିତାରାଣୀ ଏବଂ ପୁଅ ସାଇ ସ୍ୱସ୍ତିକ। ଦୁର୍ଘଟଣାରେ କାର୍ ଚାଳକଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ
ମୃତଦେହ ଭୁବନେଶ୍ୱରରେ ପହଞ୍ଚିବା ପରେ ଆତ୍ମୀୟସ୍ୱଜନଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ପରେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ମୃତଦେହଗୁଡ଼ିକୁ ସେମାନଙ୍କ ଜନ୍ମମାଟି ଗାଡ଼କଣକୁ ନିଆଯାଇଥିଲା। ସେଠାରୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ମୃତଦେହ ପହଞ୍ଚିବା ପରେ ପରିବାରକୁ ସମବେଦନା ଜଣାଇବା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଏବଂ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ପ୍ରମୁଖ ପହଞ୍ଚିଥିଲେ।
ନିର୍ବନ୍ଧ ପୂର୍ବରୁ ଚାଲିଗଲା ରାଧାରାଣୀଙ୍କ ଜୀବନ
ମୃତକଙ୍କ ମଧ୍ୟରେ ଥିବା ରାଧାରାଣୀ ବେହେରାଙ୍କ ଆସନ୍ତା ୨୭ ତାରିଖରେ ନିର୍ବନ୍ଧ ହେବାର ଥିଲା। ଏଥିପାଇଁ ପରିବାରରେ ପ୍ରସ୍ତୁତି ଚାଲିଥିଲା। ହେଲେ ନିର୍ବନ୍ଧ ପୂର୍ବରୁ ଘଟିଗଲା ଅଘଟଣ। ରାଧାରାଣୀଙ୍କ ମୃତ୍ୟୁ ପରେ ଖୁସିରେ ଥିବା ପରିବାର ଏବେ ଶୋକରେ ବୁଡ଼ିଛି।
ରାଧାରାଣୀଙ୍କ ବଡ଼ମା’ କହିଛନ୍ତି ଯେ, ଝିଅର ନିର୍ବନ୍ଧ ପାଇଁ ଘରେ ପ୍ରସ୍ତୁତି ଚାଲିଥିଲା। ବାପାଙ୍କ ପାଇଁ ମାନସିକ କରି ପରିବାର ସଦସ୍ୟମାନେ ମନ୍ଦିର ଯାଇଥିଲେ। ଦର୍ଶନ ସାରି ସମସ୍ତେ ଖୁସିରେ ଘରକୁ ଫେରିବେ ବୋଲି ଆଶା ଥିଲା। କିନ୍ତୁ ଘରକୁ ଫେରିଲା ମୃତଦେହ।
ପୁଅର ଜିଦ୍ରେ ମଧ୍ୟପ୍ରଦେଶ ଯାଇଥିଲେ ଶିବପ୍ରସାଦ
ପରିବାର ସୂତ୍ରରୁ ଜଣାପଡ଼ିଛି, ଶିବପ୍ରସାଦଙ୍କ ୧୧ ବର୍ଷର ପୁଅର ପରୀକ୍ଷା ଥିବାରୁ ତାଙ୍କୁ ମଧ୍ୟପ୍ରଦେଶ ନେବାକୁ ପରିବାର ପ୍ରଥମେ ଚାହୁଁନଥିଲା। ତେବେ ପୁଅର ଜିଦ୍ରେ ଶିବପ୍ରସାଦ ମଧ୍ୟ ପରିବାର ସହ ଯାଇଥିଲେ। ଏବେ ଏହି ଘଟଣାକୁ ମନେ ପକାଇ ପରିବାର ଲୋକଙ୍କ ଦୁଃଖ ଆହୁରି ବଢ଼ିଯାଇଛି।
ମା’ ବଗଳାମୁଖୀଙ୍କ ଦର୍ଶନ ପରେ ଘଟିଲା ଅଘଟଣ
ଗତ ସେପ୍ଟେମ୍ବର ୧୬ ତାରିଖରେ ବନମାଳୀ ବେହେରାଙ୍କ ପରିବାର ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶ ଯାଇଥିଲେ। ସେଠାରେ ବିଭିନ୍ନ ତୀର୍ଥସ୍ଥାନ ବୁଲିବା ପରେ ସେପ୍ଟେମ୍ବର ୧୯ ତାରିଖରେ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ସାରି କାର୍ରେ ଫେରୁଥିଲେ।
ଏହି ସମୟରେ ନଳଖେଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ନାଳରେ ଜଳସ୍ରୋତ ବଢ଼ିଥିଲା। କାର୍ଟି ଜଳସ୍ରୋତ ଅତିକ୍ରମ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ପ୍ରଖର ସ୍ରୋତରେ ଭାସିଯାଇଥିଲା। ଘଟଣାଟି ଅତ୍ୟନ୍ତ ଦ୍ରୁତ ଘଟିଥିବାରୁ ଗାଡ଼ିରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ସୁଯୋଗ ମିଳିନଥିଲା।
ଉଭୟ ରାଜ୍ୟ ପ୍ରଶାସନର ସମନ୍ୱୟ
ମୃତଦେହ ଓଡ଼ିଶା ଆଣିବା ପ୍ରକ୍ରିୟାରେ ଓଡ଼ିଶା ଓ ମଧ୍ୟପ୍ରଦେଶ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଥିଲା। ମଧ୍ୟପ୍ରଦେଶ ପ୍ରଶାସନ ପକ୍ଷରୁ ଆସିଥିବା ଅଧିକାରୀମାନେ ପରିବାର ସହ ଯୋଗାଯୋଗ କରି ଆବଶ୍ୟକ ଦଲିଲପତ୍ର ହସ୍ତାନ୍ତର କରିଥିଲେ। ମୃତକଙ୍କ ପରିଚୟ ଓ ଆଇନଗତ ପ୍ରକ୍ରିୟା ସମ୍ପର୍କିତ କାଗଜପତ୍ର ମଧ୍ୟ ପରିବାରକୁ ଦିଆଯାଇଥିଲା।
ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଓଡ଼ିଶା ସରକାର ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀଙ୍କ PMNRFରୁ ପ୍ରତି ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା ହୋଇଛି। ମଧ୍ୟପ୍ରଦେଶ ସରକାର ମଧ୍ୟ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
