ଦୀର୍ଘଦିନ ପରେ ପୁଣିଥରେ ଭାରତୀୟ ଦଳର ଜର୍ସିରେ ନଜର ଆସିବେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ତେବେ ସିନିୟର ଟିମ୍ ଇଣ୍ଡିଆରେ ନୁହେଁ, ହଂକଂ ସିକ୍ସ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ତାଙ୍କୁ ସାମିଲ କରାଯାଇଛି। ଏହି ଦଳର ଅଧିନାୟକ ଭାବେ ଭୁବନେଶ୍ୱର କୁମାରଙ୍କୁ ଦାୟିତ୍ୱ ମିଳିଛି।
ସୋମବାର ହଂକଂ ସିକ୍ସ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଭୁବନେଶ୍ୱରଙ୍କ ବ୍ୟତୀତ ଦଳରେ କ୍ରୁଣାଲ ପାଣ୍ଡ୍ୟା, ଶଶାଙ୍କ ସିଂହ, ନିତୀଶ ରାଣା, ଟି. ନଟରାଜନ, ରାହୁଲ ତେୱାତିଆ ଓ ରାହୁଲ ତ୍ରିପାଠୀଙ୍କ ଭଳି ଅଭିଜ୍ଞ ଓ ଆଇପିଏଲ୍ରେ ନିଜ ଦକ୍ଷତା ଦେଖାଇଥିବା ଖେଳାଳି ରହିଛନ୍ତି।
ଭୁବନେଶ୍ୱରଙ୍କ ଟିମ୍ ଇଣ୍ଡିଆକୁ ଫେରିବା ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିଲା। ଭାରତ ପାଇଁ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୨ ନଭେମ୍ବରରେ ଖେଳିଥିଲେ। ଏହାପରେ ସେ ଭାରତୀୟ ହ୍ୱାଇଟ୍-ବଲ୍ ଦଳରୁ ବାଦ ପଡ଼ିଥିଲେ। ଏବେ ହଂକଂ ସିକ୍ସ ଜରିଆରେ ପୁଣି ଭାରତୀୟ ଜର୍ସି ପିନ୍ଧିବାର ସୁଯୋଗ ପାଇଛନ୍ତି।
୩୦ ଅକ୍ଟୋବରରୁ ଆରମ୍ଭ ହେବ ହଂକଂ ସିକ୍ସ
ହଂକଂ ସିକ୍ସ ସିରିଜ ଅକ୍ଟୋବର ୩୦ରୁ ଆରମ୍ଭ ହୋଇ ନଭେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି।
ପୁଲ୍-ଏ: ହଂକଂ ଚାଇନା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ
ପୁଲ୍-ବି: ଶ୍ରୀଲଙ୍କା, ବାଂଲାଦେଶ ଓ ସ୍କଟଲାଣ୍ଡ
ପୁଲ୍-ସି: ଭାରତ, ପାକିସ୍ତାନ ଓ ୟୁଏଇ
ପୁଲ୍-ଡି: ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ଓମାନ
ତେବେ ଏପର୍ଯ୍ୟନ୍ତ ମ୍ୟାଚ୍ର ସମ୍ପୂର୍ଣ୍ଣ ଫିକ୍ସଚର ପ୍ରକାଶ ପାଇନାହିଁ। ତେଣୁ ଭୁବନେଶ୍ୱର କୁମାର ନେତୃତ୍ୱାଧୀନ ଭାରତୀୟ ଦଳ କେବେ ପ୍ରଥମ ମ୍ୟାଚ୍ ଖେଳିବ, ତାହା ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ୱରଙ୍କ ଅନ୍ତର୍ଜାତୀୟ କ୍ୟାରିୟର
ଭାରତ ପାଇଁ ଭୁବନେଶ୍ୱର କୁମାର ୨୧ଟି ଟେଷ୍ଟ, ୧୨୧ଟି ଦିନିକିଆ ଓ ୮୭ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ୩୭ଟି ଇନିଂସରୁ ତାଙ୍କ ନାମରେ ୬୩ଟି ୱିକେଟ୍ ରହିଛି। ସେହିପରି ଦିନିକିଆରେ ୧୨୦ଟି ଇନିଂସରୁ ୧୪୧ଟି ୱିକେଟ୍ ଏବଂ ଟି-୨୦ ଅନ୍ତର୍ଜାତୀୟରେ ୯୦ଟି ୱିକେଟ୍ ନେଇଛନ୍ତି।
ଟେଷ୍ଟ ଦଳରୁ ଭୁବନେଶ୍ୱର ୨୦୧୮ରୁ ବାହାରେ ଥିବାବେଳେ ୨୦୨୨ ପରଠାରୁ ଭାରତର ହ୍ୱାଇଟ୍-ବଲ୍ ଦଳରେ ମଧ୍ୟ ସ୍ଥାନ ପାଇନାହାନ୍ତି। ଏବେ ହଂକଂ ସିକ୍ସରେ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଏହି ପ୍ରତିଯୋଗିତା ଭୁବନେଶ୍ୱରଙ୍କ ପାଇଁ ପୁଣିଥରେ ଟିମ୍ ଇଣ୍ଡିଆର ସିନିୟର ଦଳକୁ ଫେରିବାର ରାସ୍ତା ଖୋଲିବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ହଂକଂ ସିକ୍ସ ପାଇଁ ଭାରତୀୟ ଦଳ
ଭୁବନେଶ୍ୱର କୁମାର (ଅଧିନାୟକ), କ୍ରୁଣାଲ ପାଣ୍ଡ୍ୟା, ଶଶାଙ୍କ ସିଂହ, ନିତୀଶ ରାଣା, ଟି. ନଟରାଜନ, ରାହୁଲ ତେୱାତିଆ ଓ ରାହୁଲ ତ୍ରିପାଠୀ।
