ଦେଶକୁ ନିଶାମୁକ୍ତ କରିବା ଏବଂ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନରେ ସକ୍ରିୟ ଭାବେ ସାମିଲ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ‘ନଶାମୁକ୍ତ ଯୁବ, ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରିବେ।
ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ମାଦକଦ୍ରବ୍ୟ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ପ୍ରେରିତ କରିବା ସହ ସେମାନଙ୍କୁ ସମାଜରେ ସକାରାତ୍ମକ ପରିବର୍ତ୍ତନର ଦୂତ ଭାବେ ଗଢ଼ି ତୋଳିବା।
ଏହି ଅବସରରେ ନିଶା ବିରୋଧୀ ୧୦୦ ସପ୍ତାହବ୍ୟାପୀ ‘ଜନ ଭାଗିଦାରୀ’ ଅଭିଯାନର ମଧ୍ୟ ଶୁଭାରମ୍ଭ ହେବ। ଏହି ଅଭିଯାନ ଅନ୍ତର୍ଗତ ପ୍ରତ୍ୟେକ ରବିବାର ଦେଶବ୍ୟାପୀ ସଚେତନତା ଓ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି ସାପ୍ତାହିକ କାର୍ଯ୍ୟକ୍ରମରେ କ୍ରୀଡ଼ା ପ୍ରତିଯୋଗିତା, ୱାକାଥନ୍, ଧ୍ୟାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା ରାଲି, ନୁକ୍କଡ଼ ନାଟକ, ଆଲୋଚନାଚକ୍ର, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ସାମିଲ ରହିବ।
ସରକାରଙ୍କ କହିବା ଅନୁସାରେ, ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, ସ୍ୱେଚ୍ଛାସେବୀ ସଂସ୍ଥା, ଶିଳ୍ପ ସଂଗଠନ ଏବଂ ଆଧ୍ୟାତ୍ମିକ ସଂସ୍ଥାମାନଙ୍କୁ ଏକାଠି କରି ନିଶା ବିରୋଧରେ ଏକ ଦେଶବ୍ୟାପୀ ଜନଆନ୍ଦୋଳନ ସୃଷ୍ଟି କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ।
ଏହି କାର୍ଯ୍ୟକ୍ରମରେ ଦେଶର ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବପିଢ଼ି ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେବେ। ଏଥିରେ ମାଇ ଭାରତ ସ୍ୱେଚ୍ଛାସେବୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ଯୁବ କ୍ଲବ୍, ସ୍କୁଲ୍, କଲେଜ୍, ବିଶ୍ୱବିଦ୍ୟାଳୟ, ସ୍ୱେଚ୍ଛାସେବୀ ସଂସ୍ଥା, ଶିଳ୍ପ ସଂଗଠନର ଯୁବ ଶାଖା ଏବଂ ୧୨୫ରୁ ଅଧିକ ସହଯୋଗୀ ଆଧ୍ୟାତ୍ମିକ ସଂଗଠନର ପ୍ରତିନିଧିମାନେ ସାମିଲ ହେବେ।
