Home Uncategorizedଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

by Lokanath Panigrahi
0 comments

‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୋହନ ଚରଣ ମାଝୀ

ଭୁବନେଶ୍ୱର, ୧ ଅକ୍ଟୋବର: ଭୁବନେଶ୍ୱରକୁ ଦେଶର ସବୁଠାରୁ ସ୍ୱଚ୍ଛ ଏବଂ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖଣ୍ଡଗିରିଠାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଇ ସେ ଏହି ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସହର କେବଳ ପ୍ରଶାସନର ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର। ତେଣୁ ନିଜ ଘର ସଫା ରଖିବା ସହିତ ଘର ଆଗର ରାସ୍ତା, ପଡ଼ୋଶ ଓ କଲୋନୀକୁ ସ୍ୱଚ୍ଛ ରଖିବା ଦାୟିତ୍ୱ ମଧ୍ୟ ସମସ୍ତଙ୍କର। ବର୍ତ୍ତମାନ ଦେଶର ସ୍ୱଚ୍ଛତା ର୍ୟାଙ୍କିଂରେ ଭୁବନେଶ୍ୱର ନବମ ସ୍ଥାନରେ ଥିବାବେଳେ, ସମସ୍ତଙ୍କ ସହଯୋଗରେ ଏହାକୁ ପ୍ରଥମ ସ୍ଥାନକୁ ନିଆଯାଇପାରିବ ବୋଲି ସେ କହିଛନ୍ତି।

ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ନାଗରିକମାନେ ଘରୋଇ ଆବର୍ଜନାକୁ ଓଦା ଓ ଶୁଖିଲା ଭାବେ ପୃଥକ କରି ସଫେଇ ଗାଡ଼ିକୁ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାସ୍ତାରେ ଅଳିଆ ନ ଫିଙ୍ଗିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ କରିବାକୁ ସେ ଅନୁରୋଧ କରିଛନ୍ତି।

ସ୍ୱଚ୍ଛତା ପ୍ରତି ମହାତ୍ମା ଗାନ୍ଧୀଙ୍କ ଗୁରୁତ୍ୱକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪ ପରଠାରୁ ସ୍ୱଚ୍ଛତା ଅଭିଯାନକୁ ଦେଶବ୍ୟାପୀ ଜନଆନ୍ଦୋଳନର ରୂପ ଦିଆଯାଇଛି। ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ କାର୍ଯ୍ୟକ୍ରମ ସମାଜର ସମସ୍ତ ଶ୍ରେଣୀକୁ ସ୍ୱଚ୍ଛତା ସହିତ ଯୋଡ଼ିବାର ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ସେ କହିଛନ୍ତି।

ଭୁବନେଶ୍ୱର ସହର ପୂର୍ବପେକ୍ଷା ଅଧିକ ସ୍ୱଚ୍ଛ ଓ ସୁନ୍ଦର ହୋଇଥିବାର ଶ୍ରେୟ ସଫେଇ ମିତ୍ରମାନଙ୍କୁ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିରବଚ୍ଛିନ୍ନ ସେବାକୁ ପ୍ରଶଂସା କରିଛନ୍ତି। ସଫେଇ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଏବଂ ସେମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା କରିବା ଦିଗରେ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ଦେଶର ୫୦ଟି ‘ମଡେଲ ସାନିଟେସନ ସିଟି’ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀକୁ ଚୟନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଉଭୟ ସହରର ପ୍ରଶାସନ, ଅଧିକାରୀ ଏବଂ ବିଶେଷ କରି ସଫେଇ ମିତ୍ରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ, ବିଏମସି କମିଶନର ଚଞ୍ଚଲ ରାଣାଙ୍କ ସହ କର୍ପୋରେଟର, ବିଏମସି କର୍ମଚାରୀ ଓ ସଫେଇ ମିତ୍ରମାନେ ଉପସ୍ଥିତ ଥିଲେ।

You may also like

Leave a Comment