ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ବୁମ୍ରା ମୋଟ ୨୬ ଓଭର ବୋଲିଂ କରିଥିଲେ। ଏହି ସମୟ ମଧ୍ୟରେ ୬ଟି ମେଡେନ୍ ଓଭର ସହ ୪୯ ରନ୍ ବ୍ୟୟ କରିଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବି ସଫଳତା ମିଳିନଥିଲା। ତାଙ୍କ ବୋଲିଂ ଫିଗର ରହିଥିଲା ୨୬-୬-୪୯-୦। ଅର୍ଥାତ୍ ଇକୋନୋମି ରେଟ୍ ମାତ୍ର ୧.୯୦ ରହିଥିଲେ ମଧ୍ୟ ୱିକେଟ୍ ଖାତା ଖୋଲିପାରିନଥିଲେ ଏହି ଷ୍ଟାର୍ ବୋଲର।
ତେବେ ଏହା ବୁମ୍ରାଙ୍କ ପାଇଁ ପ୍ରଥମ ଘଟଣା ନୁହେଁ। ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଇନିଂସରେ ୨୬ ଓଭର ବୋଲିଂ କରି ମଧ୍ୟ ୱିକେଟ୍ ନପାଇବା ଘଟଣା ତାଙ୍କ କ୍ୟାରିୟରରେ ତୃତୀୟ ଥର ଘଟିଛି।
ଏହା ପୂର୍ବରୁ ୨୦୨୧ରେ ସାଉଥାମ୍ପଟନ୍ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ରେ ମଧ୍ୟ ବୁମ୍ରା ୨୬ ଓଭର ବୋଲିଂ କରିଥିଲେ। ସେତେବେଳେ ୫୭ ରନ୍ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ୍ ନେଇପାରିନଥିଲେ। ସେହି ବର୍ଷ ଲର୍ଡସ୍ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମଧ୍ୟ ୨୬ ଓଭର ବୋଲିଂ କରି ୭୯ ରନ୍ ଦେଇ ୱିକେଟ୍ଶୂନ୍ୟ ରହିଥିଲେ।
ତେବେ ଏହି ମ୍ୟାଚ୍ରେ ବୁମ୍ରାଙ୍କ ଇକୋନୋମି ରେଟ୍ କମ୍ ରହିବା ତାଙ୍କ ନିୟନ୍ତ୍ରିତ ବୋଲିଂକୁ ଦର୍ଶାଉଛି। ହେଲେ ୨୬ ଓଭର ବୋଲିଂ କରି ମଧ୍ୟ ୱିକେଟ୍ ନମିଳିବା ତାଙ୍କ ଟେଷ୍ଟ କ୍ୟାରିୟରର ଏକ ଅଲୋଡ଼ା ପରିସଂଖ୍ୟାନ ଭାବେ ଯୋଡ଼ି ହୋଇଛି।
