Home Odishaଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ି ଓ ଭଡ଼ା ଘରୁ ୨୧.୮୮ ଲକ୍ଷ ଟଙ୍କା ଜବତ, ଭିଜିଲାନ୍ସର ତଦନ୍ତ

ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ି ଓ ଭଡ଼ା ଘରୁ ୨୧.୮୮ ଲକ୍ଷ ଟଙ୍କା ଜବତ, ଭିଜିଲାନ୍ସର ତଦନ୍ତ

by Lokanath Panigrahi
0 comments

ଲାଞ୍ଚ ଅଭିଯୋଗରେ ଅଟକ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ; ନଗଦ ଟଙ୍କାର ଉତ୍ସ ଖୋଜୁଛି ଭିଜିଲାନ୍ସ

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କଠାରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ କରାଯାଇଛି। ତାଙ୍କ ଗାଡ଼ିରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଏବଂ ଭୁବନେଶ୍ୱରରେ ଥିବା ଭଡ଼ା ଘରୁ ୧୪ ଲକ୍ଷ ୬୦ ହଜାର ଟଙ୍କା ମିଳିଛି। ଏତେ ପରିମାଣର ନଗଦ ଅର୍ଥର ଉତ୍ସ ସମ୍ପର୍କରେ ତଦନ୍ତ ଚାଲିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ପ୍ରସନ୍ନଜିତ ଦାସଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେ ଏକ ଭଡ଼ା ବୋଲେରୋ ଗାଡ଼ିରେ ଯାଉଥିବାବେଳେ ତାଙ୍କଠାରୁ ହିସାବବିହୀନ ନଗଦ ଟଙ୍କା ମିଳିଥିଲା। ଏହାପରେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଇଥିଲା।

ଏହି ଘଟଣା ପରେ ଶୁକ୍ରବାର ସକାଳେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ତଲାସି କରାଯାଇଥିଲା। ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଡି-୪୦୧ ନମ୍ବର ଭଡ଼ା ଫ୍ଲାଟ୍‌ରୁ ୧୪ ଲକ୍ଷ ୬୦ ହଜାର ଟଙ୍କା ମିଳିଥିଲା। ଏଥିସହ ତାଙ୍କ ପୈତୃକ ଘର ବରଗଡ଼ାରେ ମଧ୍ୟ ଯାଞ୍ଚ କରାଯାଇଥିଲା।

ଗାଡ଼ି ଓ ଭଡ଼ା ଘରୁ ମିଳିଥିବା ଟଙ୍କାର ଉତ୍ସ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷଜନକ ହିସାବ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି କାରଣରୁ ମୋଟ ୨୧.୮୮ ଲକ୍ଷ ଟଙ୍କା ଜବତ କରାଯାଇଛି।

ଏହି ମାମଲାରେ ୧୬ ଅକ୍ଟୋବର ୨୦୨୬ରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୨୪ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ଏବଂ ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଜବତ ଟଙ୍କାର ପ୍ରକୃତ ଉତ୍ସ କ’ଣ, ଏହାର ଲାଞ୍ଚ କାରବାର ସହ ସମ୍ପର୍କ ଅଛି କି ନାହିଁ ଏବଂ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଭିଜିଲାନ୍ସ ଅଧିକ ତଦନ୍ତ କରୁଛି। ତଦନ୍ତ ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

You may also like

Leave a Comment