Home Featuredପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ୩ କୃତୀ ସନ୍ତାନ! ସାହିତ୍ୟ ଓ ଲୋକକଳା କଳାକୁ ମିଳିଲା ଜାତୀୟ ସ୍ୱୀକୃତି

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ୩ କୃତୀ ସନ୍ତାନ! ସାହିତ୍ୟ ଓ ଲୋକକଳା କଳାକୁ ମିଳିଲା ଜାତୀୟ ସ୍ୱୀକୃତି

by Gulshan Pandey
0 comments

ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ସାହିତ୍ୟ, ଶିକ୍ଷା ଓ କଳା କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଓଡ଼ିଶାର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି।

ମୟୂରଭଞ୍ଜର ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ଚରଣ ହେମ୍ବ୍ରମଙ୍କୁ ସାନ୍ତାଳୀ ଭାଷା ଓ ସାହିତ୍ୟ କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଛି। ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ବିକାଶ ଓ ପ୍ରଚାର ପାଇଁ କାମ କରିଆସୁଛନ୍ତି। ଭାଷାର ବିକାଶ ପାଇଁ ସେ ଅନେକ ସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଆଦିବାସୀ ମହିଳାଙ୍କ ପାରମ୍ପରିକ ନୃତ୍ୟ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି।

ସେହିପରି ଗଞ୍ଜାମ ଜିଲ୍ଲାର ବରିଷ୍ଠ ଲୋକନାଟ୍ୟ ଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶାର ପାରମ୍ପରିକ ଲୋକକଳାକୁ ଜୀବନ୍ତ ରଖିବାରେ ତାଙ୍କ ଭୂମିକା ଅତ୍ୟନ୍ତ ଉଲ୍ଲେଖନୀୟ। ଛୋଟବେଳୁ ଲୋକନାଟ୍ୟ ପ୍ରତି ଆଗ୍ରହ ରଖିଥିବା ସୀମାଞ୍ଚଳ ପାତ୍ର ‘ପ୍ରହ୍ଲାଦ ନାଟକ’କୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ବଡ଼ ଭୂମିକା ନେଇଛନ୍ତି। ୩୫ଟି ରାଗ ଓ ପ୍ରାୟ ୩୦୦ଟି ସଙ୍ଗୀତ ରଚନାକୁ ନେଇ ଗଠିତ ଏହି ପ୍ରାଚୀନ ଲୋକନାଟ୍ୟ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତିର ବଡ଼ ଅଂଶ ମଧ୍ୟ ବିକ୍ରି କରିଥିବା କୁହାଯାଏ।

କଟକ ଜିଲ୍ଲାର ତିଗିରିଆ ଅଞ୍ଚଳର ବିଶିଷ୍ଟ ବନ୍ଧା ଶିଳ୍ପୀ ଶରତ କୁମାର ପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ସେ ଜଗନ୍ନାଥଙ୍କୁ ଉତ୍ସର୍ଗ କରାଯାଇଥିବା ‘ଗୀତଗୋବିନ୍ଦ’ର ଶ୍ଲୋକଗୁଡ଼ିକୁ ବନ୍ଧା ଶାଢ଼ୀରେ ଅତ୍ୟନ୍ତ ନିପୁଣତାର ସହ ବୁଣି ବିଶେଷ ପରିଚିତି ହାସଲ କରିଛନ୍ତି। ୫୨ ମିଟର ଲମ୍ବା ବନ୍ଧା ଶାଢ଼ୀ ଉପରେ ସମ୍ପୂର୍ଣ୍ଣ ଗୀତଗୋବିନ୍ଦ ଲେଖିବା ଏକ ବିରଳ ସଫଳତା ଥିଲା। ଏହି ବିଶାଳ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ପ୍ରାୟ ସାତ ବର୍ଷ ସମୟ ଲାଗିଥିଲା।

ଏହି ତିନିଜଣ କୃତୀ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ରାଜ୍ୟ ପାଇଁ ଏକ ଗର୍ବର ବିଷୟ। ସେମାନଙ୍କ ନିଷ୍ଠା, ପରିଶ୍ରମ ଓ ଆଜୀବନ ସେବା ଓଡ଼ିଶାର ସଂସ୍କୃତି, ସାହିତ୍ୟ ଓ କଳାକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି। ଏହି ସମ୍ମାନ ସେମାନଙ୍କ ଅବଦାନକୁ ଦେଶବ୍ୟାପୀ ସ୍ୱୀକୃତି ଦେଇଛି ଏବଂ ସମଗ୍ର ଓଡ଼ିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରିଛି।

You may also like

Leave a Comment