Home Nationalରିବାକିନାଙ୍କୁ ୬-୨, ୬-୩ରେ ହରାଇ ଚଳିତ ସିଜନ୍‌ର ପ୍ରଥମ ଟାଇଟଲ୍‌ ଜିତିଲେ ସ୍ୱିଆଟେକ୍‌

ରିବାକିନାଙ୍କୁ ୬-୨, ୬-୩ରେ ହରାଇ ଚଳିତ ସିଜନ୍‌ର ପ୍ରଥମ ଟାଇଟଲ୍‌ ଜିତିଲେ ସ୍ୱିଆଟେକ୍‌

by Akshay Maharana
0 comments

କାନାଡା ଓପନ୍‌ରେ ଚମକିଲେ ପୋଲାଣ୍ଡର ଟେନିସ୍‌ ତାରକା ଇଗା ସ୍ୱିଆଟେକ୍‌। ଗୁରୁବାର ଫାଇନାଲ୍‌ରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଏଲେନା ରିବାକିନାଙ୍କୁ ସିଧାସଳଖ ୬-୨, ୬-୩ ସେଟ୍‌ରେ ପରାସ୍ତ କରି ସ୍ୱିଆଟେକ୍‌ ଚଳିତ ସିଜନ୍‌ର ପ୍ରଥମ ଟାଇଟଲ୍‌ ହାସଲ କରିଛନ୍ତି। ୟୁଏସ୍‌ ଓପନ୍‌ ପୂର୍ବରୁ ଏହି ବିଜୟ ତାଙ୍କ ଆତ୍ମବିଶ୍ୱାସକୁ ନୂଆ ଉଚ୍ଚତା ଦେଇଛି।

କାନାଡା ଓପନ୍‌ରେ ଏହା ସ୍ୱିଆଟେକ୍‌ଙ୍କ ପ୍ରଥମ ଫାଇନାଲ୍‌ ଥିଲା। ଟରଣ୍ଟୋରେ ଉପସ୍ଥିତ ଦର୍ଶକମାନେ ‘ଇଗା! ଇଗା!’ ନାରା ଦେଇ ତାଙ୍କୁ ଉତ୍ସାହିତ କରିଥିଲେ। କୋର୍ଟରେ ସ୍ୱିଆଟେକ୍‌ଙ୍କ ଦ୍ରୁତ ଗତି ଓ ନିଖୁଣ ଶଟ୍‌ ଆଗରେ ରିବାକିନା ଅନେକ ସମୟରେ ଚାପରେ ରହିଥିଲେ।

ପ୍ରଥମ ସେଟ୍‌ରେ ରିବାକିନା ଦୁଇଥର ସର୍ଭିସ୍‌ ହରାଇଥିଲେ। ଏହା ସହିତ ସେ ୧୨ଟି ଅନଫୋର୍ସ୍ଡ ଏରର୍‌ କରିଥିବାରୁ ସ୍ୱିଆଟେକ୍‌ ସହଜରେ ୬-୨ରେ ସେଟ୍‌ ଜିତିଥିଲେ। ଦ୍ୱିତୀୟ ସେଟ୍‌ରେ ମଧ୍ୟ ସ୍ୱିଆଟେକ୍‌ ୩-୨ରେ ଆଗୁଆ ହେବା ପାଇଁ ରିବାକିନାଙ୍କ ସର୍ଭିସ୍‌ ବ୍ରେକ୍‌ କରିଥିଲେ। ରିବାକିନା ଗୋଟିଏ ଗେମ୍‌ ଫେରାଇଥିଲେ ମଧ୍ୟ ସ୍ୱିଆଟେକ୍‌ ଶେଷ ତିନିଟି ଗେମ୍‌ ଜିତି ମ୍ୟାଚ୍‌ ଶେଷ କରିଥିଲେ।

ରିବାକିନାଙ୍କ ପାଇଁ ଥକାଣ ମଧ୍ୟ ଏହି ମ୍ୟାଚ୍‌ରେ ବଡ଼ ସମସ୍ୟା ହୋଇଥିଲା। ଫାଇନାଲ୍‌ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ସେ ସ୍ୱିଆଟେକ୍‌ଙ୍କ ତୁଳନାରେ ପ୍ରାୟ ତିନି ଘଣ୍ଟା ଅଧିକ ସମୟ କୋର୍ଟରେ କାଟିଥିଲେ। ତାଙ୍କ ପୂର୍ବର ତିନୋଟି ମ୍ୟାଚ୍‌ ମଧ୍ୟ ତିନି ସେଟ୍‌ ପର୍ଯ୍ୟନ୍ତ ଯାଇଥିଲା। ଫଳରେ ଫାଇନାଲ୍‌ରେ ତାଙ୍କ ଗତି ଓ ଏକାଗ୍ରତା ପ୍ରଭାବିତ ହୋଇଥିଲା।

ବିଜୟ ପରେ ସ୍ୱିଆଟେକ୍‌ ଏକ ଭିନ୍ନ କଥା କହିଥିଲେ। ଟାଇଟଲ୍‌ ଜିତିବା ପରେ ଖୁସି ସହିତ ତାଙ୍କ ମନରେ ରାଗ ମଧ୍ୟ ଥିବା ସେ କହିଛନ୍ତି। ଚଳିତ ସିଜନ୍‌ରେ ଅସ୍ଥିର ପ୍ରଦର୍ଶନ, ଗ୍ରାଣ୍ଡସ୍ଲାମ୍‌ରେ କ୍ୱାର୍ଟରଫାଇନାଲ୍‌ରୁ ଆଗକୁ ଯାଇପାରିନଥିବା ଏବଂ ନିଜ ଦେଶର ଗଣମାଧ୍ୟମର ସମାଲୋଚନା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଏହା ମଧ୍ୟରେ ସେ ନିଜ କୋଚ୍‌ଙ୍କୁ ବଦଳାଇଛନ୍ତି।

ସ୍ୱିଆଟେକ୍‌ କହିଛନ୍ତି ଯେ, ଚାପ ଓ ସମାଲୋଚନା ସତ୍ତ୍ୱେ ସେ ନିଜ ଧୈର୍ଯ୍ୟ ଓ ଫୋକସ୍‌ ବଜାୟ ରଖିପାରିଛନ୍ତି। ପ୍ରତି ମାସରେ ନିଜକୁ ଉନ୍ନତ କରିବା ଜାରି ରଖିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି।

କାନାଡା ଓପନ୍‌ ଟାଇଟଲ୍‌ ସହ ବିଶ୍ୱ ରାଙ୍କିଂରେ ଅଷ୍ଟମ ସ୍ଥାନରେ ଥିବା ସ୍ୱିଆଟେକ୍‌ ପୁଣିଥରେ ଟପ୍‌-୫ରେ ପ୍ରବେଶ କରିବେ। ତାଙ୍କ ଆଗରେ ଏବେ ୟୁଏସ୍‌ ଓପନ୍‌ର ଚ୍ୟାଲେଞ୍ଜ। କାନାଡାରେ ଦମଦାର ପ୍ରଦର୍ଶନ ପରେ ଗ୍ରାଣ୍ଡସ୍ଲାମ୍‌ ମଞ୍ଚରେ ସ୍ୱିଆଟେକ୍‌ଙ୍କଠାରୁ ବଡ଼ ପ୍ରଦର୍ଶନ ଆଶା କରାଯାଉଛି।

You may also like

Leave a Comment