ଭୁବନେଶ୍ୱର, ୨୬ ଜୁନ:
ସିଆଇଆଇ (CII) ପୂର୍ବାଞ୍ଚଳ ପରିଷଦ (Eastern Regional Council) ସମ୍ମିଳନୀ–୨୦୨୬ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଶିଳ୍ପ ବିକାଶ ପାଇଁ ‘Go East’ ନାମରେ ଏକ ନୂଆ ପ୍ଲାଟଫର୍ମ ଘୋଷଣା କରିଛନ୍ତି। ଏହା ସହ ଓଡ଼ିଶା ଶିଳ୍ପ ନୀତି (IPR-2022)ରେ ବଡ଼ ସଂଶୋଧନ କରି ବଲାଙ୍ଗୀର, କଳାହାଣ୍ଡି ସମେତ ୧୫ଟି ଜିଲ୍ଲାକୁ ‘Thrust Sector’ ମାନ୍ୟତା ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘Go East’ (Government of Odisha – Eastern Investment Accelerator and Special Task Force) ମାଧ୍ୟମରେ ପୂର୍ବ ଓ ପୂର୍ବୋତ୍ତର ଭାରତର ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ସ୍ୱତନ୍ତ୍ର ସୁଯୋଗ, ସହାୟତା ଓ ସୁରକ୍ଷା ପ୍ରଦାନ କରାଯିବ। ଏହା ଦ୍ୱାରା ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନୂଆ ଶିଳ୍ପ ବିକାଶ କେନ୍ଦ୍ର ଗଢ଼ିଉଠିବ ଏବଂ ସମାବେଶୀ ଶିଳ୍ପାୟନକୁ ପ୍ରୋତ୍ସାହନ ମିଳିବ।
ଏହି ନୀତି ଅଧୀନରେ ଏକ ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ କରାଯିବ। ସେହିପରି IPICOLରେ ‘Go East Cell’ ଏବଂ ନିବେଶ ପ୍ରକଳ୍ପର ତତ୍କାଳ ନିରୀକ୍ଷଣ ପାଇଁ ‘Go Swift’ ମଡ୍ୟୁଲ୍ ସୃଷ୍ଟି କରାଯିବ।

ଶିଳ୍ପ ନୀତିର ସଂଶୋଧନ ଅନୁଯାୟୀ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ସମେତ ୧୫ଟି ପଛୁଆ ଜିଲ୍ଲାକୁ ‘Thrust Sector’ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଫଳରେ ଏହି ଜିଲ୍ଲାଗୁଡ଼ିକରେ ଅଣ-ଖଣିଜ ଭିତ୍ତିକ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହନ ମିଳିବ ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ଭବ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ହେବ। ଏଥିପାଇଁ ସରକାର ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟାକୁ ସରଳ କରିଛନ୍ତି। ‘Deregulation 1.0’ ଓ ‘2.0’ ଯୋଗୁଁ ଶିଳ୍ପ ସ୍ଥାପନ ପାଇଁ ଆବଶ୍ୟକ ସମୟ ୪୦୦ ଦିନରୁ କମି ୧୬୦ ଦିନରୁ କମ୍ ହୋଇଛି। ଆଗକୁ ଏହାକୁ ୧୦୦ ଦିନରୁ କମ୍ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେ କହିଛନ୍ତି, ଜୁନ୍ ୨୦୨୪ ପରଠାରୁ ରାଜ୍ୟ ସରକାର ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କାର ୪୭୭ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏଥିରେ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ସେଥିମଧ୍ୟରୁ ୩.୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଥିବା ୧୨ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ଉଦ୍ଘାଟନ ପର୍ଯ୍ୟାୟରେ ପହଞ୍ଚିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏବେ କେବଳ ନିବେଶ ଆକର୍ଷିତ କରୁନାହିଁ, ବରଂ ରେକର୍ଡ ସମୟରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛି। ଖଣିଜ ଭିତ୍ତିକ ଶିଳ୍ପ ସହ ଷ୍ଟିଲ୍, ଆଲୁମିନିୟମ, ପେଟ୍ରୋକେମିକାଲ୍, ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଭଳି ଭବିଷ୍ୟତମୁଖୀ କ୍ଷେତ୍ର ଉପରେ ମଧ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି।
ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ରାଜ୍ୟର ଯୁବଶକ୍ତି ଓ ଦକ୍ଷତା ବିକାଶକୁ ଆଧାର କରି ଓଡ଼ିଶାକୁ ଦେଶର ସର୍ବାଧିକ ନିବେଶକ-ଅନୁକୂଳ ରାଜ୍ୟରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ। ‘Go East’ ଯୋଜନା ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

