Home SPORTSତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଚାମ୍ପିଅନ ଭାରତ; ଫାଇନାଲରେ ଶ୍ରୀଲଙ୍କା-ଏକୁ ୬୬ ରନ୍‌ରେ ପରାସ୍ତ

ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଚାମ୍ପିଅନ ଭାରତ; ଫାଇନାଲରେ ଶ୍ରୀଲଙ୍କା-ଏକୁ ୬୬ ରନ୍‌ରେ ପରାସ୍ତ

by Gulshan Pandey
0 comments

ଦାମ୍ବୁଲା: ତ୍ରିରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାର ଫାଇନାଲରେ ଭାରତ-ଏ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କା-ଏକୁ ୬୬ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି। ଦାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୭୭ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା-ଏ ଦଳ ୪୭.୧ ଓଭରରେ ୩୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଭାରତର ବିଜୟର ମୁଖ୍ୟ ନାୟକ ସାଜିଥିଲେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୨୯ଟି ବଲ୍‌ରେ ୧୦ଟି ଚୌକା ଓ ୮ଟି ଛକା ସହ ୯୪ ରନ୍‌ର ବିସ୍ଫୋରକ ଇନିଂସ ଖେଳି ସେ ଦଳକୁ ବଡ଼ ସ୍କୋର ଦେବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଅଧିନାୟକ ତିଲକ ବର୍ମା ୬୭ ରନ୍‌ କରିଥିବା ବେଳେ ଋତୁରାଜ ଗାଏକୱାଡ଼ ୪୦, ପ୍ରିୟାଂଶ ଆର୍ଯ୍ୟ ଓ ଅନୁକୁଳ ରାୟ ୩୯ ଲେଖାଏଁ ରନ୍‌ ଯୋଗ କରିଥିଲେ।

୩୭୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା-ଏ ଦଳ ଆରମ୍ଭରେ କିଛିଟା ସଂଘର୍ଷ କରିଥିଲା। ସଦିରା ସମରୱିକ୍ରମା ୫୨ ରନ୍‌ ଏବଂ ୱାନୁଜା ସାହାନ ୬୨ ରନ୍‌ କରି ଦଳକୁ ଲଢ଼େଇରେ ରଖିଥିଲେ। ଏହାଛଡ଼ା ବିଜୟକାନ୍ତ ବ୍ୟାସକାନ୍ତ ୩୯ ଓ ସାହାନ ଆର୍ଚ୍ଚିଗେ ୩୮ ରନ୍‌ କରିଥିଲେ। ତେବେ ନିୟମିତ ବ୍ୟବଧାନରେ ୱିକେଟ୍‌ ପତନ ଯୋଗୁଁ ଦଳ ଲକ୍ଷ୍ୟର ନିକଟରେ ପହଞ୍ଚି ପାରିନଥିଲା।

ଭାରତ ପକ୍ଷରୁ ୟଶ ଠାକୁର ଓ ବିପ୍ରାଜ ନିଗମ ୩ଟି ଲେଖାଏଁ ୱିକେଟ୍‌ ନେଇ ବୋଲିଂରେ ଚମକିଥିଲେ। ଅନୁକୁଳ ରାୟ ୨ଟି ୱିକେଟ୍‌ ହାସଲ କରିଥିବା ବେଳେ ଅଶୋକ ଶର୍ମା ଓ ତିଲକ ବର୍ମା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।

ଟସ୍‌ ଜିତି ଶ୍ରୀଲଙ୍କା-ଏ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ବ୍ୟାଟରମାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ପରେ ବୋଲରମାନଙ୍କ ନିୟନ୍ତ୍ରିତ ପ୍ରଦର୍ଶନ ଦଳକୁ ସହଜ ବିଜୟ ସହ ଟ୍ରଫି ଜିତାଇଥିଲା। ଏହି ବିଜୟ ସହ ତିଲକ ବର୍ମାଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଚାମ୍ପିଅନ ହୋଇଛି।

You may also like

Leave a Comment