Home Cultureରଥଖଳାରେ ଜୋରଦାର ରଥ ନିର୍ମାଣ: ଶେଷ ହେଲା ଦୁଆର ବେଢ଼ା ରଙ୍ଗ କାର୍ଯ୍ୟ

ରଥଖଳାରେ ଜୋରଦାର ରଥ ନିର୍ମାଣ: ଶେଷ ହେଲା ଦୁଆର ବେଢ଼ା ରଙ୍ଗ କାର୍ଯ୍ୟ

by Gulshan Pandey
0 comments

ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଜି ରଥ ନିର୍ମାଣର ୬୭ତମ ଦିବସରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ବିଭିନ୍ନ ସେବକମାନେ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।

ତିନି ରଥର ୧୨ଟି ଦୁଆର ବେଢ଼ାର ରଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଚାରମାଳ ପାଇଁ ମାଲ କାଠ ହଣା କାମ ଜାରି ରହିଛି। ସେହିପରି ବେଦି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ବେଦି ସିଂହାସନ ପ୍ରସ୍ତୁତି ପାଇଁ ମହାରଣା ଓ ଭୋଇ ସେବକମାନଙ୍କ ସହଯୋଗରେ ୫ଟି ଜଗତ ପୃଷ୍ଠରେ ସେଣି ପଡ଼ି କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବେଦିର ପରିସର ବଢ଼ାଇବା ପାଇଁ ଉଭୟ ପାର୍ଶ୍ୱରେ ୬ଟି ବାହୁଟ ଫାଳିଆ ସଂଯୋଗ କରାଯାଇଛି।

ଅନ୍ୟପକ୍ଷରେ, କନକ ମୁଣ୍ଡି ସେଟିଂ ପାଇଁ ଚାରି ପାର୍ଶ୍ୱରେ ୧୬ଟି କାଠ ସ୍ଥାପନ କରାଯାଉଛି। ରୂପକାର ସେବକମାନେ ପ୍ରଭାରେ ସୂକ୍ଷ୍ମ ରୂପ ଖୋଦେଇ କାର୍ଯ୍ୟ କରୁଥିବା ବେଳେ ପଠାଗୁଜ ଓ ଅନ୍ୟାନ୍ୟ ମରାମତି କାମ ମଧ୍ୟ ଚାଲିଛି।

ଦୁଆର ବେଢ଼ାରେ ପ୍ରାଇମର୍ ରଙ୍ଗ ଲଗାଯିବା ପରେ ବର୍ତ୍ତମାନ ରାହୁ ରୂପ ଚିତ୍ର ଅଙ୍କନ କରାଯାଉଛି। ସେହିପରି ରଥର ଚକରେ ରଙ୍ଗ କାର୍ଯ୍ୟ ସହ ରାହୁମୁଖ ଓ ଛାୟା-ମାୟା ଚିତ୍ରାଙ୍କନ ଜାରି ରହିଛି।

କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ପ୍ରଭା କଣ୍ଟା, ବେଦି କଣ୍ଟା, ଘୋଡ଼ା ବାଗିଆ, ସାରଥୀ ବାଗିଆ କଣ୍ଟା ଓ ଦୁଆର ବେଢ଼ା ପାଇଁ ଚଉରସ କଣ୍ଟା ନିର୍ମାଣରେ ବ୍ୟସ୍ତ ଅଛନ୍ତି।

ଏହା ସହ ପାହି ମହାରଣାମାନେ ରଥଯାତ୍ରା ସମୟରେ ସେବା-ପୂଜା ନୀତି ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି।

You may also like

Leave a Comment