ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ବିବାଦ ପୁଣିଥରେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପାଲଟା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପୂର୍ବ ସରକାରଙ୍କ ଶାସନ କାଳରେ ଏହି ସମସ୍ୟାର ସମାଧାନ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇଥିଲେ ବର୍ତ୍ତମାନ ପରିସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ସେ ମତ ରଖିଛନ୍ତି।
ଅନ୍ୟପଟେ, କୋଟିଆରେ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପକୁ ରୋକିବା ଏବଂ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ରାଜ୍ୟ ସରକାର ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଣିକି କୋଟିଆର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍ପି ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେବେ।
ପୂର୍ବ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ
ନବୀନ ପଟ୍ଟନାୟକଙ୍କ ଚିଠି ଉପରେ ପ୍ରତିକ୍ରିୟା ଦେଇ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟର ସୀମା ଓ ସ୍ୱାର୍ଥର ସୁରକ୍ଷା ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ। ତାଙ୍କ ମତରେ, ପୂର୍ବ ବିଜେଡି ସରକାର ଏହି ଦିଗରେ ଆବଶ୍ୟକ ତତ୍ପରତା ଦେଖାଇନଥିଲେ।
ଛତିଶଗଡ଼ ସହ ଜଳ ବିବାଦ ହେଉ କି ଆନ୍ଧ୍ରପ୍ରଦେଶ ସହ ଜମି ସୀମା ବିବାଦ, କେବଳ ଚିଠି ଲେଖିବା ପରିବର୍ତ୍ତେ ପୂର୍ବରୁ ଠୋସ୍ ପଦକ୍ଷେପ ନିଆଯାଇଥିଲେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି ମନ୍ତ୍ରୀ କହିଛନ୍ତି।
କୋଟିଆ ବିବାଦର ଆଇନଗତ ଦିଗ ଉପରେ ଆଲୋକପାତ କରି ସେ ୧୯୬୮ରେ ସୁପ୍ରିମକୋର୍ଟରେ ଦାଏର ମୂଳ ମାମଲା ଏବଂ ୨୦୦୬ର ରାୟ ପ୍ରସଙ୍ଗ ଉଠାଇଛନ୍ତି। ଏହାପରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଓ କ୍ୟୁରେଟିଭ୍ ପିଟିସନ ଖାରଜ ହୋଇଥିବା ବେଳେ ୨୦୨୧ରେ ଦାଏର ଅଦାଲତ ଅବମାନନା ମାମଲାର ସ୍ଥିତି ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।
କୋଟିଆରେ ଡେରା ପକାଇବେ ବରିଷ୍ଠ ଅଧିକାରୀ
କୋଟିଆରେ ପ୍ରଶାସନିକ ତତ୍ପରତା ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। କ୍ଷେତ୍ରସ୍ତରରେ କ’ଣ ଘଟୁଛି, ଆନ୍ଧ୍ରପ୍ରଦେଶର ପଦକ୍ଷେପ କ’ଣ ଏବଂ ଲୋକଙ୍କ ସମସ୍ୟା କେତେ ଦୂର ସମାଧାନ ହୋଇପାରୁଛି, ସେ ସମ୍ପର୍କରେ ନିୟମିତ ତଥ୍ୟ ସଂଗ୍ରହ କରାଯିବ।
ଏହି ପ୍ରସଙ୍ଗରେ ଆଇନ ବିଭାଗ, ଆଡଭୋକେଟ୍ ଜେନେରାଲ୍, ଗୃହ ସଚିବ, ରାଜସ୍ୱ ସଚିବ, ଦକ୍ଷିଣାଞ୍ଚଳ ଆର୍ଡିସି ଏବଂ କୋରାପୁଟ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟରେ ବିଚାରାଧୀନ ଅବମାନନା ମାମଲାର ସଦ୍ୟତମ ସ୍ଥିତି ଯାଞ୍ଚ କରି ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।
ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ
କୋଟିଆବାସୀଙ୍କ ନିକଟରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାକୁ ମଧ୍ୟ ସରକାର ପ୍ରାଥମିକତା ଦେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋଟିଆ ଅଞ୍ଚଳରେ ଘରକୁ ଘର ବୁଲି ମହିଳାମାନେ ସୁଭଦ୍ରା ଯୋଜନାର ଲାଭ ପାଉଛନ୍ତି କି ନାହିଁ, ତାହା ଯାଞ୍ଚ କରିଥିବା କୁହାଯାଇଛି। ସେହିପରି ପଞ୍ଚାୟତିରାଜ ଓ ଯୋଗାଣ ବିଭାଗ ପକ୍ଷରୁ ରାସନ କାର୍ଡ ଏବଂ ପାନୀୟ ଜଳ ସୁବିଧାର ସ୍ଥିତି ଅନୁଧ୍ୟାନ କରାଯାଇଛି।
କୋଟିଆର ପ୍ରତ୍ୟେକ ପରିବାର ଯେପରି ଓଡ଼ିଶା ସରକାରଙ୍କ ଯୋଜନାରୁ ଉପକୃତ ହେବେ, ସେଥିପାଇଁ ସରକାର ପ୍ରୟାସ ଜାରି ରଖିବେ ବୋଲି ସୁରେଶ ପୂଜାରୀ କହିଛନ୍ତି।
କୋଟିଆକୁ ନେଇ ରାଜନୈତିକ ତାତି
କୋଟିଆ ପଞ୍ଚାୟତର ୨୩ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ନିକଟରେ ଏହି ଅଞ୍ଚଳରେ ନିର୍ବାଚନ ସମ୍ପର୍କିତ ପ୍ରଶାସନିକ ପଦକ୍ଷେପକୁ ନେଇ ପୁଣି ବିବାଦ ତୀବ୍ର ହୋଇଛି।
ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, କୋଟିଆ କୌଣସି ଗୋଟିଏ ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ; ଏହା ଓଡ଼ିଶାର ସ୍ୱାଭିମାନ ଓ ସୀମା ସୁରକ୍ଷା ସହ ଜଡ଼ିତ।
ବିରୋଧୀ ଦଳର ନେତା ଭାବେ ନବୀନ ପଟ୍ଟନାୟକ ନିଜର ଦୀର୍ଘ ଅଭିଜ୍ଞତାକୁ ରାଜ୍ୟର ସ୍ୱାର୍ଥରେ ବ୍ୟବହାର କରି ସରକାରଙ୍କୁ ସକାରାତ୍ମକ ପରାମର୍ଶ ଦିଅନ୍ତୁ ବୋଲି ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଏବେ କୋଟିଆରେ ନିୟମିତ ପ୍ରଶାସନିକ ଉପସ୍ଥିତି, ଦୈନିକ ରିପୋର୍ଟ ବ୍ୟବସ୍ଥା ଓ ଆଇନଗତ ପଦକ୍ଷେପ ଉପରେ ସରକାର କେତେ ଦ୍ରୁତ ଅଗ୍ରଗତି କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
