ଓଲିଉଡ୍ରେ ଦୁଇ ଦଶକର ଯାତ୍ରା ପୂରଣ କରିଥିବା ଅନେକ କଳାକାର ନିଜ ଅଭିନୟ ଓ ପରିଶ୍ରମ ବଳରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଅରିନ୍ଦମ ରାୟ, ବୁଦ୍ଧାଦିତ୍ୟ ମହାନ୍ତି, ସମରେଶ ରାଉତରାୟ, ଜୀନା ସାମଲ, ଚନ୍ଦନ କର ଓ ଦେବଯାନୀ ଦେଗୁରିଆଙ୍କ ଭଳି କଳାକାରଙ୍କ ଓଲିଉଡ୍ ଯାତ୍ରା ୨୦୦୬ ମସିହା ଆଖପାଖରୁ ଆରମ୍ଭ ହୋଇଥିଲା। ଏହି ଦୀର୍ଘ ସମୟ ମଧ୍ୟରେ କେହି ନାୟକ, କେହି ନାୟିକା, ଆଉ କେହି ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ନିଜ ପରିଚୟ ଗଢ଼ିଛନ୍ତି।
ଅରିନ୍ଦମ ରାୟ:
୨୦୦୬ରେ ‘ପ୍ରେମଋତୁ ଆସିଲାରେ’ ଚଳଚ୍ଚିତ୍ରରୁ ଅରିନ୍ଦମ ରାୟ ଓଲିଉଡ୍ରେ ନାୟକ ଭାବେ ପାଦ ରଖିଥିଲେ। ଫିଲ୍ମଟି ସଫଳ ହେବା ପରେ ତାଙ୍କ କ୍ୟାରିୟର ଆଗକୁ ବଢ଼ିଥିଲା। ପରବର୍ତ୍ତୀ ସମୟରେ ‘ତୋ ପାଇଁ ନେବି ଶହେ ଜନମ’, ‘ମୁଁ ତତେ ଲଭ କରୁଚି’, ‘ଏ ମନ ମାନେନା’, ‘ରୋମିଓ ଦ ଲଭରବୟ’, ‘ପର୍ଶୁରାମ’, ‘ପ୍ରେମରେ ପ୍ରେମରେ’, ‘ଭଉଁରୀ’, ‘ତୁ ରାଜା ମୁଁ ରାଣୀ’, ‘ଅଶୋକ ସମ୍ରାଟ’, ‘ହିରୋ’, ‘କ୍ରିମିନାଲ’, ‘କାଳୀଶଙ୍କର’, ‘ରୋମିଓ ଜୁଲିଏଟ୍’, ‘ଇସ୍କ ପୁଣିଥରେ’, ‘ଶିବା ନଟ୍ଆଉଟ୍’, ‘କଳ୍କୀ’, ‘ଲଭ ୟୁ ହମେଶା’, ‘ବାବୁ ଭାଇଜାନ’ ଓ ‘ରାମ୍’ ସମେତ ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି।
ବୁଦ୍ଧାଦିତ୍ୟ ମହାନ୍ତି:
ଅଭିନେତ୍ରୀ ମାଳବିକା ରାୟଙ୍କ ପୁଅ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୟ ଯାତ୍ରା ମଧ୍ୟ ୨୦୦୬ରୁ ଆରମ୍ଭ ହୋଇଥିଲା। ‘ଆଇ ଲଭ ମାଇଁ ଇଣ୍ଡିଆ’ ତାଙ୍କ ପ୍ରଥମ ସିନେମା। ପରେ ‘ନନ୍ଦିନୀ ଆଇ ଲଭ ୟୁ’, ‘ପ୍ରେମରୋଗୀ’, ‘ତୁ ଥିଲେ ମୋ ଡର କାହାକୁ’, ‘ପାଗଳ କରିଚି ପାଉଁଜି ତୋର’, ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’, ‘ଓମ୍ ସାଇ ରାମ୍’, ‘ଲୋଫର୍’, ‘ବାଏ ବାଏ ଦୁବାଇ’, ‘ସଙ୍ଗମ୍’, ‘ଜଗା ହାତରେ ପଘା’, ‘ଶ୍ରୀମାନ ସୁରଦାସ’ ଏବଂ ‘ଡେଲିଭରି ବୟ’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି।
ଚନ୍ଦନ କର:
‘ବାବୁ ଆଇ ଲଭ ୟୁ’ ମାଧ୍ୟମରେ ୨୦୦୬ରେ ନାୟକ ଭାବେ ଚନ୍ଦନ କର ଓଲିଉଡ୍ରେ ପ୍ରବେଶ କରିଥିଲେ। ଅର୍ଚ୍ଚିତାଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିଥିଲେ। ପରେ ‘ଦେ ମା’ ଶକ୍ତି ଦେ’, ‘ଛାତିରେ ଲେଖିଛି ତୋରି ନାଆଁ’, ‘ରଙ୍ଗିଲା ବାବା’, ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’, ‘ଟଙ୍କା ତତେ ସଲାମ୍’, ‘ନିଝୁମ୍ ରାତିର ସାଥୀ’ ଓ ‘ମହର୍ଷି’ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ନାୟକ ଭୂମିକା ସହ କିଛି ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ମଧ୍ୟ ତାଙ୍କୁ ଦେଖାଯାଇଛି।
ସମରେଶ ରାଉତରାୟ:
‘ମୋ ସୁନାପୁଅ’ ଚଳଚ୍ଚିତ୍ରରୁ ୨୦୦୬ରେ ଅଭିନୟ ଆରମ୍ଭ କରିଥିଲେ ସମରେଶ ରାଉତରାୟ। ପରବର୍ତ୍ତୀ ସମୟରେ ସେ ଓଲିଉଡ୍ର ଜଣେ ଦକ୍ଷ ଚରିତ୍ର ଓ ଖଳନାୟକ ଅଭିନେତା ଭାବେ ନିଜର ଦୃଢ଼ ପରିଚୟ ତିଆରି କରିଥିଲେ। ତାଙ୍କ ନାୟକ ଭୂମିକାର ଉଲ୍ଲେଖନୀୟ ଫିଲ୍ମ ମଧ୍ୟରେ ‘ଧଉଳି ଏକ୍ସପ୍ରେସ୍’ ଓ ‘ନାମର୍ଦ’ ରହିଛି।
ଜୀନା ସାମଲ:
ଆଲବମ୍ ଜଗତରୁ ଆସି ଜୀନା ସାମଲ ସିନେମାରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ୨୦୦୬ର ‘ଫେରିଆ ମୋ ସୁନାଭଉଣୀ’ ତାଙ୍କ ପ୍ରଥମ ଫିଲ୍ମ ଥିଲା। ଏଥିରେ ବବି ମିଶ୍ରଙ୍କ ସହ ସେ ଅଭିନୟ କରିଥିଲେ। ପରେ ‘ସେ ଝିଅଟା ବିଗିଡ଼ିଗଲା’, ‘ପ୍ରେମର ନିଶା ନିଆରା ନିଆରା’, ‘ରଘୁ ସର୍ଦ୍ଦାର’, ‘ଆଇଲାରେ ଓଡ଼ିଆପୁଅ’, ‘ତୁ ଥା ମୁଁ ଯାଉଛି ରୁଷି’, ‘ଶୁଭବିବାହ’, ‘ଗଡ଼ବଡ଼’ ଓ ‘ଭାଇନା କ’ଣ କଲା ସେ’ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି।
ଦେବଯାନୀ ଦେଗୁରିଆ:
ଦେବଯାନୀ ଦେଗୁରିଆଙ୍କ ଫିଲ୍ମ ଯାତ୍ରା ମଧ୍ୟ ୨୦୦୬ରୁ ଆରମ୍ଭ ହୋଇଥିଲା। ‘ଆଇ ଲଭ ମାଇଁ ଇଣ୍ଡିଆ’ରେ ସେ ସହନାୟିକା ଭାବେ ଅଭିନୟ କରିଥିଲେ। ଏହାପରେ ‘ରଙ୍ଗିଲା ଟୋକା’, ‘ଇନ୍ଦ୍ରଜାଲ’, ‘ଡନ୍’, ‘ପାଗଳ ପ୍ରେମୀ’, ‘ସଲାମ୍ ସିନେମା’, ‘ଖାସ୍ ତୁମରି ପାଇଁ’ ଓ ‘ଭଗିଆ ଭାରିଯା’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦେଖିବାକୁ ମିଳିଛି।
