Home Featured୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ଚାଲିଲା ଏକାଧିକ ସ୍ଥାନରେ ଚଢ଼ାଉ

୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ଚାଲିଲା ଏକାଧିକ ସ୍ଥାନରେ ଚଢ଼ାଉ

by Gulshan Pandey
0 comments

ନବରଙ୍ଗପୁର ଜିଲ୍ଲାରେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତେନାତ ଧରିଛି। ଏହାପରେ ଅଭିଯୁକ୍ତଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଏକାସାଙ୍ଗେ ଚଢ଼ାଉ ମଧ୍ୟ କରାଯାଇଛି। ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗକୁ ନେଇ ଏହି ତଦନ୍ତ ଚାଲିଛି।

ଧରାପଡ଼ିଥିବା ଅଧିକାରୀଙ୍କ ନାମ ପ୍ରଫୁଲ୍ଲ ହାଲଦାର। ସେ ରାଇଘର ବ୍ଲକରେ ପ୍ରାଣୀଧନ ନିରୀକ୍ଷକ ଭାବେ କାମ କରୁଥିଲେ।

ଭିଜିଲାନ୍ସ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ହିତାଧିକାରୀଙ୍କୁ ସବସିଡି ଟଙ୍କା ଛାଡ଼ କରିବା ପାଇଁ ପ୍ରଫୁଲ୍ଲ ହାଲଦାର ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ରହିଛି, ଲାଞ୍ଚ ନ ଦେଲେ ସବସିଡି ଟଙ୍କା ଅଟକାଇ ରଖିବେ ବୋଲି ସେ ହିତାଧିକାରୀଙ୍କୁ ଧମକ ଦେଇଥିଲେ।

ଏହାପରେ ହିତାଧିକାରୀମାନେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଟିମ୍ ଫାନ୍ଦ ପକାଇଥିଲା। ଶୁକ୍ରବାର ପ୍ରଫୁଲ୍ଲ ହାଲଦାର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ହାତେନାତ ଧରାଯାଇଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୮୦ ହଜାର ଟଙ୍କା ଜବତ କରାଯାଇଛି।

ଲାଞ୍ଚ ମାମଲାରେ ଗିରଫ ପରେ ଭିଜିଲାନ୍ସ ଅଧିକାରୀମାନେ ଏକାସାଙ୍ଗେ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ। ରାଇଘରର ଡିଏନକେସ୍ଥିତ ବାସଭବନ, ପୌରବେଲରେ ଥିବା ପୈତୃକ ଘର ଏବଂ ସରକାରୀ କାର୍ଯ୍ୟାଳୟରେ ତଲାସି କରାଯାଇଛି।

ଭିଜିଲାନ୍ସ କହିଛି, ପ୍ରଫୁଲ୍ଲ ହାଲଦାର ତାଙ୍କ ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ମଧ୍ୟ ରହିଛି। ଏହାର ତଦନ୍ତ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

ଚଢ଼ାଉ ସମୟରେ ମିଳୁଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଘଟଣାର ତଦନ୍ତ ଜାରି ରହିଛି।

You may also like

Leave a Comment