Home Uncategorizedଅକ୍ଟୋବର ୨୮ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, ଦୁଇ ଦିନ ଧରି ମୟୂରଭଞ୍ଜ ଗସ୍ତ

ଅକ୍ଟୋବର ୨୮ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, ଦୁଇ ଦିନ ଧରି ମୟୂରଭଞ୍ଜ ଗସ୍ତ

by Lokanath Panigrahi
0 comments

ରାଇରଙ୍ଗପୁରରେ ମନ୍ଦିର ଦର୍ଶନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ପର୍ଯ୍ୟନ୍ତ ରହିଛି କାର୍ଯ୍ୟକ୍ରମ। ୨୯ ତାରିଖରେ ନେଫ୍ରୋଲୋଜି ମେଡିକାଲ୍ ଅଭିଯାନର କରିବେ ଶୁଭାରମ୍ଭ।

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅକ୍ଟୋବର ୨୮ ଓ ୨୯ ତାରିଖରେ ତାଙ୍କର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ମେଗା ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ, ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ନେଫ୍ରୋଲୋଜି ମେଡିକାଲ୍ ଅଭିଯାନର ଶୁଭାରମ୍ଭ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଗସ୍ତର ପ୍ରଥମ ଦିନ ଅର୍ଥାତ୍ ଅକ୍ଟୋବର ୨୮ ତାରିଖ ସକାଳ ୧୦ଟା ୪୫ ମିନିଟ୍‌ରେ ରାଷ୍ଟ୍ରପତି ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ବହଳଦାସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିର ଏବଂ ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ କରିବେ।

ଏହାପରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ ନିଜ ବାସଭବନକୁ ଯିବେ। ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣ ୨ଟା ୩୫ ମିନିଟ୍‌ରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବେ। ସେଠାରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ହିତାଧିକାରୀଙ୍କ ସହ ସେ ଆଲୋଚନା କରିବେ।

ପରେ ରାଇରଙ୍ଗପୁର କଚେରି ପଡ଼ିଆରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ଏହି ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଆଇଆଇଏଫ୍‌ଏମ୍‌ କ୍ୟାମ୍ପସର ଶିଳାନ୍ୟାସ, ମା’ କୀଚକେଶ୍ୱରୀ ମନ୍ଦିରର ଉନ୍ନତୀକରଣ ଓ ନବୀକରଣ ସମ୍ପର୍କିତ କାର୍ଯ୍ୟର ଶିଳାନ୍ୟାସ ସମେତ ଅନ୍ୟାନ୍ୟ ପ୍ରକଳ୍ପ ସହ ଜଡ଼ିତ କାର୍ଯ୍ୟକ୍ରମ ରହିଛି।

ସେହିପରି ଅକ୍ଟୋବର ୨୯ ତାରିଖରେ ରାଷ୍ଟ୍ରପତି ରାଇରଙ୍ଗପୁର କ୍ରୀଡ଼ା କମ୍ପ୍ଲେକ୍ସ, ବିକାଶ ନଗରସ୍ଥିତ ନବନିର୍ମିତ ପୂର୍ବତନ ସୈନିକଙ୍କ ସିଏସ୍‌ଡି କ୍ୟାଣ୍ଟିନ୍‌ ଏବଂ ଗୋରୁମହିଷାଣୀ ଆଇରନ୍ କଲେଜ ପରିସରରେ ଥିବା ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ଏହାପରେ ଟାଉନ୍ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ନେଫ୍ରୋଲୋଜି ମେଡିକାଲ୍ ଅଭିଯାନର ଶୁଭାରମ୍ଭ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଯାତାୟାତ ପାଇଁ ରାସ୍ତାର ଦୂରତା, ଯାତ୍ରା ସମୟ ଏବଂ ରାସ୍ତାର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଶାସନକୁ ଅନୁରୋଧ କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ

ଅକ୍ଟୋବର ୨୮, ପ୍ରଥମ ଦିନ

  • ସକାଳ ୧୦ଟା ୪୫: ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବେ।
  • ସକାଳ ୧୧ଟା ୪୫: ମା’ କୀଚକେଶ୍ୱରୀ ମନ୍ଦିର ପରିଦର୍ଶନ।
  • ମଧ୍ୟାହ୍ନ ୧୨ଟା ୧୫: ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ।
  • ମଧ୍ୟାହ୍ନ ୧୨ଟା ୫୦: ରାଇରଙ୍ଗପୁରସ୍ଥିତ ବାସଭବନରେ ପହଞ୍ଚିବେ।
  • ଅପରାହ୍ଣ ୨ଟା ୩୫: ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ।
  • ପରବର୍ତ୍ତୀ ସମୟରେ କଚେରି ପଡ଼ିଆରେ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦାନ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ।

ଅକ୍ଟୋବର ୨୯, ଦ୍ୱିତୀୟ ଦିନ

  • ରାଇରଙ୍ଗପୁର କ୍ରୀଡ଼ା କମ୍ପ୍ଲେକ୍ସ ପରିଦର୍ଶନ।
  • ବିକାଶ ନଗରସ୍ଥିତ ପୂର୍ବତନ ସୈନିକଙ୍କ ସିଏସ୍‌ଡି କ୍ୟାଣ୍ଟିନ୍‌ ପରିଦର୍ଶନ।
  • ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ।
  • ଟାଉନ୍ ହଲ୍‌ରେ କାର୍ଯ୍ୟକ୍ରମ ଓ ନେଫ୍ରୋଲୋଜି ମେଡିକାଲ୍ ଅଭିଯାନର ଶୁଭାରମ୍ଭ।

You may also like

Leave a Comment