ଇଂଲିଶ୍ ପ୍ରିମିୟର ଲିଗ୍କୁ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଇଂଲଣ୍ଡର ଷ୍ଟାର୍ ଷ୍ଟ୍ରାଇକର୍ ହ୍ୟାରି କେନ୍। ବର୍ତ୍ତମାନ ପ୍ରିମିୟର ଲିଗ୍ର ଆକର୍ଷଣ ତାଙ୍କୁ ପୂର୍ବଭଳି ଟାଣୁନାହିଁ ବୋଲି କହିଛନ୍ତି କେନ୍। ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ୍ ବାୟର୍ନ ମ୍ୟୁନିଖ୍ ଉପରେ ରହିଛି।
୨୦୨୩ରେ ଟୋଟେନହାମ୍ ହଟ୍ସ୍ପର୍ ଛାଡ଼ି ଜର୍ମାନୀର ବାୟର୍ନ ମ୍ୟୁନିଖ୍ରେ ଯୋଗ ଦେଇଥିଲେ କେନ୍। ଏହାପରେ ଜର୍ମାନ ଫୁଟବଲ୍ରେ ନିଜର ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ବାୟର୍ନ ପାଇଁ ମାତ୍ର ୧୪୭ଟି ମ୍ୟାଚ୍ରେ ୧୪୬ଟି ଗୋଲ୍ କରି ନିଜର ଗୋଲ୍ ସ୍କୋରିଂ କ୍ଷମତାର ପ୍ରମାଣ ଦେଇଛନ୍ତି।
FourFourTwoକୁ ଦେଇଥିବା ସାକ୍ଷାତକାରରେ କେନ୍ କହିଛନ୍ତି ଯେ ଟୋଟେନହାମ୍ ଛାଡ଼ିବା ସମୟରେ ଇଂଲଣ୍ଡକୁ ଫେରିବା ଚିନ୍ତା ତାଙ୍କ ମନରେ ଥିଲା। କିନ୍ତୁ ଏବେ ସେହି ଇଚ୍ଛା ପୂର୍ବଭଳି ନାହିଁ।
ମ୍ୟୁନିଖ୍ରେ ସେ ଅତ୍ୟନ୍ତ ଖୁସି ଥିବା ସହ ଇଂଲଣ୍ଡ ବାହାରେ ଫୁଟବଲ୍ର ଏକ ଭିନ୍ନ ଦୁନିଆ ତାଙ୍କ ଆଖି ଖୋଲିଦେଇଛି ବୋଲି କହିଛନ୍ତି। ଭବିଷ୍ୟତରେ କିଛି ବି ହୋଇପାରେ ବୋଲି ସେ ସମ୍ପୂର୍ଣ୍ଣ ଭାବେ ନାକଚ କରିନଥିଲେ ମଧ୍ୟ ଏବେ ତାଙ୍କର ଧ୍ୟାନ କେବଳ ବାୟର୍ନ ଉପରେ ବୋଲି ସ୍ପଷ୍ଟ କରିଛନ୍ତି।
୨୦୨୫-୨୬ ବୁଣ୍ଡେସଲିଗା ସିଜନ୍ରେ କେନ୍ ୩୬ଟି ଗୋଲ୍ କରି ଲିଗ୍ର ଟପ୍ ସ୍କୋରର୍ ହୋଇଛନ୍ତି। ଏହା ସହ ସେ ଦ୍ୱିତୀୟ ଥର ପାଇଁ ୟୁରୋପିଆନ୍ ଗୋଲ୍ଡେନ୍ ସୁ ଜିତିଛନ୍ତି।
ବାୟର୍ନରେ ଯୋଗଦେବା ପରଠାରୁ କେନ୍ ଦୁଇଟି ବୁଣ୍ଡେସଲିଗା ଟାଇଟଲ୍ ସହ ଜର୍ମାନ୍ କପ୍ ଓ ସୁପରକପ୍ ମଧ୍ୟ ଜିତିଛନ୍ତି।
ପ୍ରିମିୟର ଲିଗ୍ରେ କେନ୍ଙ୍କ ନାମରେ ରହିଛି ୨୧୩ଟି ଗୋଲ୍। ଲିଗ୍ର ସର୍ବକାଳୀନ ସର୍ବାଧିକ ଗୋଲ୍ ସ୍କୋରର୍ ଆଲାନ୍ ଶିଅରରଙ୍କ ୨୬୦ ଗୋଲ୍ର ରେକର୍ଡରୁ ସେ ଆଉ ୪୭ ଗୋଲ୍ ଦୂରରେ ଅଛନ୍ତି। ତେଣୁ ତାଙ୍କ ଇଂଲଣ୍ଡ ଫେରିବା ନେଇ ପ୍ରଶଂସକଙ୍କ ମଧ୍ୟରେ ଦୀର୍ଘଦିନ ଧରି ଉତ୍ସୁକତା ରହିଛି।
ବାୟର୍ନ ସହ କେନ୍ଙ୍କ ବର୍ତ୍ତମାନର ଚୁକ୍ତି ଆସନ୍ତା ବର୍ଷ ଶେଷ ହେବ। ତାଙ୍କ ଭବିଷ୍ୟତ ନେଇ ଖୁବଶୀଘ୍ର ଆଲୋଚନା ଆରମ୍ଭ ହେବ ବୋଲି ସେ କହିଥିଲେ। ତେବେ ଉଭୟ ପକ୍ଷରୁ କୌଣସି ତତ୍କାଳୀନ ଚାପ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅଗଷ୍ଟ ୨୮ରେ VfB Stuttgart ବିପକ୍ଷରେ ନୂଆ ବୁଣ୍ଡେସଲିଗା ଅଭିଯାନ ଆରମ୍ଭ କରିବ ବାୟର୍ନ ମ୍ୟୁନିଖ୍। ଏହି ମ୍ୟାଚ୍ରେ କେନ୍ଙ୍କ ଗୋଲ୍ ଉପରେ ରହିବ ସମସ୍ତଙ୍କ ନଜର।
