ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଯୋଗାଯୋଗ ବ୍ୟବସ୍ଥା ଓ ନୌ-ଚଳାଚଳକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶର ପ୍ରାୟ ୧ ଲକ୍ଷ ସାମୁଦ୍ରିକ ମାଛଧରା ଡଙ୍ଗାରେ ସ୍ୱଦେଶୀ ପ୍ରଯୁକ୍ତିରେ ବିକଶିତ ଟ୍ରାନ୍ସପଣ୍ଡର ସ୍ଥାପନ କରାଯିବ।
ଗୁରୁବାର କେନ୍ଦ୍ର ମତ୍ସ୍ୟ ବିଭାଗ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (PMMSY) ଅଧୀନରେ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମ୍ (VCSS)କୁ ଦେଶବ୍ୟାପୀ ଲାଗୁ କରିବା ପାଇଁ ୩୬୪ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛି।
ଏହି ପ୍ରକଳ୍ପରେ ସାମୁଦ୍ରିକ ମାଛଧରା ଡଙ୍ଗାରେ ଟ୍ରାନ୍ସପଣ୍ଡର ଲଗାଇବା, ଆର୍ଥ ଷ୍ଟେସନ୍ ଓ ଆବଶ୍ୟକ ଯୋଗାଯୋଗ ଭିତ୍ତିଭୂମି ନିର୍ମାଣ ସହିତ ବହୁଭାଷୀ ‘ନଭମିତ୍ର’ (Nabhmitra) ମୋବାଇଲ୍ ଆପ୍ ବିକାଶ କରାଯିବ।
ଏହି ଯୋଜନାରେ ଯୋଗ୍ୟ ମତ୍ସ୍ୟଜୀବୀଙ୍କୁ ଟ୍ରାନ୍ସପଣ୍ଡର ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ପ୍ରକଳ୍ପର ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ବହନ କରିବେ। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହି ଯୋଜନା ପାଇଁ ୧୦୦ ପ୍ରତିଶତ କେନ୍ଦ୍ରୀୟ ସହାୟତା ମିଳିବ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଦ୍ୱାରା ବିକଶିତ VCSS ବ୍ୟବସ୍ଥା ସମୁଦ୍ରରେ ଚଳାଚଳ କରୁଥିବା ମାଛଧରା ଡଙ୍ଗାଗୁଡ଼ିକର ନିରୀକ୍ଷଣ, ନିୟନ୍ତ୍ରଣ ଓ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବ। ISRO ତିଆରି କରିଥିବା ‘ନଭମିତ୍ର’ ଆପ୍ ମାଧ୍ୟମରେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ରହିଥିବା ସମୟରେ ରିଅଲ୍-ଟାଇମ୍ ଯୋଗାଯୋଗ ଓ ବିଭିନ୍ନ ସହାୟକ ସେବା ପାଇପାରିବେ।
ଏହି ଆପ୍ରେ ଡଙ୍ଗାର ଅବସ୍ଥିତି ସମ୍ପର୍କିତ ତଥ୍ୟ, ଦୁଇପାଖିଆ ବାର୍ତ୍ତା ଆଦାନ-ପ୍ରଦାନ, SOS ଓ ଜରୁରୀ ସଙ୍କେତ, ସୀମା ଅତିକ୍ରମ କରିବା ପୂର୍ବରୁ ସ୍ୱୟଂଚାଳିତ ସତର୍କ ସୂଚନା, ପାଣିପାଗ ଓ ବାତ୍ୟା ସମ୍ପର୍କିତ ଆଲର୍ଟ, ସମ୍ଭାବ୍ୟ ମାଛଧରା ଅଞ୍ଚଳ (PFZ) ସୂଚନା, ନାଭିଗେସନ୍ ସହାୟତା ଏବଂ ଇ-ଟୋକେନ୍/ଟ୍ରିପ୍ ଡିକ୍ଲାରେସନ୍ ଭଳି ସୁବିଧା ଉପଲବ୍ଧ ରହିବ।
ସରକାରଙ୍କ ମତାନୁସାରେ, ଏହି ବ୍ୟବସ୍ଥା ଜରୁରୀ ପରିସ୍ଥିତି କିମ୍ବା ଖରାପ ପାଣିପାଗ ସମୟରେ ଉଦ୍ଧାର କାର୍ଯ୍ୟକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବ। ସେହିପରି, ଭାରତୀୟ ମାଛଧରା ଡଙ୍ଗା ଭୁଲବଶତଃ ପଡ଼ୋଶୀ ଦେଶର ସାମୁଦ୍ରିକ ସୀମାରେ ପ୍ରବେଶ କରିବାକୁ ଯାଉଥିଲେ ପୂର୍ବରୁ ସତର୍କ ସୂଚନା ମିଳିବ।
ଏହି ପ୍ରକଳ୍ପ ଅଧୀନରେ ଦେଶର ୧,୫୪୭ଟି ଅଧିସୂଚିତ ଫିଶ୍ ଲ୍ୟାଣ୍ଡିଂ ସେଣ୍ଟର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୨୩ଟି କେନ୍ଦ୍ରରେ ଯୋଗାଯୋଗ ଭିତ୍ତିଭୂମି ବିକଶିତ କରାଯିବ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମାଛଧରା ଡଙ୍ଗାର ସଂଖ୍ୟା, ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ନିର୍ଭରଶୀଳତା, ମାଛ ଅବତରଣ ପରିମାଣ, ବଜାର ଓ ପ୍ରକ୍ରିୟାକରଣ କେନ୍ଦ୍ରର ନିକଟତା, ଆର୍ଥିକ ସମ୍ଭାବ୍ୟତା ଓ ଆଇନଗତ ମାନଦଣ୍ଡକୁ ଆଧାର କରି ଏହି କେନ୍ଦ୍ରଗୁଡ଼ିକୁ ଚୟନ କରିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୩୫୦ଟି ଫିଶ୍ ଲ୍ୟାଣ୍ଡିଂ ସେଣ୍ଟର ଥିବା ବେଳେ ତାମିଲନାଡୁରେ ୩୦୧ଟି ଏବଂ କେରଳରେ ୨୦୪ଟି କେନ୍ଦ୍ର ରହିଛି।
