ନିର୍ଣ୍ଣାୟକ ମ୍ୟାଚ୍ରେ ବିଜୟ ହାସଲ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ଗୋଲଶୂନ୍ୟ ଡ୍ର’ ଖେଳିବା ପରେ ଭାରତ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି। ଭାରତକୁ ଶେଷ ୪ରେ ସ୍ଥାନ ପାଇଁ ଏହି ମ୍ୟାଚ୍ରେ ବିଜୟ ଦରକାର ଥିଲା, କିନ୍ତୁ ଦଳ ଏକାଧିକ ସୁଯୋଗ ପାଇ ମଧ୍ୟ ଗୋଲ୍ କରିପାରିନଥିଲା।
ମ୍ୟାଚ୍ ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦ୍ୱିତୀୟ ମିନିଟ୍ରେ ଅଷ୍ଟ୍ରେଲିଆ ଗୋଲ୍ କରିଥିବା ଦାବି ହୋଇଥିଲା। ତେବେ ଭାରତ ରେଫରାଲ ନେବା ପରେ ଟିଭି ଅମ୍ପାୟାର ଏହାକୁ ଡେଞ୍ଜରସ୍ ବଲ୍ ଦର୍ଶାଇ ଗୋଲ୍ ନାକଚ କରିଥିଲେ। ଏହାପରେ ମଧ୍ୟ ଅଷ୍ଟ୍ରେଲିଆ ଲଗାତାର ଚାପ ସୃଷ୍ଟି କରିଥିଲା।
ଭାରତୀୟ ଦଳର ପାସିଂରେ ଅନେକ ତ୍ରୁଟି ଦେଖାଯାଇଥିଲା। ମିଡଫିଲ୍ଡରେ ବାରମ୍ବାର ବଲ୍ ହରାଇବା ସହ ଅଷ୍ଟ୍ରେଲିଆର ଚାପରୁ ବାହାରିବାରେ ଦଳ ସଂଘର୍ଷ କରିଥିଲା। ଅଷ୍ଟ୍ରେଲିଆର ଅନେକ ଆକ୍ରମଣକୁ ଭାରତୀୟ ଗୋଲକିପର ସବିତା ଓ ବିଚୁ ଦେବୀ ଚମତ୍କାର ସେଭ୍ କରି ବିଫଳ କରିଥିଲେ।
ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ତାହାକୁ ରୋକିଥିଲା। ଭାରତ ମଧ୍ୟ ଅର୍ଧାନ୍ତ ପୂର୍ବରୁ ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ତାହାକୁ ଗୋଲ୍ରେ ପରିଣତ କରିପାରିନଥିଲା। ଫଳରେ ପ୍ରଥମାର୍ଦ୍ଧ ୦-୦ରେ ଶେଷ ହୋଇଥିଲା।
ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଭାରତ ଗୋଲ୍ ପାଇଁ ଅନେକ ପ୍ରୟାସ କରିଥିଲା। ନଭନୀତ, ବଲଜିତ କୌର, ଦୀପିକା ଓ ସଲିମା ଟେଟେଙ୍କ ଉଦ୍ୟମ ସତ୍ତ୍ୱେ ଭାରତୀୟ ଆକ୍ରମଣରେ ଶେଷ ସ୍ପର୍ଶର ଅଭାବ ଦେଖାଯାଇଥିଲା। ଅଷ୍ଟ୍ରେଲିଆ ମଧ୍ୟ ଗୋଲ୍ କରିବାରେ ବିଫଳ ହୋଇଥିଲା।
ଶେଷ ୫ ମିନିଟ୍ରେ ଭାରତୀୟ କୋଚ୍ ସ୍ୟୋର୍ଡ ମାରିଜ୍ନେ ଗୋଲକିପରଙ୍କୁ ବାହାର କରି ଅତିରିକ୍ତ ଖେଳାଳିଙ୍କୁ ଆଣିଥିଲେ। ଭାରତ ଆକ୍ରମଣର ତୀବ୍ରତା ବଢ଼ାଇଥିଲେ ମଧ୍ୟ ଅଷ୍ଟ୍ରେଲିଆର ଦୃଢ଼ ଡିଫେନ୍ସକୁ ଭେଦିପାରିନଥିଲା। ଶେଷରେ ମ୍ୟାଚ୍ ୦-୦ରେ ଶେଷ ହୋଇଥିଲା।
ଭାରତ ଓ ଅଷ୍ଟ୍ରେଲିଆର ଗୋଲ୍ ଡିଫରେନ୍ସ ସମାନ ମାଇନସ୍ ୨ ଥିଲେ ମଧ୍ୟ ଅଷ୍ଟ୍ରେଲିଆ ୩ଟି ଗୋଲ୍ କରିଥିବାରୁ ଆଗକୁ ବଢ଼ିଛି। ଭାରତ ୨ଟି ଗୋଲ୍ କରିଥିବାରୁ ତୃତୀୟ ସ୍ଥାନରେ ରହିଛି।
ଏହି ଫଳାଫଳ ପରେ ଭାରତୀୟ ମହିଳା ଦଳର ସେମିଫାଇନାଲ ସ୍ୱପ୍ନ ଶେଷ ହୋଇଛି। ଏବେ ଦଳ କ୍ଲାସିଫିକେସନ୍ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
