Home Nationalଗୋରଖପୁରରେ ୧୦ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ହତ୍ୟା, ନିଲମ୍ବିତ କନଷ୍ଟେବଳ ଗିରଫ

ଗୋରଖପୁରରେ ୧୦ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ହତ୍ୟା, ନିଲମ୍ବିତ କନଷ୍ଟେବଳ ଗିରଫ

by Shubham Kumar
0 comments

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲା ହସ୍ପିଟାଲରୁ ଦୁଇ ଦିନ ପୂର୍ବେ ନିଖୋଜ ହୋଇଥିବା ୧୦ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଡାଏଲ-୧୧୨ରେ ନିୟୋଜିତ ନିଲମ୍ବିତ କନଷ୍ଟେବଳ ଅଭିଷେକ ଯାଦବଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସୂଚନା ଆଧାରରେ ଚିଉଟହା ପୋଲ ନିକଟ ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପୁଲିସର ପ୍ରାଥମିକ ସନ୍ଦେହ ଅନୁସାରେ, ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରାଯାଇଥାଇପାରେ। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ।

ସୂଚନା ଅନୁସାରେ, ଜୁଲାଇ ୨୮ ତାରିଖ ରାତି ପ୍ରାୟ ୧୦ଟାରେ ଗୋରଖପୁର ଜିଲ୍ଲା ହସ୍ପିଟାଲରୁ ନାବାଳିକା ନିଖୋଜ ହୋଇଥିଲେ। ସେ ହସ୍ପିଟାଲରେ ଭର୍ତ୍ତି ଥିବା ନିଜ ବଡ଼ ଭଉଣୀଙ୍କୁ ଖାଇବା ଦେଇ ଘରକୁ ଫେରୁଥିବା ବେଳେ ପୁଲିସ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ବାଇକରେ ଘରେ ଛାଡ଼ିଦେବାକୁ କହି ସାଙ୍ଗରେ ନେଇଯାଇଥିଲେ।

ଘଟଣାଟି ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଫୁଟେଜରେ ଅଭିଯୁକ୍ତ ନାବାଳିକାଙ୍କୁ ନିଜ ଆପାଚି ବାଇକରେ ବସାଇ ନେଇଯାଉଥିବା ଦେଖାଯାଇଥିଲା। ଏହା ପରେ ପୁଲିସ ବାଇକର ନମ୍ବର ଟ୍ରେସ କରି ଅଭିଯୁକ୍ତ ଅଭିଷେକ ଯାଦବଙ୍କୁ ଗିରଫ କରିଥିଲା।

ନାବାଳିକାଙ୍କ ବାପା ଓ ୧୩ ବର୍ଷୀୟା ବଡ଼ ଭଉଣୀ ଅଭିଯୋଗ କରିଥିଲେ ଯେ, ପୁଲିସ ପୋଷାକ ପିନ୍ଧିଥିବା ବ୍ୟକ୍ତି ନାବାଳିକାଙ୍କୁ ବାଇକରେ ବସାଇ ନେଇଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପୁଲିସରେ ଏତଲା ଦେଇଥିଲେ।

ତଦନ୍ତ ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତ ଅଭିଷେକ ଯାଦବ ଗାଜିପୁର ଜିଲ୍ଲାର ବାସିନ୍ଦା ଏବଂ ସେ ପୂର୍ବରୁ ମଧ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିଲେ। ଫେବୃଆରୀ ୨୦୨୫ରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେ ଜେଲ୍ ଯାଇଥିଲେ। ଜାମିନରେ ମୁକୁଳିବା ପରେ ସେ ଡାଏଲ-୧୧୨ରେ କାର୍ଯ୍ୟରତ ଥିଲେ।

ଗୋରଖପୁର ଏସ୍‌ଏସ୍‌ପି ଡ଼. କୌସ୍ତୁଭ କହିଛନ୍ତି, ପ୍ରାଥମିକ ପଚରାଉଚରାରେ ଅଭିଯୁକ୍ତ ନାବାଳିକାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଘଟଣାରେ ଯୌନ ନିର୍ଯାତନାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ।

ଏସ୍‌ଏସ୍‌ପି କହିଛନ୍ତି, ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କ ବିରୋଧରେ ଫାଷ୍ଟ ଟ୍ରାକ୍ କୋର୍ଟରେ କଠୋରତମ ଦଣ୍ଡ ପାଇଁ ଆବେଦନ କରାଯିବ। ତାଙ୍କୁ ଚାକିରିରୁ ବର୍ଖାସ୍ତ କରିବା ସହ ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ପତ୍ର ପଠାଯାଉଛି।

ପୁଲିସ କହିଛି, ଘଟଣା ପରେ ଲଗାତାର ଦୁଇ ଦିନ ଧରି ପ୍ରାୟ ୨୦୦ଟି ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଏହାପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଇଥିଲା। ତଦନ୍ତ ଜାରି ରହିଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ଅନୁସନ୍ଧାନ କରୁଛି।

You may also like

Leave a Comment