Home » Blog » ଲଗାତାର ଦ୍ୱିତୀୟ ଥର ICC ଚେୟାରମ୍ୟାନ ହେଲେ ଜୟ ଶାହ

ଲଗାତାର ଦ୍ୱିତୀୟ ଥର ICC ଚେୟାରମ୍ୟାନ ହେଲେ ଜୟ ଶାହ

by Archana Singh
0 comments

ପୁଣି ଥରେ ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପଦରେ ଜୟ ଶାହ। ଲଗାତାର ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ICCର ଚେୟାରମ୍ୟାନ ଭାବେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ICC ବୋର୍ଡ ବୈଠକରେ ତାଙ୍କ ନାମ ଉପରେ ସହମତି ପ୍ରକାଶ କରିଥିଲେ ସମସ୍ତ ନିର୍ଦ୍ଦେଶକ। ଏହି ପଦ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ଜୟ ଶାହଙ୍କୁ ପୁଣି ଥରେ ଚେୟାରମ୍ୟାନ ଭାବେ ଚୟନ କରାଯାଇଛି।

ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଜୟ ଶାହ। ICC ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଇବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଆଗାମୀ ଦିନରେ କ୍ରିକେଟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ସହ ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବା ଏବଂ ଖେଳର ଲୋକପ୍ରିୟତା ବଢ଼ାଇବା ଦିଗରେ ସମସ୍ତ ସଦସ୍ୟ ଦେଶଙ୍କ ସହ ମିଶି କାମ କରିବେ ବୋଲି କହିଛନ୍ତି।

ବିଶେଷକରି ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟର ପ୍ରତ୍ୟାବର୍ତ୍ତନକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ଅଲିମ୍ପିକ୍ସ ମାଧ୍ୟମରେ କ୍ରିକେଟକୁ ନୂଆ ଦର୍ଶକଙ୍କ ପାଖରେ ପହଞ୍ଚାଇବାର ବଡ଼ ସୁଯୋଗ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୪ ମସିହାରେ ପ୍ରଥମ ଥର ପାଇଁ ICC ଚେୟାରମ୍ୟାନ ପଦ ସମ୍ଭାଳିଥିଲେ ଜୟ ଶାହ। ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ୩୬ ବର୍ଷ ବୟସରେ ICCର ସର୍ବକନିଷ୍ଠ ଚେୟାରମ୍ୟାନ ହେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ଆଉ ଏବେ ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ କ୍ରିକେଟର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ଜୟ ଶାହ।

You may also like

Leave a Comment