ଦେଶର କୃଷି କ୍ଷେତ୍ରକୁ ଅଧିକ ସ୍ଥାୟୀ, ଲାଭଜନକ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆଜିଠାରୁ ଆରମ୍ଭ କରିବେ ଏକ ବ୍ୟାପକ ଜାତୀୟ ଅଭିଯାନ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ହରିୟାଣାର କର୍ଣ୍ଣାଲଠାରୁ ‘ଖେତ ବଚାଓ ଅଭିଯାନ–ରବି ୨୦୨୬’ର ଶୁଭାରମ୍ଭ କରିବେ। ଏହି ଦେଶବ୍ୟାପୀ ଅଭିଯାନ ଅକ୍ଟୋବର ୨୨ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।
ମୃତ୍ତିକାର ଉର୍ବରତା ସୁରକ୍ଷା, ସାରର ସନ୍ତୁଳିତ ବ୍ୟବହାର, ଜଳ ସଂରକ୍ଷଣ, ଫସଲ ବିବିଧୀକରଣ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପାଇଁ ସଚେତନ କରାଯିବା ସହ କୃଷି ସମ୍ବଳର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ।
ଏହି ଅଭିଯାନରେ ଚାଷୀମାନଙ୍କୁ ମାଟି ପରୀକ୍ଷା ଆଧାରରେ ଆବଶ୍ୟକ ପରିମାଣର ସାର ଓ ଅନ୍ୟାନ୍ୟ କୃଷି ଉପାଦାନ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବ।
ଅନେକ ସମୟରେ ମୃତ୍ତିକାର ଆବଶ୍ୟକତା ନଜାଣି ଅଧିକ ପରିମାଣରେ ସାର ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଚାଷ ଖର୍ଚ୍ଚ ବଢ଼ିବା ସହ ମାଟିର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ।
ଏହି ପରିପ୍ରେକ୍ଷୀରେ ମାଟିରେ ଥିବା ପୋଷକତତ୍ତ୍ୱର ସ୍ଥିତି ଜାଣି ସଠିକ୍ ପରିମାଣର ସାର ପ୍ରୟୋଗ କରିବା ଏବଂ ମୃତ୍ତିକାର ଉର୍ବରତାକୁ ଦୀର୍ଘସ୍ଥାୟୀ ଭାବେ ବଜାୟ ରଖିବା ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।
‘ଖେତ ବଚାଓ ଅଭିଯାନ’ର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ହେଉଛି ଫସଲ ବିବିଧୀକରଣକୁ ପ୍ରୋତ୍ସାହନ ଦେବା।
ତୈଳବୀଜ, ଡାଲିଜାତୀୟ ଫସଲ ଓ ଉଦ୍ୟାନ କୃଷି ମିଶନ ମାଧ୍ୟମରେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ଉତ୍ସାହିତ କରାଯିବ।
ବିଶେଷକରି ଧାନ ଅମଳ ପରେ ଖାଲି ପଡ଼ୁଥିବା ଚାଷଜମିର ଉପଯୋଗ ଉପରେ ଗୁରୁତ୍ୱ ଦିଆଯିବ। ଉପଯୁକ୍ତ ମାଟି, ଜଳବାୟୁ ଓ ଜଳସେଚନ ସୁବିଧା ଆଧାରରେ ଏହି ଜମିରେ ବିକଳ୍ପ ଫସଲ ଚାଷ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯିବ।
ଏହାଦ୍ୱାରା ଚାଷଜମିର ଅଧିକ ଉପଯୋଗ ହେବା ସହ କୃଷକଙ୍କ ପାଇଁ ଅତିରିକ୍ତ ଆୟର ସମ୍ଭାବନା ସୃଷ୍ଟି ହୋଇପାରିବ।
ଧାନ ଓ ଅନ୍ୟାନ୍ୟ ଫସଲ ଅମଳ ପରେ ଜମିରେ ରହିଯାଉଥିବା ନଡ଼ା ଓ ଅବଶିଷ୍ଟର ସଠିକ୍ ପରିଚାଳନା ଉପରେ ମଧ୍ୟ ଅଭିଯାନରେ ଗୁରୁତ୍ୱ ଦିଆଯିବ।
ଫସଲ ଅବଶିଷ୍ଟକୁ ପୋଡ଼ିବା ପରିବର୍ତ୍ତେ ଉପଯୁକ୍ତ ପ୍ରଯୁକ୍ତି ଓ ପରିଚାଳନା ପଦ୍ଧତି ବ୍ୟବହାର କରିବା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯିବ।
ସେହିପରି ଜୈବିକ ଓ ଜୈବ-ଆଧାରିତ କୃଷି ଉପାଦାନର ଉପଯୁକ୍ତ ବ୍ୟବହାର ଏବଂ ପ୍ରାକୃତିକ ଚାଷ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରାଯିବ।
ଚାଷୀମାନେ ଏହି ପଦ୍ଧତିଗୁଡ଼ିକର ବ୍ୟବହାରିକ ଦିଗ ବୁଝିପାରିବେ ବୋଲି କ୍ଷେତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ।
ଚାଷ ପାଇଁ ଜଳର ସଠିକ୍ ବ୍ୟବହାର ଏବଂ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏହି ଅଭିଯାନର ଆଉ ଏକ ପ୍ରମୁଖ ଅଂଶ।
ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ ଏବଂ ଜଳର ଦକ୍ଷ ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯିବ।
ଏଥିସହ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ଖାପ ଖୁଆଇପାରୁଥିବା କୃଷି ପଦ୍ଧତି, ମିଶ୍ରିତ ଚାଷ ଓ ଆଧୁନିକ କୃଷି ପ୍ରଯୁକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ।
‘ଖେତ ବଚାଓ ଅଭିଯାନ’କୁ କେବଳ ରାଜ୍ୟ କିମ୍ବା ଜିଲ୍ଲାସ୍ତରରେ ସୀମିତ ରଖାଯିବ ନାହିଁ। ଏହାକୁ ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।
ଅଭିଯାନ ଅନ୍ତର୍ଗତ ଚାଷୀ ସମ୍ମିଳନୀ, କିଷାନ ଚୌପାଲ, ପ୍ରଶିକ୍ଷଣ ଶିବିର ଓ କ୍ଷେତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ।
ଏହି କାର୍ଯ୍ୟକ୍ରମଗୁଡ଼ିକରେ ଚାଷୀମାନେ କୃଷି ବିଶେଷଜ୍ଞଙ୍କଠାରୁ ସିଧାସଳଖ ପରାମର୍ଶ ପାଇବା ସହ ନୂତନ ଚାଷ ପଦ୍ଧତି ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ।
କେନ୍ଦ୍ର କୃଷି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଅଭିଯାନ ମାଧ୍ୟମରେ ପ୍ରାୟ ଏକ କୋଟି ଅଂଶଗ୍ରହଣକାରୀଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି।
ଏଥିପାଇଁ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ପ୍ରଯୁକ୍ତି ପରିଚାଳନା ସଂସ୍ଥା ବା ଆତ୍ମା (ATMA) ସହଯୋଗରେ ମୋଟ ୪,୧୫୦ଟି ଦଳ ଗଠନର ଯୋଜନା ରହିଛି।
ଏହି ଅଭିଯାନରେ ୧୨ ହଜାରରୁ ଅଧିକ କୃଷି ବୈଜ୍ଞାନିକ ଓ ଆତ୍ମା କର୍ମକର୍ତ୍ତା ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।
ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ଭାରତୀୟ କୃଷି ଗବେଷଣା ପରିଷଦ ବା ଆଇସିଏଆର୍ର ବିଭିନ୍ନ ଅନୁଷ୍ଠାନ ଏବଂ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବେ।
ଏଥିରେ କୃଷକ ଉତ୍ପାଦକ ସଂଗଠନ, ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରଗତିଶୀଳ ଚାଷୀମାନଙ୍କ ସହଯୋଗ ମଧ୍ୟ ନିଆଯିବ।
ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମର ସମନ୍ୱୟ ଓ ନିୟମିତ ତଦାରଖ ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ରାଜ୍ୟ ସରକାର ଓ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରିବ।
ଅଭିଯାନ ଅବସରରେ ଚାଷୀମାନଙ୍କୁ କେବଳ କୃଷି ପଦ୍ଧତି ସମ୍ପର୍କରେ ନୁହେଁ, ବିଭିନ୍ନ କୃଷକ କଲ୍ୟାଣମୂଳକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସଚେତନ କରାଯିବ।
କୃଷକ ପରିଚୟପତ୍ର ପ୍ରସ୍ତୁତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ।
ଏହାସହ ସମନ୍ୱିତ କୀଟ ପରିଚାଳନା, ଉନ୍ନତ ବିହନ ଓ ଉପଯୁକ୍ତ କୃଷି ଯନ୍ତ୍ରପାତି ବ୍ୟବହାର ସମ୍ପର୍କରେ ମଧ୍ୟ ଚାଷୀମାନଙ୍କୁ ଅବଗତ କରାଯିବ।
ଦେଶର ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କ ପାଖରେ ଅଭିଯାନର ସୂଚନା ପହଞ୍ଚାଇବା ପାଇଁ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ପ୍ରସ୍ତୁତ କରାଯିବ।
ରେଡିଓ, ଦୂରଦର୍ଶନ, ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ସୂଚନା ମାଧ୍ୟମରେ ଚାଷୀମାନଙ୍କୁ ଅଭିଯାନର ଉଦ୍ଦେଶ୍ୟ ଓ ବିଭିନ୍ନ କୃଷି ପଦ୍ଧତି ସମ୍ପର୍କରେ ଅବଗତ କରାଯିବ।
ବିଶେଷକରି ଗ୍ରାମାଞ୍ଚଳରେ କୃଷି ସଚେତନତା ବୃଦ୍ଧି ପାଇଁ ସ୍ଥାନୀୟ ଭାଷାରେ ସହଜ ଓ ବ୍ୟବହାରିକ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ରହିବ।
କେନ୍ଦ୍ର ସରକାରଙ୍କ ମତରେ, ମୃତ୍ତିକା ଓ ଜଳ ସଂରକ୍ଷଣ ସହ କୃଷି ସମ୍ବଳର ଉପଯୁକ୍ତ ବ୍ୟବହାର ଚାଷକୁ ଅଧିକ ସ୍ଥାୟୀ ଓ ବ୍ୟୟସାଶ୍ରୟୀ କରିପାରିବ।
ସାରର ସନ୍ତୁଳିତ ପ୍ରୟୋଗ, ଫସଲ ବିବିଧୀକରଣ, ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତି ସମ୍ପର୍କରେ ବୈଜ୍ଞାନିକ ପରାମର୍ଶ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ କମାଇବାରେ ସହାୟକ ହୋଇପାରେ।
ଏହାସହ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଏବଂ ଦୀର୍ଘମିଆଦୀ କୃଷି ଉତ୍ପାଦନକୁ ବଜାୟ ରଖିବା ଦିଗରେ ଏହି ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
‘ଖେତ ବଚାଓ ଅଭିଯାନ–ରବି ୨୦୨୬’ ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ସଂରକ୍ଷଣ ଓ ଆଧୁନିକ କୃଷି ପଦ୍ଧତିର ପ୍ରସାର ସହ କୃଷକଙ୍କ ଦୀର୍ଘମିଆଦୀ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ଏହାକୁ ‘ବିକଶିତ ଭାରତ’ ପରିକଳ୍ପନା ସହ ମଧ୍ୟ ଯୋଡ଼ାଯାଇଛି।
