Home » Blog » ପୁଣି ମୁମ୍ବାଇର ମଙ୍ଗ ଧରିବେ ହିଟ୍‌ମ୍ୟାନ୍!

ପୁଣି ମୁମ୍ବାଇର ମଙ୍ଗ ଧରିବେ ହିଟ୍‌ମ୍ୟାନ୍!

by Archana Singh
0 comments

ପୁଣି ମୁମ୍ବାଇ ଇଣ୍ଡିଆନ୍ସର ମଙ୍ଗ ଧରିବେ କି ହିଟ୍‌ମ୍ୟାନ୍? ପୁଣି ଫେରିବ କି ମୁମ୍ବାଇର ପୁରୁଣା ବିଜୟ ପରମ୍ପରା? ଆଇପିଏଲ୍‌ର ୨୦ତମ ସଂସ୍କରଣ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଜୋରଦାର ଚର୍ଚ୍ଚା। ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି ନେତୃତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି। ତେବେ ଏହା ପଛରେ ରହିଥାଇପାରେ ଅନେକ ପ୍ରମୁଖ କାରଣ।

୨୦୨୦ ପରଠାରୁ ଆଇପିଏଲ୍ ଟ୍ରଫି ଜିତିପାରିନି ମୁମ୍ବାଇ ଇଣ୍ଡିଆନ୍ସ। ଦୀର୍ଘ ୬ ସିଜନର ଟ୍ରଫି ମରୁଡ଼ି ଦୂର କରିବା ସହ ଷଷ୍ଠ ଆଇପିଏଲ୍ ଟ୍ରଫି ହାସଲ କରିବାକୁ ପୁଣି ପୁରୁଣା ବିଜୟ ଫର୍ମୁଲା ଆପଣାଇପାରେ ଫ୍ରାଞ୍ଚାଇଜ୍।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତିନିଟି ସିଜନ ମଧ୍ୟରୁ ମାତ୍ର ଥରେ ପ୍ଲେଅଫ୍‌ରେ ପହଞ୍ଚିଥିଲା ମୁମ୍ବାଇ। ଦଳର ନିରାଶାଜନକ ପ୍ରଦର୍ଶନ ନେତୃତ୍ୱ ପରିବର୍ତ୍ତନର ଏକ ବଡ଼ କାରଣ ହୋଇଥାଇପାରେ। ସେପଟେ ହାର୍ଦ୍ଦିକ ପଞ୍ଜାବ କିଙ୍ଗ୍ସକୁ ଯିବା ନେଇ ଚର୍ଚ୍ଚା ମଧ୍ୟରେ ଅଧିନାୟକ ପଦ ପାଇଁ ରୋହିତଙ୍କ ନାଁ ଆଗରେ ରହିଛି।

ରୋହିତଙ୍କ ନେତୃତ୍ୱରେ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଆଇପିଏଲ୍ ଟ୍ରଫି ଜିତିଥିଲା ମୁମ୍ବାଇ। ଚାପପୂର୍ଣ୍ଣ ପରିସ୍ଥିତିରେ ସଠିକ୍ ନିଷ୍ପତ୍ତି ନେବା, ଦଳକୁ ଏକଜୁଟ୍ କରିବା ଓ ଖେଳାଳିଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବାରେ ରୋହିତଙ୍କ ଅଭିଜ୍ଞତା ବେଶ୍ ଗୁରୁତ୍ୱପୂର୍ଣ୍ଣ।

କେବଳ ଆଇପିଏଲ୍ ନୁହେଁ, ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ସଫଳ ଅଧିନାୟକ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ରୋହିତ। ତାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଓ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଛି। ଏହି ସଫଳତା ତାଙ୍କ ନେତୃତ୍ୱ ଦକ୍ଷତାକୁ ଆହୁରି ପ୍ରମାଣିତ କରିଛି।

ସେହିପରି ରୋହିତ ଶର୍ମା ଓ କିରନ ପୋଲାର୍ଡଙ୍କ ସମନ୍ୱୟ ମୁମ୍ବାଇର ପୂର୍ବ ସଫଳତାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ଯଶପ୍ରୀତ ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସହ ରୋହିତଙ୍କ ଭଲ ସମ୍ପର୍କ ଦଳରେ ଏକତା ଓ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରେ।

ଅନ୍ୟପଟେ, ମୁମ୍ବାଇ ପ୍ରଶଂସକଙ୍କ ମଧ୍ୟରେ ରୋହିତଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ଅଧିକ। ୨୦୨୪ ଆଇପିଏଲ୍ ପୂର୍ବରୁ ତାଙ୍କୁ ଅଧିନାୟକ ପଦରୁ ହଟାଯିବା ପରେ ଅନେକ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ପ୍ରଶଂସକଙ୍କ ମଧ୍ୟରେ ପୁଣି ନୂଆ ଉତ୍ସାହ ଭରିପାରେ।

ତିଲକ ବର୍ମାଙ୍କ ଭଳି ଯୁବ ଖେଳାଳିଙ୍କୁ ଭବିଷ୍ୟତର ନେତୃତ୍ୱ ପାଇଁ ପ୍ରସ୍ତୁତ କରିବାରେ ମଧ୍ୟ ରୋହିତଙ୍କ ଅଭିଜ୍ଞତା ବେଶ୍ ସହାୟକ ହୋଇପାରେ। ତେଣୁ ନୂଆ ନେତୃତ୍ୱକୁ ନେଇ ପରୀକ୍ଷାନିରୀକ୍ଷା କରିବା ପରିବର୍ତ୍ତେ ଜଣେ ପରୀକ୍ଷିତ ଓ ସଫଳ ଅଧିନାୟକଙ୍କ ଉପରେ ଭରସା କରିପାରେ ମୁମ୍ବାଇ।

ତେବେ ରୋହିତଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ କେବଳ ଅଧିନାୟକ ପରିବର୍ତ୍ତନ ନୁହେଁ, ବରଂ ମୁମ୍ବାଇ ଇଣ୍ଡିଆନ୍ସର ହୃତ ଗୌରବ ଫେରାଇ ଆଣିବା ଦିଗରେ ଏକ ବଡ଼ ପ୍ରୟାସ ହୋଇପାରେ।

You may also like

Leave a Comment