ଭୁବନେଶ୍ୱର: ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନକୁ ସୁରକ୍ଷିତ ଓ ସଂଗଠିତ କରିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଆଡଭେଞ୍ଚର ଟୁରିଜମ୍ ଗାଇଡଲାଇନ୍-୨୦୨୫ ଅନୁଯାୟୀ ରାଜ୍ୟସ୍ତରୀୟ ବୈଷୟିକ କମିଟି (SLTC) ରାଜ୍ୟର ୨୪ଟି ନୂଆ ଆଡଭେଞ୍ଚର ପର୍ଯ୍ୟଟନ ପ୍ରକଳ୍ପକୁ ଅନୁମୋଦନ କରିଛି।
କମିଟିର ତୃତୀୟ ବୈଠକରେ ମୋଟ ୨୭ଟି ପ୍ରସ୍ତାବର ସମୀକ୍ଷା କରାଯାଇଥିଲା। ଏଥିରେ ଭୂମି, ଜଳ ଏବଂ ଆକାଶ ଭିତ୍ତିକ ଆଡଭେଞ୍ଚର ପର୍ଯ୍ୟଟନ ପ୍ରକଳ୍ପ ସାମିଲ ଥିଲା। ସେଥିମଧ୍ୟରୁ ୩ଟି ପ୍ରକଳ୍ପକୁ ‘ଲାଇସେନ୍ସ ଟୁ ଅପରେଟ୍’ ମିଳିଥିବାବେଳେ ଅନ୍ୟ ୨୧ଟି ପ୍ରକଳ୍ପକୁ ‘ରେକଗ୍ନିସନ୍ ଟୁ ସେଟ୍-ଅପ୍’ ପ୍ରଦାନ କରାଯାଇଛି। ଏହା ଦ୍ୱାରା ସମ୍ପୃକ୍ତ ସଂସ୍ଥାମାନେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିପାରିବେ।
କେଉଁଠି ମିଳିଲା ଅନୁମତି?
ଲାଇସେନ୍ସ ଟୁ ଅପରେଟ୍ ପାଇଥିବା ୩ଟି ଜଳଭିତ୍ତିକ ପ୍ରକଳ୍ପ ହେଲା—
- ବାଲେଶ୍ୱର ଜିଲ୍ଲାର ତାଳସାରୀ-ଉଦୟପୁର ବେଳାଭୂମି
- ମୟୂରଭଞ୍ଜ ଜିଲ୍ଲାର ହଳଦିଆ ଡ୍ୟାମ୍
ସେହିପରି ‘ରେକଗ୍ନିସନ୍ ଟୁ ସେଟ୍-ଅପ୍’ ମିଳିଥିବା ଜଳଭିତ୍ତିକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ବୁର୍ଲାର ପାୱାର ଚ୍ୟାନେଲ୍ ରିଜର୍ଭୟର, ତାଳସାରୀ-ଉଦୟପୁର ବେଳାଭୂମି, ପାରାଦୀପର ମୁହାଣ, ରାଉରକେଲାର ପୀତମହଲ ଡ୍ୟାମ୍, କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି, ପୁରୀ ବେଳାଭୂମି ଏବଂ ପୁରୀର ନୂଆନଈ ନଦୀ ଅଞ୍ଚଳ ସାମିଲ ରହିଛି।
ଆକାଶ ଭିତ୍ତିକ (ଏରୋ) ଆଡଭେଞ୍ଚର ପ୍ରକଳ୍ପ ପାଇଁ ତାଳସାରୀ-ଉଦୟପୁର, ଚାନ୍ଦିପୁର ବେଳାଭୂମି, କୋରାପୁଟର ତାଲମାଳି, ପୁରୀ ବେଳାଭୂମି ଓ ଚିଲିକାର ସାତପଡ଼ାକୁ ମଧ୍ୟ ଅନୁମୋଦନ ମିଳିଛି।
ଏହା ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ବୈଷୟିକ କମିଟି ଭୂମି, ଜଳ ଓ ଆକାଶ—ତିନୋଟି ବର୍ଗର ଆଡଭେଞ୍ଚର ପର୍ଯ୍ୟଟନ ପ୍ରସ୍ତାବକୁ ଏକାସାଙ୍ଗରେ ବିଚାର କରିଛି। କମିଟି ‘ଗୋ ଆଡଭେଞ୍ଚର’ ପୋର୍ଟାଲରେ ଦାଖଲ ହୋଇଥିବା ଆବେଦନ, କ୍ଷେତ୍ର ସତ୍ୟାପନ ରିପୋର୍ଟ ଓ ଜିଲ୍ଲାସ୍ତରୀୟ କମିଟିର ସୁପାରିସକୁ ଆଧାର କରି ଏହି ଅନୁମୋଦନ ପ୍ରଦାନ କରିଛି।
ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରେ ଆଡଭେଞ୍ଚର ପର୍ଯ୍ୟଟନକୁ ନୂଆ ଦିଗ ମିଳିବା ସହ ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ସ୍ଥାନୀୟ ରୋଜଗାର ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଉଛି।
