Home SPORTSକଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ସ୍କେଟରଙ୍କ ଦମଦାର ପ୍ରଦର୍ଶନ

କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ସ୍କେଟରଙ୍କ ଦମଦାର ପ୍ରଦର୍ଶନ

by Sunita Jena
0 comments

ରାଜ୍ୟର ରୋଲର୍ ସ୍ପୋର୍ଟସ୍‌ ପାଇଁ ଆସିଛି ଉତ୍ସାହଜନକ ଖବର। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଇନ୍‌ଲାଇନ୍ ଓପନ୍ ଜାତୀୟ ମାନ୍ୟତାପ୍ରାପ୍ତ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାର ୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଶେଷ କଥା ହେଉଛି, ତିନିଜଣ ଯାକ ପଦକ ଜିତି ରାଜ୍ୟର ନାଁ ଉଜ୍ଜ୍ୱଳ କରିଛନ୍ତି। ଏହି ପ୍ରତିଯୋଗିତାରେ ଅନାହିତା ମିଶ୍ର ଚମତ୍କାର ପ୍ରଦର୍ଶନ କରି ୧୫ରୁ ୧୮ ବର୍ଷ ବୟସ ବର୍ଗର ସ୍ପିଡ୍ ସ୍ଲାଲୋମ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ ଆସନ୍ତା ମାସରେ ପାରାଗୁଏରେ ହେବାକୁ ଥିବା ବିଶ୍ୱ ସ୍କେଟ୍ ଗେମ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ ପାଇଁ ସେ ଚୟନ ହୋଇଛନ୍ତି। ଦେଶର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କେଟର୍ ଭାବେ ପରିଚିତ ଅନାହିତା କଳିଙ୍ଗ ଷ୍ଟାଡିୟମ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ଦେଇଛନ୍ତି।

ଅନ୍ୟପଟେ, ଓଡ଼ିଶାର ଆଉ ଦୁଇ ପ୍ରତିଭାଶାଳୀ ସ୍କେଟର୍ ବିଭାଂଶୀ ପାଣିଗ୍ରାହୀ ଓ ମାଏରା ମୋରେ ମଧ୍ୟ ପଦକ ଜିତିଛନ୍ତି। ୧୨ରୁ ୧୫ ବର୍ଷ ବୟସ ବର୍ଗର ପେୟାର ସ୍ଲାଲୋମ୍‌ରେ ଉଭୟେ ରୌପ୍ୟ ପଦକ ହାସଲ କରିଛନ୍ତି। ଫଳରେ ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ସମସ୍ତ ୩ ପ୍ରତିଯୋଗୀ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ସଫଳତା ରାଜ୍ୟରେ ସ୍କେଟିଂ ଓ ରୋଲର୍ ସ୍ପୋର୍ଟସ୍‌ର ବଢ଼ୁଥିବା ଲୋକପ୍ରିୟତାର ଏକ ଉଦାହରଣ। ଆଗାମୀ ଦିନରେ ଓଡ଼ିଶାରେ ରୋଲର୍ ସ୍ପୋର୍ଟସ୍‌କୁ ଅଧିକ ସୁଦୃଢ଼ କରିବା ପାଇଁ ବ୍ୟାପକ ଯୋଜନା ଉପରେ କାମ ହେଉଛି। ସ୍ପିଡ୍ ସ୍କେଟିଂ ସହିତ ଆର୍ଟିଷ୍ଟିକ୍ ସ୍କେଟିଂ, ଇନ୍‌ଲାଇନ୍ ଫ୍ରିଷ୍ଟାଇଲ୍, ରୋଲର୍ ହକି ଓ ସ୍କେଟ୍‌ବୋର୍ଡିଂ ଭଳି ବିଭିନ୍ନ ବିଭାଗକୁ ଆଗକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି।

ବିଦ୍ୟାଳୟ ଓ ଜିଲ୍ଲାସ୍ତରରୁ ପ୍ରତିଭା ଚିହ୍ନଟ କରିବା, ନିୟମିତ ପ୍ରଶିକ୍ଷଣ ଶିବିର ଓ କ୍ଲିନିକ୍ ଆୟୋଜନ କରିବା ସହିତ ଉନ୍ନତ ତାଲିମ୍ ସୁବିଧା ଯୋଗାଇବା ଯୋଜନାର ଅଂଶ ରହିଛି। ଏଥିସହ ଅନ୍ତର୍ଜାତୀୟ ମାନର ସିନ୍ଥେଟିକ୍ ବ୍ୟାଙ୍କଡ୍ ଟ୍ରାକ୍ ଏବଂ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି। ଓଡ଼ିଶା ସ୍କେଟିଂ ସଂଘ ଓ ଭାରତୀୟ ରୋଲର୍ ସ୍କେଟିଂ ମହାସଂଘର ଏଭଳି ପ୍ରୟାସ ରାଜ୍ୟର ଯୁବ ସ୍କେଟରମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ନୂଆ ସୁଯୋଗ ଦେବ। ଅନାହିତା, ବିଭାଂଶୀ ଓ ମାଏରାଙ୍କ ଏହି ସଫଳତା ଆଗାମୀ ଦିନରେ ଓଡ଼ିଶାରୁ ଆହୁରି ଅନେକ ସ୍କେଟିଂ ପ୍ରତିଭା ଆଗକୁ ଆସିବାର ଆଶା ସୃଷ୍ଟି କରିଛି।

You may also like

Leave a Comment