Home Nationalଇଣ୍ଡୋନେଶିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ଏହା ୧୪୦ କୋଟି ଭାରତବାସୀଙ୍କର ସମ୍ମାନ

ଇଣ୍ଡୋନେଶିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ଏହା ୧୪୦ କୋଟି ଭାରତବାସୀଙ୍କର ସମ୍ମାନ

by Shubham Kumar
0 comments

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେଶିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେଶିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା କେବଳ ତାଙ୍କର ସମ୍ମାନ ନୁହେଁ, ବରଂ ୧୪୦ କୋଟି ଭାରତବାସୀଙ୍କର ସମ୍ମାନ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଇଣ୍ଡୋନେଶିଆ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି। ବିକାଶ, ସୁରକ୍ଷା, ପ୍ରଯୁକ୍ତି ଓ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମିଶି କାମ କରୁଛନ୍ତି। ତାଙ୍କ ବିଶ୍ୱାସ, ଏହା ସହ ଭାରତ-ଇଣ୍ଡୋନେଶିଆ ସମ୍ପର୍କର ଏକ ନୂଆ ଓ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହେବ।

ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ପରସ୍ପର ବିଶ୍ୱାସ ଭାଗୀଦାରିକୁ ଆହୁରି ଶକ୍ତିଶାଳୀ କରୁଛି। ସମୁଦ୍ରକୂଳ ଦେଶ ହୋଇଥିବାରୁ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗକୁ ବଢ଼ାଇବା ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ବ୍ୟବସାୟ ଓ ସାଧାରଣ ଲୋକ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ନିଜର ମିଡ୍-ଡେ ମିଲ୍ ଯୋଜନା ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ର ଅନୁଭବ ଇଣ୍ଡୋନେଶିଆ ସହ ସେୟାର କରିଛି। ଏହା ମାଧ୍ୟମରେ ଦୁଇ ଦେଶ ପରସ୍ପରର ସଫଳ ଯୋଜନାରୁ ଶିଖିବାର ସୁଯୋଗ ପାଇବେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସହଯୋଗ ବଢ଼ୁଥିବା କଥା ସେ କହିଛନ୍ତି। ଭାରତର ଔଷଧ ଏବେ ଇଣ୍ଡୋନେଶିଆର ଲୋକଙ୍କ ପାଖରେ ଆହୁରି ସହଜରେ ପହଞ୍ଚିପାରିବ। ଏହା ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବ।

କୃଷି କ୍ଷେତ୍ରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ କୃଷି ସମ୍ବନ୍ଧୀୟ ନୂଆ ପ୍ରଯୁକ୍ତି ଓ ଅନୁଭବକୁ ପରସ୍ପର ସହ ବାଣ୍ଟିବେ। ଏହା ଦ୍ୱାରା କୃଷକମାନେ ନୂଆ ସୂଚନା ଓ ଭଲ ସୁଯୋଗ ପାଇପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୧ତମ ଶତାବ୍ଦୀ ହେଉଛି ପ୍ରଯୁକ୍ତିର ଯୁଗ। ଭାରତ ଓ ଇଣ୍ଡୋନେଶିଆ ଉଭୟ ଯୁବ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ଟେକ୍ନୋଲୋଜି ଓ ଇନୋଭେସନ୍ କ୍ଷେତ୍ରରେ ବହୁତ ସମ୍ଭାବନା ରହିଛି। ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମିଳିତ ଭାବେ କାମ କରୁଛନ୍ତି, ଯାହା ଯୁବ ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।

ଅନ୍ତରିକ୍ଷ କ୍ଷେତ୍ରର କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ଇଣ୍ଡୋନେଶିଆ ମଧ୍ୟରେ ସ୍ପେସ୍ ସେକ୍ଟରରେ ଦୀର୍ଘ ଦିନର ସହଯୋଗ ରହିଛି, ଯାହା ଆଗାମୀ ଦିନରେ ଆହୁରି ମଜବୁତ ହେବ। ଏହା ସହ ଷ୍ଟିଲ୍ ଓ ରେୟାର ଆର୍ଥ ମ୍ୟାଗ୍ନେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ଦୁଇ ଦେଶର କମ୍ପାନୀ ମଧ୍ୟରେ ସହଯୋଗ ବଢ଼ୁଛି।

ଡିଜିଟାଲ ପେମେଣ୍ଟକୁ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଭାରତର ୟୁପିଆଇ (UPI) ବ୍ୟବସ୍ଥା ଖୁବଶୀଘ୍ର ଇଣ୍ଡୋନେଶିଆର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ। ଏହା ଦ୍ୱାରା ଉଭୟ ଦେଶର ନାଗରିକ ଓ ବ୍ୟବସାୟୀମାନେ ସହଜରେ ଡିଜିଟାଲ ଟଙ୍କା କାରବାର କରିପାରିବେ।

You may also like

Leave a Comment