Home SPORTSହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିପାରେ ମୁମ୍ବାଇ ଇଣ୍ଡିଆନ୍ସ! ଯଶସ୍ୱୀ ଓ ତିଲକଙ୍କ ଉପରେ ନଜର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିପାରେ ମୁମ୍ବାଇ ଇଣ୍ଡିଆନ୍ସ! ଯଶସ୍ୱୀ ଓ ତିଲକଙ୍କ ଉପରେ ନଜର

by Gulshan Pandey
0 comments

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)କୁ ନେଇ ଏକ ବଡ଼ ଟ୍ରେଡ୍ ଡିଲ୍‌ର ଚର୍ଚ୍ଚା ଜୋର ଧରିଛି। ଖବର ଅନୁସାରେ, ପାଞ୍ଚ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ଛାଡ଼ିବା ବିଷୟରେ ବିଚାର କରୁଛି। ଏହା ସହିତ ଅନୁଭବୀ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ଆଇପିଏଲ୍ ୨୦୨୬ ଋତୁରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଆଶାନୁରୂପ ନଥିଲା। ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଥିବାବେଳେ ହାର୍ଦ୍ଦିକଙ୍କ ନେତୃତ୍ୱ ଓ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ପରିପ୍ରେକ୍ଷୀରେ ଦଳ ଭବିଷ୍ୟତ ଯୋଜନାକୁ ଆଖି ଆଗରେ ରଖି ନୂଆ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ଦୀର୍ଘମିଆଦି ଯୋଜନାରେ ଯୁବ ତାରକା ଯଶସ୍ୱୀ ଜୟସ୍ୱାଲ ଓ ତିଲକ ବର୍ମାଙ୍କୁ କେନ୍ଦ୍ରବିନ୍ଦୁରେ ରଖିଛି। ରୋହିତ ଶର୍ମାଙ୍କ ପରେ ଓପନିଂ ବିଭାଗକୁ ସୁଦୃଢ଼ କରିବା ପାଇଁ ଜୟସ୍ୱାଲଙ୍କୁ ଦଳରେ ସାମିଲ କରିବା ନେଇ ରାଜସ୍ଥାନ ରୟାଲ୍ସ ସହ ଆଲୋଚନା ଚାଲିଥିବା କୁହାଯାଉଛି।

ଅନ୍ୟପଟେ, ଭବିଷ୍ୟତର ଅଧିନାୟକ ଭାବେ ତିଲକ ବର୍ମାଙ୍କ ନାମ ସବୁଠାରୁ ଆଗରେ ରହିଛି। ନିକଟରେ ସେ ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କ ନେତୃତ୍ୱ ଦକ୍ଷତା ଉପରେ ଦଳର ଆସ୍ଥା ବଢ଼ିଛି। ଆସନ୍ତା ସପ୍ତାହରେ ମୁମ୍ବାଇ ମ୍ୟାନେଜମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ହେବାକୁ ଥିବାବେଳେ, ସେଠାରେ ଦଳର ଭବିଷ୍ୟତ ରୂପରେଖା ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ।

ଏହାରି ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍ ନେଇ ଚିନ୍ତା ବଢ଼ିଛି। ମାଂସପେଶୀ ଜନିତ ଆଘାତ କାରଣରୁ ସେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି। ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଫିଟ୍‌ନେସ୍ ପରୀକ୍ଷା ସମୟରେ ପୁଣିଥରେ ଆହତ ହୋଇଥିବାରୁ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରାୟ ତିନି ସପ୍ତାହ ସମୟ ଲାଗିପାରେ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଟ୍ରେଡ୍ କିମ୍ବା ଖେଳାଳିଙ୍କ ଭବିଷ୍ୟତ ସମ୍ପର୍କରେ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ତେଣୁ ଏହି ସବୁ ଖବରକୁ ବର୍ତ୍ତମାନ ସୁଦ୍ଧା କେବଳ ଚର୍ଚ୍ଚା ଓ ଅନୁମାନ ଭାବେ ଦେଖାଯାଉଛି।

You may also like

Leave a Comment