ସଫଦରଜଙ୍ଗ ହସ୍ପିଟାଲରେ Advanced Bladder Diagnostics Centre ସହ PET-CT ଓ SPECT-CT ସୁବିଧାର ଶୁଭାରମ୍ଭ, ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ନୂଆଦିଲ୍ଲୀସ୍ଥିତ ଭିଏମ୍ଏମ୍ସି ଓ ସଫଦରଜଙ୍ଗ ହସ୍ପିଟାଲରେ ଯୋଡ଼ି ହୋଇଛି ଅତ୍ୟାଧୁନିକ ଚିକିତ୍ସା ଓ ରୋଗ ନିର୍ଣ୍ଣୟ ସୁବିଧା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଜେ.ପି. ନଡ୍ଡା ଗୁରୁବାର Centre for Advanced Bladder Diagnostics ସହିତ PET-CT ଓ SPECT-CT ସୁବିଧାର ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ନଡ୍ଡା ସଫଦରଜଙ୍ଗ ହସ୍ପିଟାଲର Heart Command Centre ଓ Sports Injury Centre ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ଚାଲୁଥିବା ସେବା, କାର୍ଯ୍ୟକଳାପ ଓ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ।
ହସ୍ପିଟାଲର ୟୁରୋଲୋଜି ବିଭାଗରେ ସ୍ଥାପିତ Centre for Advanced Bladder Diagnosticsର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି—ଏଠାରେ Video Urodynamics (VUDS) ଏବଂ Near Infrared Spectroscopy (NIRS)-based brain mappingକୁ ଏକାଠି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଭାରତରେ ପ୍ରଥମ ଥର ପାଇଁ ଏଭଳି ପଦ୍ଧତିର ପ୍ରୟୋଗ କରାଯାଉଛି।
ଏହି ଆଧୁନିକ ବ୍ୟବସ୍ଥା ଦ୍ୱାରା ବ୍ଲାଡର ଭରିବା ଓ ଖାଲି ହେବା ସମୟରେ ମସ୍ତିଷ୍କର ରକ୍ତରେ ଅକ୍ସିଜେନ୍ ସ୍ତରର ପରିବର୍ତ୍ତନ ମାପିହେବ। ଫଳରେ ରୋଗଟି ବ୍ଲାଡର ସମ୍ପର୍କିତ, ସ୍ନାୟୁଜନିତ ନା ଉଭୟର ମିଶ୍ରିତ ସମସ୍ୟା—ତାହା ଚିହ୍ନଟ କରିବାରେ ଡାକ୍ତରମାନଙ୍କୁ ସହାୟତା ମିଳିବ।
ଜଟିଳ ମୂତ୍ରାଶୟ ସମସ୍ୟା, ବିଶେଷକରି ସ୍ନାୟୁଜନିତ ରୋଗ ସହ ଜଡ଼ିତ ବ୍ଲାଡର ଡିସଅର୍ଡର ନିର୍ଣ୍ଣୟରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ଏହି କେନ୍ଦ୍ରରୁ ପ୍ରତିବର୍ଷ ପ୍ରାୟ ୫,୦୦୦ ରୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ସ୍ଥାପିତ PET-CT ଓ SPECT-CT ସୁବିଧା ହସ୍ପିଟାଲର ଉନ୍ନତ ରୋଗ ନିର୍ଣ୍ଣୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। PET-CT ବିଶେଷକରି କ୍ୟାନ୍ସର ଚିହ୍ନଟ, ରୋଗର ଷ୍ଟେଜ୍ ନିର୍ଦ୍ଧାରଣ, ଚିକିତ୍ସା ଯୋଜନା ଓ ଚିକିତ୍ସା ପରେ ରୋଗୀଙ୍କ ଅବସ୍ଥା ନିରୀକ୍ଷଣରେ ସହାୟକ ହେବ।
ଏହା ସହିତ ମେଡିକାଲ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ହେମାଟୋଲୋଜି, ୟୁରୋଲୋଜି, ନେଫ୍ରୋଲୋଜି ଓ ପେଡିଆଟ୍ରିକ୍ ଅଙ୍କୋଲୋଜି ଭଳି ବିଭାଗ ମଧ୍ୟରେ ସମନ୍ୱିତ ଚିକିତ୍ସା ବ୍ୟବସ୍ଥାକୁ ଏହା ଆହୁରି ମଜବୁତ କରିବ।
ଅନ୍ୟପକ୍ଷରେ SPECT-CT ଦ୍ୱାରା ହୃଦରୋଗ, କିଡ୍ନୀ, ଏଣ୍ଡୋକ୍ରାଇନ୍, ଅର୍ଥୋପେଡିକ୍ ଓ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍ ସମସ୍ୟାର ଉନ୍ନତ ନିର୍ଣ୍ଣୟ ସମ୍ଭବ ହେବ। ଏହି ନୂଆ ନ୍ୟୁକ୍ଲିୟର ମେଡିସିନ୍ ସୁବିଧାରୁ ପ୍ରତିବର୍ଷ ପ୍ରାୟ ୬୦୦ରୁ ୭୦୦ ରୋଗୀ ଉପକୃତ ହେବେ। ସେବାଗୁଡ଼ିକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଯିବ।
ସଫଦରଜଙ୍ଗ ହସ୍ପିଟାଲରେ ଚାଲୁଥିବା ଓ ଆଗାମୀ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ନଡ୍ଡା ନିୟମିତ ଭାବେ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କରିବାକୁ କହିଛନ୍ତି। ପ୍ରତ୍ୟେକ ପ୍ରକଳ୍ପ ପାଇଁ ବାସ୍ତବସମ୍ମତ ଓ ସାଧ୍ୟ ସମୟସୀମା ଧାର୍ଯ୍ୟ କରି ସେହି ଅନୁଯାୟୀ କାମ ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ନୂଆ ସୁବିଧାଗୁଡ଼ିକ ଦ୍ୱାରା ସଫଦରଜଙ୍ଗ ହସ୍ପିଟାଲରେ ଶୀଘ୍ର ରୋଗ ଚିହ୍ନଟ, ଉନ୍ନତ ଚିକିତ୍ସା ଯୋଜନା ଓ ବହୁବିଭାଗୀୟ ରୋଗୀ ସେବା ଆହୁରି ସୁଦୃଢ଼ ହେବ। ଏଥିସହ ପିଜି ଶିକ୍ଷା ଓ ଡାକ୍ତରୀ ପ୍ରଶିକ୍ଷଣରେ ମଧ୍ୟ ଏହି ସୁବିଧା ଉପଯୋଗୀ ହେବ। ବିଶେଷକରି ଆର୍ଥିକ ଭାବେ ଦୁର୍ବଳ ବର୍ଗର ରୋଗୀମାନେ ଉନ୍ନତ ଡାଏଗ୍ନୋଷ୍ଟିକ୍ ଓ ଚିକିତ୍ସା ସେବାରୁ ଲାଭ ପାଇପାରିବେ।
