Home Odishaଜମି ବିବାଦକୁ ନେଇ ସ୍କୁଲ ଓ ଅଙ୍ଗନବାଡ଼ିରେ ତାଲା, ରାସ୍ତାକଡ଼ରେ ଚାଲିଲା ପାଠପଢ଼ା

ଜମି ବିବାଦକୁ ନେଇ ସ୍କୁଲ ଓ ଅଙ୍ଗନବାଡ଼ିରେ ତାଲା, ରାସ୍ତାକଡ଼ରେ ଚାଲିଲା ପାଠପଢ଼ା

by Lokanath Panigrahi
0 comments

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ଅନ୍ତର୍ଗତ କଟ୍ରାକୁଣ୍ଡ ଗାଁରେ ଜମିକୁ ନେଇ ବିବାଦ ଯୋଗୁଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାର ପ୍ରଭାବ ସିଧାସଳଖ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିଥିଲା।

ଘଟଣା ଅନୁସାରେ, ଜଣେ ବ୍ୟକ୍ତି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଯେଉଁ ସ୍ଥାନରେ ରହିଛି, ସେହି ଜମି ତାଙ୍କ ପରିବାରର ବୋଲି ଦାବି କରି ଉଭୟ ସ୍ଥାନରେ ତାଲା ପକାଇଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ପୂର୍ବରୁ ତାଙ୍କ ପରିବାର ପକ୍ଷରୁ କେବଳ ଗୋଟିଏ ସ୍କୁଲ ଘର ନିର୍ମାଣ ପାଇଁ ଜାଗା ଦିଆଯାଇଥିଲା। ପରେ ସେଠାରେ ଅନ୍ୟାନ୍ୟ କୋଠା, ଶୌଚାଳୟ, ରୋଷେଇ ଘର ଏବଂ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଥିବା ସେ ଦାବି କରିଥିଲେ।

ପରିବାରରେ ସଦସ୍ୟ ସଂଖ୍ୟା ବଢ଼ିବାରୁ ନିଜ ପରିବାର ପାଇଁ ଜମିର ଆବଶ୍ୟକତା ଥିବା ଦର୍ଶାଇ ସେହି ସ୍ଥାନ ଖାଲି କରି ଜମି ହସ୍ତାନ୍ତର କରିବାକୁ ଦାବି କରାଯାଇଥିଲା। ଏହାକୁ ନେଇ ସ୍କୁଲ ଓ ଅଙ୍ଗନବାଡ଼ିରେ ତାଲା ପକାଯାଇଥିଲା।

ତାଲା ପଡ଼ିବା ପରେ ସ୍କୁଲ ଭିତରକୁ ପ୍ରବେଶ କରିପାରିନଥିଲେ ଛାତ୍ରଛାତ୍ରୀ। ଫଳରେ ବାଧ୍ୟ ହୋଇ ରାସ୍ତାକଡ଼ରେ ବସି ପାଠ ପଢ଼ିଥିଲେ। ଅନ୍ୟପଟେ ରୋଷେଇ ଘରେ ମଧ୍ୟ ତାଲା ଥିବାରୁ ସେଦିନ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ସମ୍ଭବ ହୋଇନଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବୈପାରିଗୁଡ଼ା ତହସିଲଦାର ସ୍ନିଗ୍ଧା ଚୌଧୁରୀ ଓ ସିଡିପିଓ ସବିତା ବ୍ରହ୍ମା ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀ ଓ ଅଭିଭାବକଙ୍କ ସାମ୍ନାରେ ସମ୍ପୃକ୍ତ ଜମିର ରେକର୍ଡ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ପରେ ଜମିଟି ବ୍ୟକ୍ତିଗତ ମାଲିକାନାର ନୁହେଁ, ବରଂ ‘ଜଙ୍ଗଲ କିସମ’ ଭାବେ ରେକର୍ଡଭୁକ୍ତ ଥିବା ଜଣାପଡ଼ିଥିଲା। ଏହାପରେ ତହସିଲଦାର ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ତାଲା ପକାଇବାକୁ ବେଆଇନ ବୋଲି କହିବା ସହ ତୁରନ୍ତ ତାଲା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଶାସନର ହସ୍ତକ୍ଷେପ ପରେ ଉଭୟ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଖୋଲାଯାଇଥିଲା। ଏହାପରେ ସ୍କୁଲରେ ପୁଣି ସ୍ୱାଭାବିକ ଭାବେ ପାଠପଢ଼ା ଆରମ୍ଭ ହୋଇଥିଲା।

You may also like

Leave a Comment