Home National୬ ହଜାରରୁ ଅଧିକ ଛାତ୍ରଙ୍କ ଖାତାକୁ ଗଲା ₹୨୧.୩୫ କୋଟି; ଛାତ୍ରବୃତ୍ତି ପ୍ରଦାନରେ ଆସିବ ସ୍ୱଚ୍ଛତା ଓ ଦ୍ରୁତତା

୬ ହଜାରରୁ ଅଧିକ ଛାତ୍ରଙ୍କ ଖାତାକୁ ଗଲା ₹୨୧.୩୫ କୋଟି; ଛାତ୍ରବୃତ୍ତି ପ୍ରଦାନରେ ଆସିବ ସ୍ୱଚ୍ଛତା ଓ ଦ୍ରୁତତା

by Akshay Maharana
0 comments

କୃଷି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସୋମବାର ନୂଆଦିଲ୍ଲୀର ପୁସାସ୍ଥିତ ICAR-Indian Agricultural Research Institute (IARI)ରେ National Scholarship Portal (NSP) ଆଧାରିତ ନୂଆ ଛାତ୍ରବୃତ୍ତି ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଏହି ବ୍ୟବସ୍ଥା ଅଧୀନରେ ୬ ହଜାରରୁ ଅଧିକ କୃଷି ଛାତ୍ରଛାତ୍ରୀଙ୍କୁ ସିଧାସଳଖ Direct Benefit Transfer (DBT) ମାଧ୍ୟମରେ ମୋଟ ₹୨୧.୩୫ କୋଟି ପ୍ରଦାନ କରାଯାଇଛି। ଏଣିକି ଛାତ୍ରମାନଙ୍କୁ ପ୍ରତିମାସ ସିଧାସଳଖ ଖାତାକୁ ଛାତ୍ରବୃତ୍ତି ମିଳିବ। ଏହା ଦ୍ୱାରା ଅନାବଶ୍ୟକ ବିଳମ୍ବ କମିବା ସହ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସରଳ ହେବ।

କାର୍ଯ୍ୟକ୍ରମରେ ଚୌହାନ କହିଛନ୍ତି, ଛାତ୍ରବୃତ୍ତିକୁ କେବଳ ଆର୍ଥିକ ସହାୟତା ଭାବେ ଦେଖିବା ଉଚିତ ନୁହେଁ। ଏହା କୃଷି ଶିକ୍ଷାକୁ ସୁଦୃଢ଼ କରିବା ଓ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ।

ପରୀକ୍ଷା, ନାମଲେଖା ଓ ଅର୍ଥ ପ୍ରଦାନ ଭଳି ସମସ୍ତ ପ୍ରକ୍ରିୟା ଠିକ୍ ସମୟରେ ହେବା ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି। ସରକାରୀ ସହାୟତା ସମୟୋପଯୋଗୀ ଭାବେ ଛାତ୍ରଙ୍କ ପାଖରେ ପହଞ୍ଚିବା ହିଁ ଏକ ପ୍ରଭାବଶାଳୀ ବ୍ୟବସ୍ଥାର ପ୍ରକୃତ ପରୀକ୍ଷା ବୋଲି ସେ କହିଛନ୍ତି।

କୃଷି ଶିକ୍ଷାରେ ପ୍ରାକ୍ଟିକାଲ୍ ଟ୍ରେନିଂକୁ ଅନିବାର୍ଯ୍ୟ ଅଂଶ କରିବାକୁ ଚୌହାନ ଆହ୍ୱାନ ଦେଇଛନ୍ତି। କେବଳ କ୍ଲାସରୁମ୍‌ରେ ପାଠପଢ଼ା ଦ୍ୱାରା ଦକ୍ଷ କୃଷକ, ବୈଜ୍ଞାନିକ କିମ୍ବା କୃଷି ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି।

ଛାତ୍ରମାନେ କ୍ଷେତ୍ରସ୍ତରରେ ଅଭିଜ୍ଞତା ହାସଲ କରିବା ସହ କୃଷି ଶିକ୍ଷା ଓ ଛାତ୍ରବୃତ୍ତି ବ୍ୟବସ୍ଥାରେ ସୁଧାର ପାଇଁ ନିଜର ପରାମର୍ଶ ଦେବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି।

କୃଷି ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଚାକିରି ଖୋଜିବାରେ ସୀମିତ ନରହି ନୂଆ ଚିନ୍ତାଧାରା, ଗବେଷଣା ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚୌହାନ ପରାମର୍ଶ ଦେଇଛନ୍ତି।

କୃଷି ସହ ଟେକ୍ନୋଲୋଜି, ପ୍ରାକ୍ଟିକାଲ୍ ଟ୍ରେନିଂ ଓ ଶିଳ୍ପ କ୍ଷେତ୍ରକୁ ଯୋଡ଼ିବା ଦ୍ୱାରା ଭବିଷ୍ୟତର ଚ୍ୟାଲେଞ୍ଜ ମୁକାବିଲା ପାଇଁ ଛାତ୍ରମାନଙ୍କୁ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଛନ୍ତି।

ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖାଦ୍ୟ ସୁରକ୍ଷା, ପୋଷଣ ଓ କୃଷକଙ୍କ ଆୟ ସୁରକ୍ଷା ସରକାରର ପ୍ରମୁଖ ପ୍ରାଥମିକତା ରହିଛି।

ICAR ବୈଜ୍ଞାନିକମାନଙ୍କ ଅବଦାନକୁ ପ୍ରଶଂସା କରି ସେ କହିଛନ୍ତି, ବୈଜ୍ଞାନିକଙ୍କ ଗବେଷଣା ଓ କୃଷକଙ୍କ ପରିଶ୍ରମ ମିଶି ଦେଶର ଖାଦ୍ୟଶସ୍ୟ ଭଣ୍ଡାରକୁ ସୁଦୃଢ଼ କରିଛି। ବିଜ୍ଞାନ, କୃଷକ ଓ କ୍ଷେତ୍ର ଏକାଠି ହେଲେ ଭାରତର ଖାଦ୍ୟ ସୁରକ୍ଷା ଓ ଆତ୍ମନିର୍ଭରତା ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି।

ହରିଆଳି ଅମାବାସ୍ୟା ଅବସରରେ ଦେଶର ସମସ୍ତ ICAR ଅନୁଷ୍ଠାନରେ କୃଷି ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ଅଭିଯାନରେ ସାମିଲ ହେବାକୁ ଚୌହାନ ଆହ୍ୱାନ ଦେଇଛନ୍ତି। ପରିବେଶ ସୁରକ୍ଷା ଓ ସବୁଜ ପଦକ୍ଷେପ କୃଷି ସମୁଦାୟର ସାମୂହିକ ଦାୟିତ୍ୱ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ, ICAR ମହାନିର୍ଦ୍ଦେଶକ ଏମ୍‌.ଏଲ୍‌. ଜାଟ୍‌, ICAR ସଚିବ ଜ୍ଞାନେନ୍ଦ୍ର ତ୍ରିପାଠୀ, ଉପମହାନିର୍ଦ୍ଦେଶକ ଯଶପାଲ ସିଂହ ମଲିକ ଏବଂ IARI ନିର୍ଦ୍ଦେଶକ ସି. ଶ୍ରୀନିବାସ ରାଓଙ୍କ ସମେତ ବହୁ ବୈଜ୍ଞାନିକ, ଅଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ହଜାର ହଜାର କୃଷି ଛାତ୍ର ଅନଲାଇନ୍‌ରେ ମଧ୍ୟ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।

You may also like

Leave a Comment