Home » Blog » ଦୀପାବଳି ପରେ ବିଷ ବଳୟରେ ଦିଲ୍ଲୀ, ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ!

ଦୀପାବଳି ପରେ ବିଷ ବଳୟରେ ଦିଲ୍ଲୀ, ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ!

by Akshay Maharana
0 comments

ଦୀପାବଳି ପରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ସୋମବାର ପ୍ରଦୂଷଣ ସ୍ତର ଅଧିକ ବଢ଼ିଥିବା ବେଳେ ମଙ୍ଗଳବାର ଏଥିରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି। ପବନର ବେଗ ବଢ଼ିବା କାରଣରୁ ବାୟୁର ଗୁଣବତ୍ତାରେ କିଛିଟା ପରିବର୍ତ୍ତନ ଆସିଥିଲେ ମଧ୍ୟ ରାଜଧାନୀର ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ଏବେ ବି ବିପଜ୍ଜନକ ସ୍ଥିତିରେ ରହିଛି।

ଶୀତ ଋତୁ ଆସିବା ସହ ପ୍ରତିବର୍ଷ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ଗମ୍ଭୀର ରୂପ ଧାରଣ କରିଥାଏ। ପଡ଼ୋଶୀ ରାଜ୍ୟରେ ନଡ଼ା ଜାଳିବା, ଯାନବାହନରୁ ନିର୍ଗତ ଧୂଆଁ, ନିର୍ମାଣ କାର୍ଯ୍ୟରୁ ଉଡ଼ୁଥିବା ଧୂଳି ଏବଂ ପାଣିପାଗର ପରିବର୍ତ୍ତନ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ କରାଯିବା ସହ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ କରାଯାଇଛି।

ଏପଟେ ନୂଆଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୪୧୪ ରେକର୍ଡ କରାଯାଇଛି। ସେହିପରି ଦ୍ୱାରକା ଅଞ୍ଚଳରେ AQI ୪୪୪ ଏବଂ ମୟୂର ବିହାର ଷ୍ଟେସନ-୪ ଅଞ୍ଚଳରେ ୩୮୮ ରହିଛି। ଏହି ସଂଖ୍ୟା ରାଜଧାନୀର ବାୟୁ କେତେ ପ୍ରଦୂଷିତ ହୋଇଛି, ତାହା ସ୍ପଷ୍ଟ କରୁଛି। ସୋମବାର ଦିଲ୍ଲୀର ଅନେକ ସ୍ଥାନରେ ଘନ ଧୂଆଁ ଓ ଧୂଳିର ଆସ୍ତରଣ ଦେଖିବାକୁ ମିଳିଥିଲା।

ବଢ଼ୁଥିବା ପ୍ରଦୂଷଣ ଏବେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମୁଣ୍ଡବିନ୍ଧା, ଶୁଖିଲା କାଶ, ଆଖିରେ ଜ୍ୱଳନ ଏବଂ ଗଳାରେ ଯନ୍ତ୍ରଣା ଭଳି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ଶିଶୁ, ବୟସ୍କ ଏବଂ ଶ୍ୱାସରୋଗୀଙ୍କ ପାଇଁ ଏହି ପ୍ରଦୂଷିତ ବାୟୁ ଅଧିକ କ୍ଷତିକାରକ ହୋଇପାରେ।

ଏଭଳି ପରିସ୍ଥିତିରେ ଅତି ଆବଶ୍ୟକ ନଥିଲେ ବାହାରକୁ ନଯିବା, ବାହାରକୁ ଗଲେ N95 ମାସ୍କ ବ୍ୟବହାର କରିବା ଏବଂ ବ୍ୟକ୍ତିଗତ ଗାଡ଼ି ପରିବର୍ତ୍ତେ ସାଧାରଣ ପରିବହନକୁ ପ୍ରାଥମିକତା ଦେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

You may also like

Leave a Comment