ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଆଉ ଏକ ବଡ଼ ଉପଲବ୍ଧି ଯୋଡ଼ିବାକୁ ଯାଉଛି। ଅଗଷ୍ଟ ୨୨ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (AFI) ଏବଂ ୱାର୍ଲ୍ଡ ଆଥଲେଟିକ୍ସର ସହଯୋଗରେ ଏହି ପ୍ରତିଯୋଗିତା ହେବ।
ଗତବର୍ଷ କଳିଙ୍ଗ ଷ୍ଟାଡିୟମରେ ଏହି ମିଟ୍ ବ୍ରୋଞ୍ଜ ବର୍ଗରେ ଆୟୋଜିତ ହୋଇଥିଲା। ଚଳିତବର୍ଷ ଏହାକୁ ସିଲଭର୍ ସ୍ତରକୁ ଉନ୍ନୀତ କରାଯାଇଛି। ୨୦୨୮ରେ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱ ଓ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପୂର୍ବରୁ ଏହି ଆୟୋଜନକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଭାବେ ଦେଖାଯାଉଛି।
ଏହି ଏକଦିନିଆ ମିଟ୍ରେ ୨୭ଟି ଦେଶର ପ୍ରାୟ ୧୮୮ ଜଣ ଆଥଲେଟ୍ ଭାଗ ନେବେ। ଏଥିରେ ୯୯ ଜଣ ଅନ୍ତର୍ଜାତୀୟ ଏବଂ ୮୮ ଜଣ ଭାରତୀୟ ଖେଳାଳି ରହିଛନ୍ତି। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସମେତ ବିଭିନ୍ନ ଦେଶର ଆଥଲେଟ୍ମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବେ।
ପୁରୁଷ ଓ ମହିଳା ବର୍ଗରେ ୯ଟି ଲେଖାଏଁ, ମୋଟ ୧୮ଟି ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟ ଆୟୋଜିତ ହେବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ପାଇଁ ନଗଦ ପୁରସ୍କାର ସହ ୱାର୍ଲ୍ଡ ର୍ୟାଙ୍କିଂ ପଏଣ୍ଟ ମଧ୍ୟ ମିଳିବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୧,୬୦୦, ୧,୨୦୦ ଓ ୯୦୦ ଡଲାର ପୁରସ୍କାର ରହିଛି।
ମିଟ୍ର ଆଉ ଏକ ବଡ଼ ଆକର୍ଷଣ ହେବ ବିଶ୍ୱ ର୍ୟାଙ୍କିଂର ଟପ୍-୫୦ରେ ଥିବା ୩୬ ଜଣ ଆଥଲେଟ୍ଙ୍କ ଅଂଶଗ୍ରହଣ। ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସର ୪୦୦ ମିଟର ବ୍ରୋଞ୍ଜ ପଦକ ବିଜେତା ମୁଜାଲା ସାମୁକୋଙ୍ଗାଙ୍କ ସହ ନାଇଜେରିଆର ଶଟପୁଟ୍ ଖେଳାଳି ଚୁକୱେବୁକା ଏନେକୱେଚି ମଧ୍ୟ ପ୍ରତିଯୋଗିତାରେ ନଜର ଆସିବେ।
କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟଙ୍କ ସୂଚନା ଅନୁଯାୟୀ, ଆଥଲେଟିକ୍ସ ପ୍ରତି ଯୁବପିଢ଼ି ଓ ସାଧାରଣ ଲୋକଙ୍କ ଆଗ୍ରହ ବଢ଼ାଇବା ପାଇଁ ଷ୍ଟାଡିୟମରେ ପ୍ରବେଶ ନିଃଶୁଳ୍କ ରଖାଯାଇଛି। ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀମାନେ ସିଧାସଳଖ ଷ୍ଟାଡିୟମରେ ପହଞ୍ଚି ମ୍ୟାଚ୍ ଉପଭୋଗ କରିପାରିବେ।
ୱାର୍ଲ୍ଡ ଆଥଲେଟିକ୍ସ ଉପସଭାପତି ଡା. ଆଦିଲେ ସୁମାରିୱାଲା ମଧ୍ୟ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ଓ ଆୟୋଜନକୁ ପ୍ରଶଂସା କରିଛନ୍ତି। ତାଙ୍କ ମତରେ, ସିଲଭର୍ ମିଟ୍ରେ ଆଥଲେଟ୍ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ।
ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା ଏବଂ AFIର କୋଷାଧ୍ୟକ୍ଷ ବି. ଇ. ଷ୍ଟାନଲି ଉପସ୍ଥିତ ଥିଲେ। ଏହି ଆୟୋଜନ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ଓଡ଼ିଶାର ଭୂମିକା ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।
