ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କୁ ଫୋନ୍ରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬:
୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣପଦକ ଜିତି ଦେଶକୁ ଗୌରବ ଆଣିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶାର ଦୁଇ ହକି ତାରକା ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ଭାରତୀୟ ପୁରୁଷ ହକି ଦଳରେ ସାମିଲ ଥିବା ଉଭୟ ଖେଳାଳିଙ୍କ ସହ କଥା ହୋଇ ସେମାନଙ୍କୁ ରାଜ୍ୟ ସରକାର ଓ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ।
ଅମିତ ରୋହିଦାସଙ୍କ ଦୃଢ଼ ଡିଫେନ୍ସିଭ୍ ଖେଳକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବାବେଳେ ଶିଳାନନ୍ଦ ଲାକ୍ରାଙ୍କ ଗୋଲ୍ ପାଇଁ ମଧ୍ୟ ଗର୍ବ ପ୍ରକାଶ କରିଥିଲେ। ଭାରତର ସ୍ୱର୍ଣ୍ଣ ବିଜୟରେ ଉଭୟ ଖେଳାଳିଙ୍କ ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅମିତ ଓ ଶିଳାନନ୍ଦ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ। ଦେଶର ଯୁବପିଢ଼ି ପାଇଁ ଉଭୟ ଖେଳାଳି ପ୍ରେରଣାର ଉତ୍ସ ହୋଇଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ଶୁଭକାମନା ସବୁବେଳେ ଉଭୟ ଖେଳାଳିଙ୍କ ସହ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ଫେରିବା ପରେ ସେମାନଙ୍କୁ ସ୍ୱାଗତ କରିବାକୁ ସମଗ୍ର ରାଜ୍ୟ ଅପେକ୍ଷା କରିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ସଫଳତା ପରେ ଆଗାମୀ ଦିନରେ ମଧ୍ୟ ଅମିତ ଓ ଶିଳାନନ୍ଦ ଆହୁରି ଅନେକ ବିଜୟ ହାସଲ କରି ଦେଶ ଓ ଓଡ଼ିଶା ପାଇଁ ଗୌରବ ଆଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।
