ବ୍ଲାକ୍ ସି’ରେ ଏକ କମର୍ଶିଆଲ୍ କାର୍ଗୋ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପରେ ହଇଚଇ ସୃଷ୍ଟି ହୋଇଛି। ତୁର୍କିଏର ମାଲିକାନାରେ ଥିବା MV ROYAD MAMMADOV ଜାହାଜ ଉପରେ ଏହି ଆକ୍ରମଣ ହୋଇଥିଲା। ଜାହାଜରେ ୩ ଜଣ ଭାରତୀୟ ନାଗରିକ ଥିଲେ। ଭାରତୀୟ ଦୂତାବାସ ଅନୁସାରେ, ତିନିଜଣ ଯାକ ସୁରକ୍ଷିତ ଅଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି ଏବଂ ରୋମାନିଆରେ ତାଙ୍କ ଚିକିତ୍ସା ଚାଲିଛି।
ରୋମାନିଆ କର୍ତ୍ତୃପକ୍ଷଙ୍କ ଅନୁସାରେ, ଘଟଣାରେ ଦୁଇ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଜାହାଜରୁ ୧୧ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଥିଲା ଏବଂ ପରେ ଏହା ସମୁଦ୍ରରେ ବୁଡ଼ିଯାଇଥିଲା।
ଜାହାଜରେ ଥିଲେ ୩ ଭାରତୀୟ
ରୋମାନିଆରେ ଥିବା ଭାରତୀୟ ଦୂତାବାସ ତିନି ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ସହ ଯୋଗାଯୋଗ କରିଛି। ଦୂତାବାସ କହିଛି ଯେ, ସମସ୍ତେ ସୁରକ୍ଷିତ ଅଛନ୍ତି। ଜଣେ ଭାରତୀୟ ଆହତ ହୋଇଥିବାରୁ ତାଙ୍କୁ ରୋମାନିଆର ହସ୍ପିଟାଲରେ ଚିକିତ୍ସା ଦିଆଯାଉଛି। ଭାରତୀୟ ଦୂତାବାସ ହସ୍ପିଟାଲ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି।
ଦୁଇ ଜଣଙ୍କ ମୃତ୍ୟୁ, ୧୧ ଉଦ୍ଧାର
ଘଟଣା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା। ରୋମାନିଆର ନୌସେନା ଓ ଉଦ୍ଧାରକାରୀ ଟିମ୍ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିଲେ। ୧୧ ଜଣଙ୍କୁ ବଞ୍ଚାଇ ନିଆଯାଇଥିବା ବେଳେ ଦୁଇ ଜଣ ବିଦେଶୀଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳ ରୋମାନିଆର ସମୁଦ୍ରତଟରୁ ପ୍ରାୟ ୨୫ରୁ ୩୦ ନଟିକାଲ୍ ମାଇଲ୍ ଦୂରରେ ଥିଲା ଏବଂ ରୋମାନିଆର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ମଧ୍ୟରେ ଥିଲା।
ୟୁକ୍ରେନ୍ ରାଷ୍ଟ୍ରପତି ରୁଷିଆକୁ ଦାୟୀ କଲେ
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏହି ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଦୁଇଟି ରୁଷୀୟ ଡ୍ରୋନ୍ ଜାହାଜକୁ ଟାର୍ଗେଟ୍ କରିଥିଲା। ତେବେ ରୁଷିଆ ପକ୍ଷରୁ ଏହି ନିର୍ଦ୍ଦିଷ୍ଟ ଘଟଣା ନେଇ ତତ୍କାଳ କୌଣସି ପ୍ରତିକ୍ରିୟା ଆସିନଥିଲା।
ଇଜମେଲରୁ ଇଟାଲୀ ଯାଉଥିଲା ଜାହାଜ
MV ROYAD MAMMADOV ଜାହାଜରେ ମକା ଲୋଡ୍ ହୋଇଥିଲା। ଏହା ୟୁକ୍ରେନ୍ର ଇଜମେଲ୍ ବନ୍ଦରରୁ ଇଟାଲୀର ରାଭେନା ବନ୍ଦର ଅଭିମୁଖେ ଯାଉଥିଲା। ଜାହାଜଟି ତୁର୍କିଏର ମାଲିକାନାରେ ଥିବାବେଳେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ର ପତାକା ତଳେ ଚାଲୁଥିଲା।
ବ୍ଲାକ୍ ସି’ରେ ବଢ଼ୁଛି ବିପଦ
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ବ୍ଲାକ୍ ସି’ରେ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ବିପଦ ଜାରି ରହିଛି। ଡ୍ରୋନ୍ ଆକ୍ରମଣ, ମିସାଇଲ୍ ଏବଂ ସମୁଦ୍ରରେ ଥିବା ମାଇନ୍ ଯୋଗୁଁ ଏହି ଅଞ୍ଚଳରେ ଜାହାଜ ଚଳାଚଳ ଏବେ ମଧ୍ୟ ଚ୍ୟାଲେଞ୍ଜିଂ ରହିଛି। ଏହି ଘଟଣା ପୁଣିଥରେ ବ୍ଲାକ୍ ସି’ରେ ବାଣିଜ୍ୟିକ ଜାହାଜର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
