ଗବେଷଣା, ବିକାଶ ଓ ନବସୃଜନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର RDI ଫଣ୍ଡକୁ ଆହୁରି ସୁଦୃଢ଼ କରୁଛନ୍ତି। Research, Development and Innovation (RDI) Fundରେ ସ୍ୱାର୍ଥ ସଂଘାତ ରୋକିବା ସହ ସରକାରୀ ଟଙ୍କା ଓ ବେସରକାରୀ ପୁଞ୍ଜିର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ରହିଛି ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।
ନୂଆଦିଲ୍ଲୀର ଟେକ୍ନୋଲୋଜି ଭବନରେ ବିଜ୍ଞାନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ମାସିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଥିଲେ, ଫଣ୍ଡ ବଣ୍ଟନରେ ଯାଞ୍ଚ ଓ ସତର୍କତା ସହ କୌଣସି ସାଲିସ୍ ହେବ ନାହିଁ। ତେବେ ଯୋଗ୍ୟ କମ୍ପାନୀଗୁଡ଼ିକ ଯେପରି ଅନାବଶ୍ୟକ ବିଳମ୍ବରେ ପଡ଼ିବେ ନାହିଁ, ସେଥିପାଇଁ ଫଣ୍ଡ ରିଲିଜ୍ ପ୍ରକ୍ରିୟାକୁ ଆହୁରି ଦ୍ରୁତ ଓ ପ୍ରତିକ୍ରିୟାଶୀଳ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
RDI ଫଣ୍ଡରେ ୫୦ ପ୍ରତିଶତ ନିବେଶ ବେସରକାରୀ ଇକ୍ୱିଟି ଉତ୍ସରୁ ଆସିବାର ଆଶା ରହିଛି। ତେଣୁ ଫଣ୍ଡ ମ୍ୟାନେଜମେଣ୍ଟ କମିଟିଗୁଡ଼ିକର ଦାୟିତ୍ୱ କେବଳ ସରକାରୀ ଅର୍ଥର ସୁରକ୍ଷା ନୁହେଁ, ବରଂ ବେସରକାରୀ ପୁଞ୍ଜିର ସୁରକ୍ଷା ମଧ୍ୟ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
କିଛି ଚୟନିତ କମ୍ପାନୀକୁ RDI ଫଣ୍ଡ ଦିଆଯାଇସାରିଥିବାବେଳେ ଅନ୍ୟ ଯୋଗ୍ୟ କମ୍ପାନୀଙ୍କ ପେମେଣ୍ଟ ପ୍ରକ୍ରିୟା ଜାରି ରହିଛି। ପ୍ରଥମ ପର୍ଯ୍ୟାୟର ଆବେଦନ ଯାଞ୍ଚ ଶେଷ ହୋଇଥିବା ଏବଂ ଯୋଗ୍ୟ ଆବେଦନଗୁଡ଼ିକ ପାଇଁ ସକାରାତ୍ମକ ସୁପାରିସ୍ ପ୍ରସ୍ତୁତ ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
RDI ଫଣ୍ଡ ପାଇଁ Second-Level Fund Managers (SLFMs) ଚୟନ ପ୍ରକ୍ରିୟା ମଧ୍ୟ ଚାଲିଛି। ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବା ଆଶା କରାଯାଉଛି। ଚୟନିତ ଫଣ୍ଡ ମ୍ୟାନେଜରମାନେ ଯୋଗ୍ୟ କମ୍ପାନୀ ଚିହ୍ନଟ କରି ଅନୁମୋଦିତ RDI ଢାଞ୍ଚା ଅନୁସାରେ ନିବେଶକୁ ସହାୟତା କରିବେ।
ଚୟନ ଓ ଅନବୋର୍ଡିଂ ପ୍ରକ୍ରିୟା ସ୍ୱଚ୍ଛ ଭାବେ କରାଯାଉଛି, ଯାହାଦ୍ୱାରା ସମସ୍ତଙ୍କୁ ସମାନ ସୁଯୋଗ ମିଳିପାରିବ ବୋଲି ଅଧିକାରୀମାନେ କହିଛନ୍ତି।
ବୈଠକରେ RDI ଫଣ୍ଡର କ୍ଷେତ୍ରୀୟ ପରିସରକୁ ବଢ଼ାଇବା ନେଇ ମଧ୍ୟ ଆଲୋଚନା ହୋଇଛି। କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ଉଦୀୟମାନ ଓ ରଣନୀତିକ ପ୍ରଯୁକ୍ତି କ୍ଷେତ୍ରକୁ ଫଣ୍ଡର ପରିସରରେ ସାମିଲ କରିବା ପ୍ରସ୍ତାବ ରହିଛି।
ଦ୍ରୁତ ଗତିରେ ବଦଳୁଥିବା ପ୍ରଯୁକ୍ତି କ୍ଷେତ୍ରକୁ ଦୃଷ୍ଟିରେ ରଖି RDI ଫଣ୍ଡର ଢାଞ୍ଚାକୁ ଅଧିକ ନମନୀୟ ଓ ସମୟୋପଯୋଗୀ କରିବା ଉପରେ ଜୋର ଦିଆଯାଇଛି।
ବୈଜ୍ଞାନିକ ସଂଗଠନଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ, ତଥ୍ୟ ବିନିମୟ ଓ ମିଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସମାନ କ୍ଷେତ୍ରରେ ଚାଲୁଥିବା କାର୍ଯ୍ୟର ପୁନରାବୃତ୍ତି ଏଡ଼ାଇ ସମ୍ପଦର ଉପଯୁକ୍ତ ବ୍ୟବହାର ଉପରେ ମଧ୍ୟ ଜୋର ଦିଆଯାଇଛି।
Sah-SANKALP ଅଭିଯାନରେ ପ୍ରଦର୍ଶିତ ୬୦ଟି ପ୍ରଯୁକ୍ତି ମଧ୍ୟରୁ ୫୬ଟି ଭୂମିସ୍ତରରେ ଲାଗୁ ହୋଇଥିବାବେଳେ ୪୧ଟି ପ୍ରଯୁକ୍ତି Technology Readiness Level ୮ କିମ୍ବା ୯ରେ ପହଞ୍ଚିଛି। ଏହାସହ ୩୮ଟି ପ୍ରଯୁକ୍ତି ଗ୍ରହଣ କରିବା ପାଇଁ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି।
ଆସନ୍ତା ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ESTIC 2026 ଆୟୋଜିତ ହେବ। ତିନିଜଣ ନୋବେଲ୍ ବିଜେତାଙ୍କ ସମେତ ଅନ୍ୟ ତିନିଜଣ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ଏଥିରେ ଯୋଗଦେବା ନିଶ୍ଚିତ କରିଛନ୍ତି। ପ୍ରଦର୍ଶନୀରେ ୧୫୦ଟି ପର୍ଯ୍ୟନ୍ତ ଷ୍ଟଲ୍ ରହିବ।
ସେପ୍ଟେମ୍ବର ୧୨ରୁ ୧୯ ପର୍ଯ୍ୟନ୍ତ ୧୧୧ଟି ସମୁଦ୍ରତଟରେ Swachh Sagar Surakshit Sagar 2026 ଅଭିଯାନ ମଧ୍ୟ ଆୟୋଜିତ ହେବ। ଏଥିରେ ମତ୍ସ୍ୟଜୀବୀ, ଶିକ୍ଷାନୁଷ୍ଠାନ, NCC, NSS, ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ, ସ୍ୱେଚ୍ଛାସେବୀ ସଂଗଠନ ଓ ବେସରକାରୀ ସଂସ୍ଥା ସାମିଲ ହେବେ।
ବିଜ୍ଞାନ ଓ ପ୍ରଯୁକ୍ତିର ସଫଳତାକୁ ଲୋକଙ୍କ ନିକଟରେ ସହଜ ଭାଷାରେ ପହଞ୍ଚାଇବା ପାଇଁ ‘ବିଜ୍ଞାନ କି ବାତ୍’ ମାସିକ ବ୍ୟାଖ୍ୟାନ ଶୃଙ୍ଖଳା ଅଗଷ୍ଟ ୨୯ରୁ ଆରମ୍ଭ କରିବା ପ୍ରସ୍ତାବ ରହିଛି। ବିଜ୍ଞାନ ଓ ନବସୃଜନ ଉପରେ ପ୍ରତିଯୋଗିତା ଓ କୁଇଜ୍ ଆୟୋଜନ ନେଇ ମଧ୍ୟ ଆଲୋଚନା ହୋଇଛି।
