ଅମେଠୀ: ଉତ୍ତର ପ୍ରଦେଶର ଅମେଠୀରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣା ପରେ ପରିବାର ସହ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। ମଇଁଷିକୁ ପୋଖରୀରୁ ବାହାର କରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ନୁଆୱାଁ ଗାଁର ଗୀତା ବିଶ୍ୱକର୍ମା (୪୦)ଙ୍କ ବଡ଼ ପୁଅ ଦୀପକ ବିଶ୍ୱକର୍ମା (୧୯) ବୁଧବାର ସନ୍ଧ୍ୟାରେ ମଇଁଷି ଚରାଇବାକୁ ଯାଇଥିଲେ। ସେହି ସମୟରେ ମଇଁଷିଟି ଖେମା ପୋଖରୀ ଭିତରକୁ ପଶିଯାଇଥିଲା। ମଇଁଷିକୁ ବାହାର କରିବାକୁ ଦୀପକ ପୋଖରୀକୁ ଓହ୍ଲାଇଥିଲେ। କିନ୍ତୁ କିଛି ସମୟ ପରେ ସେ ଗଭୀର ପାଣିରେ ବୁଡ଼ିଯିବାକୁ ଲାଗିଥିଲେ।
ପୁଅକୁ ବୁଡ଼ିଯାଉଥିବା ଦେଖି ମା’ ଗୀତା ବିଶ୍ୱକର୍ମା ତାଙ୍କୁ ବଞ୍ଚାଇବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ। ହେଲେ ସେ ମଧ୍ୟ ଗଭୀର ପାଣିରେ ଫସିଯାଇଥିଲେ ଏବଂ ମା’–ପୁଅ ଉଭୟ ବୁଡ଼ିଯାଇଥିଲେ।
ଘଟଣା ସମୟରେ ପରିବାରର ସାନ ପୁଅ ଆଦର୍ଶ (୧୪) ମଧ୍ୟ ମା’ ଓ ଭାଇଙ୍କୁ ବଞ୍ଚାଇବାକୁ ପୋଖରୀକୁ ଓହ୍ଲାଇଥିଲେ। ତାଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିଲା। ତେବେ ଉପସ୍ଥିତ ଗ୍ରାମବାସୀମାନେ ସାହସିକତାର ସହ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀମାନେ ବହୁ କଷ୍ଟରେ ଗୀତା ଓ ଦୀପକଙ୍କୁ ପୋଖରୀରୁ ବାହାର କରି ଅମେଠୀ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ହେଲେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।
ଦୀପକ ପରିବାରର ବଡ଼ ପୁଅ ଥିଲେ। ତାଙ୍କ ସାନ ଭାଇ ପଙ୍କଜ ରୋଜଗାର ପାଇଁ ଅହମଦାବାଦରେ ରହୁଥିବା ବେଳେ ପରିବାରର ଜଣେ ବିବାହିତ ଭଉଣୀ ମଧ୍ୟ ଅଛନ୍ତି। ଗୋଟିଏ ଦିନରେ ମା’ ଓ ପୁଅଙ୍କ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି।
ଅମେଠୀ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସୌରଭ ସିଂହ କହିଛନ୍ତି, ମା’ ଓ ପୁଅଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା, କିନ୍ତୁ ସେମାନଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିଲା। ଉଭୟଙ୍କ ମୃତ୍ୟୁ ବୁଡ଼ିଯିବା କାରଣରୁ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।
ପୁଲିସ ମୃତଦେହ ଦୁଇଟିକୁ ଜବତ କରି ପଞ୍ଚନାମା କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ଆଇନଗତ ତଦନ୍ତ ଜାରି ରହିଛି। ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
