ଦେଶର ଆୟୁଷ କ୍ଷେତ୍ରକୁ ଅଧିକ ଡିଜିଟାଲ୍ ଓ ପ୍ରଯୁକ୍ତିନିର୍ଭର କରିବା ଲକ୍ଷ୍ୟରେ ଆୟୁଷ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅଧୀନରେ କାର୍ଯ୍ୟରତ IndiaAI ମିଶନ୍ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଯୋଗ ମାଧ୍ୟମରେ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାରକୁ ଅଧିକ ବ୍ୟାପକ କରାଯିବ।
ଏହି ଚୁକ୍ତି ଅନୁଯାୟୀ ଗବେଷଣା, ଡିଜିଟାଲ୍ ନବସୃଜନ, ଔଷଧୀୟ ଉଦ୍ଭିଦ, ଔଷଧ ପରିଚାଳନା ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ AI ଆଧାରିତ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦିଆଯିବ।
ଆୟୁଷ ମନ୍ତ୍ରଣାଳୟ AIKosh ପ୍ଲାଟଫର୍ମ ସହ ଯୋଡ଼ି ଯୋଗ୍ୟ ସ୍ୱାସ୍ଥ୍ୟ ଗବେଷଣା ସମ୍ବନ୍ଧୀୟ ତଥ୍ୟ, ଡାଟାସେଟ୍, ମେଟାଡାଟା, AI ମଡେଲ୍, ଟୁଲକିଟ୍ ଏବଂ ବିଭିନ୍ନ ବ୍ୟବହାର ଉଦାହରଣ ସେୟାର କରିବ। ଏହା ଦ୍ୱାରା ଗବେଷଣାରେ ସହଯୋଗ ବଢ଼ିବା ସହ ଦାୟିତ୍ୱପୂର୍ଣ୍ଣ AI ଆଧାରିତ ସମାଧାନ ବିକାଶକୁ ଗତି ମିଳିବ।
ଏହି ସହଭାଗିତା ମାଧ୍ୟମରେ IndiaAI ମିଶନ୍ର GPU ଆଧାରିତ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟିଂ ବ୍ୟବସ୍ଥାକୁ ରିହାତି ଦରରେ ବ୍ୟବହାର କରିବାର ସୁବିଧା ମଧ୍ୟ ମିଳିବ। ଏହି ଭିତ୍ତିଭୂମି AI ଆଧାରିତ ସ୍ୱାସ୍ଥ୍ୟସେବା ଓ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାରେ ନୂତନ ପ୍ରୟୋଗ ବିକାଶରେ ସହାୟକ ହେବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ଏହି ବୁଝାମଣାପତ୍ରରେ ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ମୁଖ୍ୟ ସତର୍କତା ଅଧିକାରୀ ଡ଼. କବିତା ଜୈନ୍ ଏବଂ IndiaAI ମିଶନ୍ର ମୁଖ୍ୟ ପରିଚାଳନା ଅଧିକାରୀ ତଥା MeitYର ଯୁଗ୍ମ ସଚିବ ସୁଦୀପ ଶ୍ରୀବାସ୍ତବ ସ୍ୱାକ୍ଷର କରିଥିଲେ।
ଡ଼. କବିତା ଜୈନ୍ କହିଛନ୍ତି, AI ପ୍ରଯୁକ୍ତିକୁ ଆୟୁଷ କ୍ଷେତ୍ର ସହ ଯୋଡ଼ିବା ଦ୍ୱାରା ପ୍ରମାଣଭିତ୍ତିକ ଗବେଷଣା, ଜ୍ଞାନ ପରିଚାଳନା ଏବଂ ନବସୃଜନ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଏହା ଆୟୁଷ ବ୍ୟବସ୍ଥାକୁ ଅଧିକ ଆଧୁନିକ ଓ ଭବିଷ୍ୟତ ଉପଯୋଗୀ କରିବ।
ସୁଦୀପ ଶ୍ରୀବାସ୍ତବ କହିଛନ୍ତି, ଭାରତର ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ିବା ଦିଗରେ ଏହି ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା AIKosh ପ୍ଲାଟଫର୍ମରେ ପାରମ୍ପରିକ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ତଥ୍ୟ ସମୃଦ୍ଧ ହେବ ଏବଂ ଗବେଷକ ଓ ଆୟୁଷ ବିଶେଷଜ୍ଞମାନେ AI ଆଧାରିତ ନୂଆ ସୁବିଧା ପାଇପାରିବେ।
ଆୟୁଷ ଗ୍ରିଡ୍ର ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ନମନ ଗୋୟଲ କହିଛନ୍ତି, ଆୟୁଷ କ୍ଷେତ୍ରର ଡିଜିଟାଲ୍ ପରିବର୍ତ୍ତନକୁ ଦ୍ରୁତ କରିବା ପାଇଁ AI ଆଧାରିତ ବିଭିନ୍ନ ସମାଧାନ ଉପରେ କାମ ଚାଲିଛି। ଏହି ଚୁକ୍ତି AIର ବ୍ୟବହାରକୁ ଆହୁରି ବ୍ୟାପକ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
