ଲସ୍ ଏଞ୍ଜେଲ୍ସ: ଆମେରିକା ସହ ଚାଲିଥିବା ତିକ୍ତ ପରିସ୍ଥିତି ମଧ୍ୟରେ ଇରାନ ଫୁଟ୍ବଲ୍ ପଡ଼ିଆରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି। ମେକ୍ସିକୋରେ ଅଭ୍ୟାସ କରି ଆମେରିକାରେ ମ୍ୟାଚ୍ ଖେଳିବାକୁ ଯିବାର ଚ୍ୟାଲେଞ୍ଜ ସତ୍ତ୍ୱେ, ଚଳିତ ଫିଫା ବିଶ୍ୱକପ୍ରେ ଇରାନ ରବିବାର ଉଚ୍ଚ ମାନ୍ୟତାପ୍ରାପ୍ତ ବେଲ୍ଜିୟମକୁ ଗୋଲଶୂନ୍ୟ ଡ୍ର’ରେ ଅଟକାଇ ଏକ ମୂଲ୍ୟବାନ ପଏଣ୍ଟ ହାସଲ କରିଛି।
ବିଶ୍ୱ ମାନ୍ୟତାର ନବମ ସ୍ଥାନରେ ଥିବା ବେଲ୍ଜିୟମ ଫେଭରିଟ୍ ଭାବେ ମ୍ୟାଚ୍କୁ ଓହ୍ଲାଇଥିଲେ ମଧ୍ୟ ଇରାନର ସୁଦୃଢ଼ ରକ୍ଷଣ ଓ ସଂଗଠିତ ଆକ୍ରମଣ ଆଗରେ ସଫଳ ହୋଇପାରି ନଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା।
ଏହା ପୂର୍ବରୁ ବେଲ୍ଜିୟମ ଇଜିପ୍ଟ ବିପକ୍ଷରେ ୧-୧ ଗୋଲ୍ରେ ଡ୍ର’ କରିଥିବାବେଳେ, ଇରାନ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୨ ଗୋଲ୍ରେ ଅମୀମାଂସିତ ଫଳାଫଳ ସହ ଅଭିଯାନ ଆରମ୍ଭ କରିଥିଲା। ଦୁଇଟି ମ୍ୟାଚ୍ ପରେ ଉଭୟ ଦଳ ୨ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ, ଉନ୍ନତ ଗୋଲ୍ ବ୍ୟବଧାନ ଯୋଗୁଁ ଇରାନ ଗ୍ରୁପ୍-ଜିର ଶୀର୍ଷ ସ୍ଥାନରେ ରହିଛି ଏବଂ ବେଲ୍ଜିୟମ ଦ୍ୱିତୀୟ ସ୍ଥାନରେ ଅଛି।
ମ୍ୟାଚ୍ର ୬୬ତମ ମିନିଟ୍ରେ ବେଲ୍ଜିୟମର ନାଥନ ଏନ୍ଗୟ ଲାଲ୍ କାର୍ଡ ଦେଖି ପଡ଼ିଆ ଛାଡ଼ିବା ଦଳ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଥିଲା। ଜଣେ ଖେଳାଳି କମ୍ ହୋଇଯିବା ପରେ ବେଲ୍ଜିୟମ ଜିତିବାର ସୁଯୋଗ ହାତଛଡ଼ା କରିଥିଲା।
