ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ୨୦୨୬ ପାଇଁ ଭାରତ ନିଜର ପ୍ରସ୍ତୁତି ଶେଷ କରିଛି। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ଯାଏଁ ଚାଲିବାକୁ ଥିବା ଏହି ବଡ଼ କ୍ରୀଡ଼ା ମହାକୁମ୍ଭ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ୭୫୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ଅନୁମୋଦନ କରିଛି। ଦଳରେ ୫୦୩ ଜଣ ଖେଳାଳିଙ୍କ ସହ ୨୪୬ ଜଣ ସପୋର୍ଟ ଷ୍ଟାଫ୍ ରହିଛନ୍ତି। ଭାରତ ଏସୀୟ କ୍ରୀଡ଼ାର ୪୩ଟି ଖେଳ ମଧ୍ୟରୁ ୩୬ଟିରେ ଅଂଶଗ୍ରହଣ କରିବ। ଭାରତୀୟ ଦଳରେ ୨୬୯ ଜଣ ପୁରୁଷ ଏବଂ ୨୩୪ ଜଣ ମହିଳା ଖେଳାଳି ସାମିଲ ଅଛନ୍ତି।
ଗତ ଏସୀୟ କ୍ରୀଡ଼ାରେ ଭାରତ ଚମତ୍କାର ପ୍ରଦର୍ଶନ କରି ୧୦୭ଟି ପଦକ ଜିତିଥିଲା। ଏଥର ସେହି ସଫଳତାକୁ ଟପି ନୂଆ ରେକର୍ଡ କରିବା ଲକ୍ଷ୍ୟରେ ଭାରତୀୟ ଖେଳାଳିମାନେ ମଇଦାନକୁ ଓହ୍ଲାଇବେ। ପ୍ରଥମ ପର୍ଯ୍ୟାୟରେ ୪୯୨ ଖେଳାଳିଙ୍କ ତାଲିକା ଅନୁମୋଦିତ ହୋଇଥିବାବେଳେ ପରେ ଆଉ ୧୧ ଜଣଙ୍କୁ ଦଳରେ ସାମିଲ କରାଯାଇଛି। ଆଥଲେଟିକ୍ସ, ସର୍ଫିଂ ଏବଂ ମିକ୍ସଡ୍ ମାର୍ଶାଲ ଆର୍ଟସ୍ର ଖେଳାଳିମାନେ ଏହି ଅତିରିକ୍ତ ତାଲିକାରେ ସ୍ଥାନ ପାଇଛନ୍ତି।
କ୍ରିକେଟ୍ରେ ଉଭୟ ପୁରୁଷ ଓ ମହିଳା ଦଳକୁ ମିଶାଇ ମୋଟ ୫୦ ଜଣ ସଦସ୍ୟ ରହିବେ। ଏଥିରେ ୨୦ ଜଣ ସପୋର୍ଟ ଷ୍ଟାଫ୍ ଅଛନ୍ତି। ପୁରୁଷ ଦଳର କୋଚ୍ ଭାବେ ଭିଭିଏସ୍ ଲକ୍ଷ୍ମଣ ଏବଂ ମହିଳା ଦଳ ପାଇଁ ଅମୋଲ ମଜୁମଦାର ଦାୟିତ୍ୱ ନେବେ। ସେହିପରି ହକିରେ ଭାରତର ୪୦ ଜଣ ଖେଳାଳିଙ୍କ ସମେତ ୫୪ ଜଣିଆ ଦଳ ଅଂଶ ନେବ। ହକିରୁ ପଦକ ହାସଲ କରିବା ଭାରତର ପ୍ରମୁଖ ଲକ୍ଷ୍ୟ ମଧ୍ୟରେ ରହିଛି। ତେବେ ଏଥର ଭାରତୀୟ ଦଳରେ ଷ୍ଟାର ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା ନଜର ଆସିବେ ନାହିଁ। ଆଘାତ ସମସ୍ୟା କାରଣରୁ ସେ ଏହି ପ୍ରତିଯୋଗିତାରୁ ଦୂରେଇ ରହିବେ। ନୀରଜ ୨୦୧୮ ଜାକର୍ତ୍ତା ଏବଂ ୨୦୨୩ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଭାରତୀୟ ଅଲିମ୍ପିକ୍ ସଂଘ ପକ୍ଷରୁ ୧୯ ଜଣ ଖେଳାଳି ଜାପାନ ଯିବେ। ଏହାସହ ୱେଟଲିଫ୍ଟିଂ ଫେଡେରେସନର ମୁଖ୍ୟ ସହଦେବ ଯାଦବଙ୍କୁ ଭାରତୀୟ ଦଳର ଶେଫ୍ ଡି ମିସନ୍ ଭାବେ ଦାୟିତ୍ୱ ଦିଆଯାଇଛି। ଏବେ ଆଇଚି-ନାଗୋୟାରେ ଭାରତୀୟ ଖେଳାଳିଙ୍କ ଠାରୁ ପଦକ ବର୍ଷାର ଆଶା ରହିଛି। ଗତ ସଫଳତାକୁ ଆଉ ଏକ ପାଦ ଆଗକୁ ନେଇ ଭାରତ ଏଥର ଏସୀୟ କ୍ରୀଡ଼ାରେ ନୂଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି।
