ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ପୁଣି ଥରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଜୁଲାଇ ୩୧ରେ ସମାପ୍ତ ସପ୍ତାହରେ ଦେଶର ଫରେକ୍ସ ରିଜର୍ଭ ପ୍ରାୟ ୧୦.୫ ବିଲିଅନ ଡଲାର ବଢ଼ିଛି। ଏହାର ପରିଣାମରେ ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ୬୯୨.୮୭ ବିଲିଅନ ଡଲାରରେ ପହଞ୍ଚିଛି। ଦୁଇ ମାସରୁ ଅଧିକ ସମୟ ପରେ ଏହା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରର ଏକ ଉଚ୍ଚ ସ୍ତର ବୋଲି ଜଣାପଡ଼ିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟ ପ୍ରକାଶିତ ତଥ୍ୟରୁ ଏହି ବୃଦ୍ଧି ସମ୍ପର୍କରେ ସୂଚନା ମିଳିଛି। ତଥ୍ୟ ଅନୁସାରେ, ମୋଟ ଭଣ୍ଡାର ବୃଦ୍ଧିରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି ଏକ ପ୍ରମୁଖ ଭୂମିକା ନେଇଛି।
ଆଲୋଚ୍ୟ ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି ପ୍ରାୟ ୮.୭୫ ବିଲିଅନ ଡଲାର ବଢ଼ି ୫୬୪.୬୮ ବିଲିଅନ ଡଲାରରେ ପହଞ୍ଚିଛି। ସେହିପରି ଭାରତର ସୁନା ଭଣ୍ଡାରର ମୂଲ୍ୟ ମଧ୍ୟ ବଢ଼ିଛି। ଗଚ୍ଛିତ ସୁନାର ମୂଲ୍ୟ ପ୍ରାୟ ୧.୬୯ ବିଲିଅନ ଡଲାର ବୃଦ୍ଧି ପାଇ ୧୦୪.୭୪ ବିଲିଅନ ଡଲାର ହୋଇଛି।
ଅନ୍ୟପଟେ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଭାରତର ସ୍ପେସାଲ ଡ୍ରଇଂ ରାଇଟ୍ସ ବା SDR ମଧ୍ୟ ସାମାନ୍ୟ ବଢ଼ିଛି। ଏହାର ପରିମାଣ ପ୍ରାୟ ୪୮ ନିୟୁତ ଡଲାର ବଢ଼ି ୧୮.୬୭ ବିଲିଅନ ଡଲାରରେ ରହିଛି।ଏହାର ଠିକ୍ ପୂର୍ବ ସପ୍ତାହରେ ମଧ୍ୟ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବଢ଼ିଥିଲା। ସେତେବେଳେ ପ୍ରାୟ ୬.୧ ବିଲିଅନ ଡଲାର ବୃଦ୍ଧି ସହ ମୋଟ ରିଜର୍ଭ ୬୮୨.୩୫ ବିଲିଅନ ଡଲାରରେ ଥିଲା। ଲଗାତାର ବୃଦ୍ଧି ଫଳରେ ଏବେ ଏହା ୬୯୨ ବିଲିଅନ ଡଲାର ଅତିକ୍ରମ କରିଛି।
ସୂଚନାଯୋଗ୍ୟ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏକ ସମୟରେ ୭୨୮.୪୯୪ ବିଲିଅନ ଡଲାରର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ବିଶ୍ୱ ବଜାରରେ ଅସ୍ଥିରତା ଓ ବିଭିନ୍ନ ଆର୍ଥିକ ଚାପ ଯୋଗୁ ଏଥିରେ ହ୍ରାସ ଦେଖାଯାଇଥିଲା।
ବିଦେଶୀ ମୁଦ୍ରା ବଜାରରେ ଟଙ୍କାର ସ୍ଥିରତା ରକ୍ଷା କରିବା ସହ ବଜାରର ଆବଶ୍ୟକତା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡଲାର କିଣାବିକା ମଧ୍ୟ କରାଯାଏ। ଏହାର ପ୍ରଭାବରେ ଫରେକ୍ସ ରିଜର୍ଭରେ ସମୟକ୍ରମେ ପରିବର୍ତ୍ତନ ଦେଖାଯାଏ। ଏବେ ଭଣ୍ଡାରରେ ଦ୍ରୁତ ବୃଦ୍ଧି ଦେଶର ବୈଦେଶିକ ମୁଦ୍ରା ସ୍ଥିତି ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଧରାଯାଉଛି।
