Home Uncategorized୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଓଡ଼ିଆ ସିନେମା ପାଇଁ ଆସିବ ନୂଆ ଚଳଚ୍ଚିତ୍ର ନୀତି, କଳିଙ୍ଗ ଷ୍ଟୁଡିଓ ହେବ ଡିଜିଟାଲ୍ ହବ୍

୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଓଡ଼ିଆ ସିନେମା ପାଇଁ ଆସିବ ନୂଆ ଚଳଚ୍ଚିତ୍ର ନୀତି, କଳିଙ୍ଗ ଷ୍ଟୁଡିଓ ହେବ ଡିଜିଟାଲ୍ ହବ୍

by Gulshan Pandey
0 comments

ଭୁବନେଶ୍ୱର, ୨୬ ଜୁନ: ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଜାତିର ଅସ୍ମିତା ଓ ସଂସ୍କୃତିର ପରିଚୟ। ଏହାର ସର୍ବାଙ୍ଗୀନ ବିକାଶ, କଳାକାରଙ୍କ ସୁରକ୍ଷା ଓ ଆଧୁନିକ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ କରିବେ। ଏହା ସହ କଳିଙ୍ଗ ଷ୍ଟୁଡିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଓ ପୋଷ୍ଟ-ପ୍ରଡକ୍ସନ ହବ୍ ଭାବେ ଗଢ଼ି ତୋଳାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ନିକଟରେ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ପରାମର୍ଶ ଆଧାରରେ କଳାକାରଙ୍କ ସୁରକ୍ଷା, ବୈଷୟିକ ସହଯୋଗ ଓ ଉନ୍ନତମାନର ଚଳଚ୍ଚିତ୍ର ନିର୍ମାଣ ପାଇଁ ନୂଆ ପଦକ୍ଷେପ ନିଆଯିବ।

ଓଡ଼ିଆ ସିନେମାର ନୂଆ ଯୁଗ

ମୁଖ୍ୟମନ୍ତ୍ରୀ କହିଥିଲେ, ‘ସୀତା ବିବାହ’ ଠାରୁ ଆରମ୍ଭ କରି ‘ମାୟା ମିରିଗ’, ‘ଭୁକା’, ‘ଶେଷ ଶ୍ରାବଣ’ ଓ ‘ହାକିମ ବାବୁ’ ପର୍ଯ୍ୟନ୍ତ ଅନେକ କାଳଜୟୀ ସିନେମା ଓଡ଼ିଆ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇଛି। ସାମ୍ପ୍ରତିକ ସମୟରେ ‘ଦମନ’, ‘ପ୍ରତୀକ୍ଷା’, ‘ଶଲା ବୁଢ଼ା’, ‘ପୁଷ୍କରା’, ‘ବୋଉ ବୁଟୁ ଭୂତ’ ଓ ‘ବର ବଧୂ’ ଭଳି ଚଳଚ୍ଚିତ୍ର ଓଡ଼ିଆ ସିନେମାକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି।

କଳିଙ୍ଗ ଷ୍ଟୁଡିଓ ହେବ ଡିଜିଟାଲ୍ ହବ୍

ଓଟିଟି ଯୁଗକୁ ଦୃଷ୍ଟିରେ ରଖି ସିନେମାଟୋଗ୍ରାଫି, ସାଉଣ୍ଡ ଡିଜାଇନ୍ ଓ ଭିଏଫଏକ୍ସ କ୍ଷେତ୍ରରେ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦିଆଯିବ। ଏହା ସହ କଳିଙ୍ଗ ଷ୍ଟୁଡିଓକୁ ଅତ୍ୟାଧୁନିକ ଡିଜିଟାଲ୍ ଓ ପୋଷ୍ଟ-ପ୍ରଡକ୍ସନ କେନ୍ଦ୍ରରେ ପରିଣତ କରାଯିବ, ଯାହା ଦ୍ୱାରା ରାଜ୍ୟର ଯୁବ ପ୍ରତିଭାଙ୍କୁ କାମ ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ।

ଓଡ଼ିଆ ଫିଲ୍ମକୁ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀ ଦର୍ଶକଙ୍କୁ ସିନେମା ହଲକୁ ଯାଇ ଓଡ଼ିଆ ଫିଲ୍ମ ଦେଖିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ଗୋଟିଏ ଚଳଚ୍ଚିତ୍ର ସହ ଶହଶହ କଳାକାର, ଟେକ୍ନିସିଆନ୍ ଓ ଶ୍ରମିକଙ୍କ ଜୀବିକା ଜଡ଼ିତ ରହିଛି। ଯଦି କୌଣସି ସିନେମା ହଲରୁ ଓଡ଼ିଆ ଫିଲ୍ମକୁ ହଟାଇ ଅନ୍ୟ ଭାଷାର ସିନେମାକୁ ପ୍ରାଧାନ୍ୟ ଦିଆଯାଏ, ତେବେ ସରକାର ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ନମ୍ରତା ଦାସଙ୍କୁ ସର୍ବୋଚ୍ଚ ସମ୍ମାନ

ସମାରୋହରେ ୨୦୨୩ ବର୍ଷ ପାଇଁ ବରିଷ୍ଠ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ବର୍ଷ ପାଇଁ ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ଏହା ସହ ୨୦୨୩ ଓ ୨୦୨୪ ବର୍ଷ ପାଇଁ ମୋଟ ୬୨ଟି ବିଭାଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଳାକାର ଓ ଟେକ୍ନିସିଆନଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ମନ୍ତ୍ରୀଙ୍କ ମତ

ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ଓଡ଼ିଆ ସିନେ ଶିଳ୍ପ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ। ସେହିପରି ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଓଡ଼ିଆ ସିନେ ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ସଂକଳ୍ପବଦ୍ଧ ଓ କଳାକାରଙ୍କ ପ୍ରତ୍ୟେକ ପରାମର୍ଶକୁ ସ୍ୱାଗତ କରାଯିବ।

ସମାରୋହରେ ବହୁ ବରିଷ୍ଠ କଳାକାର, ଚଳଚ୍ଚିତ୍ର ନିର୍ମାତା, ଟେକ୍ନିସିଆନ୍ ଏବଂ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।

You may also like

Leave a Comment