ପାକିସ୍ତାନରେ ଶନିବାର ସକାଳେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ୟୁରୋପିୟ-ମେଡିଟେରେନିଆନ ସିସ୍ମୋଲଜିକାଲ ସେଣ୍ଟର (EMSC) ଅନୁସାରେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଦେଶର ଅନେକ ସ୍ଥାନରେ ଏହି ଝଟ୍କା ଅନୁଭୂତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ।
EMSC ସୂଚନା ଅନୁସାରେ, ସ୍ଥାନୀୟ ସମୟ ସକାଳ ୮ଟା ୩୬ ମିନିଟରେ ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା। ଏହି କାରଣରୁ ଅନେକ ଅଞ୍ଚଳରେ ଭୂକମ୍ପର ଝଟ୍କା ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିଲା।
ଅନ୍ୟପକ୍ଷରେ, ଆମେରିକାର ଭୂତତ୍ତ୍ୱ ସର୍ଭେ ସଂସ୍ଥା (USGS) କହିଛି ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ବରଖାନ ପ୍ରଦେଶରୁ ପ୍ରାୟ ୬୩ କିଲୋମିଟର ଉତ୍ତର-ପୂର୍ବ ଦିଗରେ ଥିଲା।
ସମ୍ବାଦ ସଂସ୍ଥା ରଏଟର୍ସ ଅନୁସାରେ, ପାକିସ୍ତାନର ଅନେକ ଅଞ୍ଚଳରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ କିମ୍ବା ବଡ଼ କ୍ଷତିର ଖବର ମିଳିନାହିଁ। ସରକାର ଓ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଏହାର ପୂର୍ବ ଦିନ ଶୁକ୍ରବାର ମଧ୍ୟ ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭୂକମ୍ପ ଘଟଣା ଯୋଗୁଁ ସେଠାକାର ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
ଏହାପୂର୍ବରୁ ଭାରତର ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜି (NCS) ଶୁକ୍ରବାର ସନ୍ଧ୍ୟାରେ ସେଲେବେସ ସାଗରରେ ରିକ୍ଟର ସ୍କେଲରେ ୬.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିବା ସୂଚନା ଦେଇଥିଲା। ଏହାସହ ଏହି ସପ୍ତାହରେ ଭେନେଜୁଏଲାରେ ମଧ୍ୟ ଦୁଇଟି ଭୂକମ୍ପ ଘଟିଥିଲା, ଯାହା ଚିନ୍ତା ବଢ଼ାଇଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ, ପାକିସ୍ତାନ ଭାରତୀୟ ଓ ୟୁରେସିଆନ ଟେକ୍ଟୋନିକ ପ୍ଲେଟର ସଂଘର୍ଷ ଅଞ୍ଚଳରେ ରହିଥିବାରୁ ସେଠାରେ ବାରମ୍ବାର ଭୂକମ୍ପ ହୋଇଥାଏ। ବାଲୁଚିସ୍ତାନ, ଖାଇବର ପଖ୍ତୁନଖ୍ୱା, ଗିଲଗିଟ-ବାଲ୍ଟିସ୍ତାନ, ପଞ୍ଜାବ ଏବଂ ସିନ୍ଧ ଭଳି ଅଞ୍ଚଳଗୁଡ଼ିକ ଭୂକମ୍ପ ଦୃଷ୍ଟିରୁ ଅଧିକ ସମ୍ବେଦନଶୀଳ ବୋଲି ମନାଯାଏ। ସେଥିପାଇଁ ଏହି ଅଞ୍ଚଳଗୁଡ଼ିକରେ ସମୟ ସମୟରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥାଏ।
