୨୦୨୩ରେ ପ୍ରେକ୍ଷାଳୟକୁ ଆସିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅଧୁରା ପ୍ରେମ କାହାଣୀ’ ଏବେ ଟେଲିଭିଜନ୍ ଦର୍ଶକଙ୍କ ପାଇଁ ପ୍ରସ୍ତୁତ। ଅକ୍ଟୋବର ୪ ତାରିଖରେ ଜୀ-ସାର୍ଥକରେ ଏହି ସିନେମାର ଟେଲିଭିଜନ୍ ପ୍ରିମିୟର ହେବ। ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଦର୍ଶକ ଏହାକୁ ଦେଖିପାରିବେ।
ନିରଞ୍ଜନ ବାରିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର କାହାଣୀ ଜଣେ ଯୁବ ଗାୟକ ରାହୁଲଙ୍କ ଜୀବନ ଓ ତାଙ୍କ ପ୍ରେମକୁ କେନ୍ଦ୍ର କରି ଆଗକୁ ବଢ଼ିଛି। ସଂଗୀତ କ୍ଷେତ୍ରରେ ସଂଘର୍ଷ କରୁଥିବା ସମୟରେ ତାଙ୍କ ପ୍ରେମିକା କିରଣ ରାହୁଲଙ୍କୁ ନିରନ୍ତର ସମର୍ଥନ ଓ ଉତ୍ସାହ ଦେଇଥାନ୍ତି। ତେବେ ରାହୁଲ ନିଜ କ୍ୟାରିୟରରେ ସଫଳତା ହାସଲ କରିବା ପରେ ତାଙ୍କ ଜୀବନରେ ଅଙ୍କିତାଙ୍କ ଆଗମନ ହୁଏ।
ଏହାପରେ ରାହୁଲଙ୍କ ବ୍ୟକ୍ତିଗତ ଜୀବନରେ ଆସେ ନୂଆ ମୋଡ଼। ପ୍ରେମ, ସମ୍ପର୍କ ଓ ପରିସ୍ଥିତିର ଦ୍ୱନ୍ଦ୍ୱ ମଧ୍ୟରେ ଏକ ସୁନ୍ଦର ପ୍ରେମ କାହାଣୀ କିପରି ଅସମ୍ପୂର୍ଣ୍ଣ ରହିଯାଏ, ସେହି ଭାବନାକୁ ଫିଲ୍ମରେ ଚିତ୍ରଣ କରାଯାଇଛି। ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ଶୁଭାଶିଷ, ସୂର୍ଯ୍ୟମୟୀ, ପୁନମ୍, ଶ୍ରୀତମ୍ ଦାସ ଓ ପ୍ରଜ୍ଞା ଖଟୁଆ ଅଭିନୟ କରିଛନ୍ତି। ଜ୍ୟୋତି କିଶୋର ଦାଶ ଓ ରଜତ ମହାପାତ୍ର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏବେ ଟେଲିଭିଜନ୍ ପ୍ରିମିୟର ଜରିଆରେ ଏହି ଓଡ଼ିଆ ସିନେମା ପୁଣିଥରେ ଦର୍ଶକଙ୍କ ନିକଟରେ ପହଞ୍ଚିବ।
