Home NationalNTAର ବଡ଼ ସ୍ପଷ୍ଟୀକରଣ: ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ଫି’ ନେଇ କହିଲା—‘ଗୋଟିଏ ଚ୍ୟାଲେଞ୍ଜ, ସମସ୍ତଙ୍କୁ ଫାଇଦା’

NTAର ବଡ଼ ସ୍ପଷ୍ଟୀକରଣ: ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ଫି’ ନେଇ କହିଲା—‘ଗୋଟିଏ ଚ୍ୟାଲେଞ୍ଜ, ସମସ୍ତଙ୍କୁ ଫାଇଦା’

by Akshay Maharana
0 comments

ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ପ୍ରକ୍ରିୟାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ବ୍ୟବସ୍ଥା ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାୟସଙ୍ଗତ ଭାବେ ପ୍ରସ୍ତୁତ ହୋଇଛି ବୋଲି NTA କହିବା ସହ ଏହି ପ୍ରକ୍ରିୟା ‘ଅତ୍ୟଧିକ ମହଙ୍ଗା’ ବୋଲି ଉଠୁଥିବା ଅଭିଯୋଗକୁ ଖଣ୍ଡନ କରିଛି।

NTA ନିଜର X ପୋଷ୍ଟରେ କହିଛି ଯେ, ଜଣେ ପରୀକ୍ଷାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ବୈଧ ଆପତ୍ତି ଗ୍ରହଣ କରାଗଲେ ଏହାର ଲାଭ ସେହି ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ପାଇପାରିବେ।

NTA ଅନୁସାରେ, ଯଦି ଜଣେ ପରୀକ୍ଷାର୍ଥୀ କୌଣସି ପ୍ରଶ୍ନର ଉତ୍ତରକୁଞ୍ଜି ଉପରେ ଆପତ୍ତି ଉଠାନ୍ତି ଏବଂ ବିଷୟ ବିଶେଷଜ୍ଞମାନେ ସେହି ଆପତ୍ତିକୁ ଠିକ୍ ବୋଲି ଗ୍ରହଣ କରନ୍ତି, ତେବେ ସଂଶୋଧିତ ଉତ୍ତରକୁଞ୍ଜି ସେହି ପରୀକ୍ଷାର ସମସ୍ତ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବ।

ଅର୍ଥାତ୍‌, ଜଣେ ଛାତ୍ରଙ୍କ ଦ୍ୱାରା ଉଠାଯାଇଥିବା ସଠିକ୍ ଆପତ୍ତି ହଜାର ହଜାର ଓ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଫଳାଫଳକୁ ପ୍ରଭାବିତ କରିପାରିବ।

ପ୍ରତ୍ୟେକ ପ୍ରଶ୍ନ ପାଇଁ ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ କରିବାକୁ ସାଧାରଣତଃ ୨୦୦ ଟଙ୍କା ଫି’ ଦେବାକୁ ପଡ଼େ। ତେବେ ଆପତ୍ତି ସଠିକ୍ ପ୍ରମାଣିତ ହୋଇ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରହଣ କରାଗଲେ, ସେହି ଚ୍ୟାଲେଞ୍ଜ ଫି’ ପରୀକ୍ଷାର୍ଥୀଙ୍କୁ ଫେରସ୍ତ କରାଯାଏ ବୋଲି NTA ସ୍ପଷ୍ଟ କରିଛି।

NTA କହିଛି, ଏହି ଫି’ର ଉଦ୍ଦେଶ୍ୟ ଲାଭ କରିବା ନୁହେଁ। ବରଂ ଅଯଥା କିମ୍ବା ଭିତ୍ତିହୀନ ଆପତ୍ତିକୁ ରୋକିବା ପାଇଁ ଏହି ଫି’ ବ୍ୟବସ୍ଥା ରହିଛି।

NTA ଦ୍ୱାରା ପରିଚାଳିତ JEE Main, NEET, UGC-NET ଭଳି ବିଭିନ୍ନ ପ୍ରବେଶିକା ଓ ଯୋଗ୍ୟତା ପରୀକ୍ଷାରେ ପ୍ରୋଭିଜନାଲ୍ ଉତ୍ତରକୁଞ୍ଜି ପ୍ରକାଶ ପରେ ପରୀକ୍ଷାର୍ଥୀମାନେ ଅନଲାଇନ୍‌ରେ ପ୍ରଶ୍ନ କିମ୍ବା ଉତ୍ତର ଉପରେ ଆପତ୍ତି ଦାଖଲ କରିପାରନ୍ତି।

NTA ପରୀକ୍ଷାର୍ଥୀଙ୍କୁ ଅପିଲ୍ କରିଛି ଯେ, ଯଦି କୌଣସି ପ୍ରଶ୍ନ କିମ୍ବା ଉତ୍ତରରେ ପ୍ରକୃତ ତ୍ରୁଟି ଥିବା ନେଇ ଦୃଢ଼ ପ୍ରମାଣ ରହିଛି, ତେବେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆପତ୍ତି ଦାଖଲ କରନ୍ତୁ। ଆପତ୍ତି ଠିକ୍ ପ୍ରମାଣିତ ହେଲେ କେବଳ ସମ୍ପୃକ୍ତ ପରୀକ୍ଷାର୍ଥୀ ନୁହେଁ, ଲକ୍ଷାଧିକ ଛାତ୍ରଛାତ୍ରୀ ଏହାର ଲାଭ ପାଇପାରିବେ।

You may also like

Leave a Comment