Home Nationalସବରୀମଲା ସୁନା ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ଦେବସ୍ୱମ ବୋର୍ଡ ଅଧ୍ୟକ୍ଷଙ୍କୁ SIT ହେପାଜତରେ ନେଲା

ସବରୀମଲା ସୁନା ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ଦେବସ୍ୱମ ବୋର୍ଡ ଅଧ୍ୟକ୍ଷଙ୍କୁ SIT ହେପାଜତରେ ନେଲା

by Shubham Kumar
0 comments

କେରଳର ପ୍ରସିଦ୍ଧ ସବରୀମଲା ସ୍ୱାମୀ ଅୟ୍ୟପ୍ପା ମନ୍ଦିରର ସୁନା ଚୋରି ମାମଲାରେ ତଦନ୍ତ ତୀବ୍ର ହୋଇଛି। ଏହି ମାମଲାର ତଦନ୍ତ କରୁଥିବା SIT ତ୍ରାଭାଙ୍କୋର ଦେବସ୍ୱମ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ପି.ଏସ୍. ପ୍ରଶାନ୍ତଙ୍କୁ ହେପାଜତକୁ ନେଇଛି। କୋଲ୍ଲମ ଜିଲ୍ଲାର ଏକ ଗୋପନୀୟ ସ୍ଥାନରେ ତାଙ୍କୁ ପଚରାଉଚରା କରାଯାଉଛି।

SIT ସୂତ୍ର ଅନୁସାରେ, ଖୁବ୍ ଶୀଘ୍ର ତାଙ୍କୁ ଔପଚାରିକ ଭାବେ ଗିରଫ ଦେଖାଇ କୋର୍ଟରେ ହାଜର କରାଯାଇପାରେ।

ସୂଚନା ଅନୁସାରେ, ୨୦୧୯ ମସିହାରେ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସବରୀମଲା ମନ୍ଦିରର ଗର୍ଭଗୃହରେ ଲାଗିଥିବା ସୁନା ଆବରଣଯୁକ୍ତ କବାଟ ଓ ଦ୍ୱାରପାଳକଙ୍କ ମୂର୍ତ୍ତିକୁ ପଲିସ୍ କରିବା ନାଁରେ ସେଥିରୁ ସୁନା ତରଳାଇ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

ଏହି ମାମଲାରେ SIT ନିକଟରେ କୋର୍ଟକୁ ଦାଖଲ କରିଥିବା ତଦନ୍ତ ରିପୋର୍ଟରେ ପି.ଏସ୍. ପ୍ରଶାନ୍ତଙ୍କ ସମ୍ପୃକ୍ତି ଥିବା କଥା ଉଲ୍ଲେଖ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ଉନ୍ନିକୃଷ୍ଣନ ପୋଟ୍ଟି ୨୦୧୯ ମସିହାରେ ଚେନ୍ନାଇର ସ୍ମାର୍ଟ କ୍ରିଏସନ୍ ନାମକ ଏକ ଅଳଙ୍କାର ଦୋକାନକୁ ମନ୍ଦିରର ଏହି ସାମଗ୍ରୀଗୁଡ଼ିକୁ ପଲିସ୍ ପାଇଁ ପଠାଇଥିଲେ। SITର ଅଭିଯୋଗ ଅନୁଯାୟୀ, ସେଠାରେ ହିଁ ସୁନା ଆବରଣକୁ ତରଳାଇ ତାହାର ଗବନ କରାଯାଇଥିଲା।

ପଲିସ୍ ପରେ ସାମଗ୍ରୀଗୁଡ଼ିକୁ ପୁଣି ମନ୍ଦିରରେ ଲଗାଯାଇଥିଲା। କିନ୍ତୁ ସେଗୁଡ଼ିକର ଚମକ କମିଯାଇଥିବା ସହ ଓଜନ ମଧ୍ୟ କମିଥିବା ଲକ୍ଷ୍ୟ କରାଯାଇଥିଲା। ଏହାପରେ ସନ୍ଦେହ ବଢ଼ିବା ସହ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ସୁନା ହଡ଼ପ କରିବାର ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିଲା।

SIT କହିଛି ଯେ, ୨୦୨୫ ମସିହାରେ ପି.ଏସ୍. ପ୍ରଶାନ୍ତ ଦେବସ୍ୱମ ବୋର୍ଡର ଅଧ୍ୟକ୍ଷ ଥିବା ସମୟରେ ବୋର୍ଡ ପାଖରେ ସମସ୍ତ ସୂଚନା ଥିବା ସତ୍ତ୍ୱେ ସେ ପୁଣିଥରେ ଉନ୍ନିକୃଷ୍ଣନଙ୍କୁ ସେହି ସାମଗ୍ରୀଗୁଡ଼ିକର ପଲିସ୍ କାମ ଦେଇଥିଲେ ଏବଂ ସେଗୁଡ଼ିକୁ ପୁଣି ସେହି ଚେନ୍ନାଇ ଦୋକାନକୁ ପଠାଯାଇଥିଲା।

ଅଭିଯୋଗ ହୋଇଛି ଯେ, ଏହି କାମ ପାଇଁ ନିୟମ ଅନୁସାରେ କୋର୍ଟର ପୂର୍ବ ଅନୁମତି ନିଆଯାଇନଥିଲା। ଏହି ଆଧାରରେ SIT ପି.ଏସ୍. ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି।

ତେବେ ହେପାଜତକୁ ନିଆଯିବା ପୂର୍ବରୁ ପି.ଏସ୍. ପ୍ରଶାନ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଥିଲେ ଯେ, କୋର୍ଟର ପୂର୍ବ ଅନୁମତି ନନେବା ହିଁ ତାଙ୍କର ଏକମାତ୍ର ଭୁଲ। ସୁନା ଚୋରି ମାମଲାରେ ତାଙ୍କର କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ ବୋଲି ସେ ଦାବି କରିଛନ୍ତି।

You may also like

Leave a Comment