ଭୁବନେଶ୍ୱର: ଓଡ଼ିଶାର ଶକ୍ତି ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କଳାହାଣ୍ଡି ଜିଲ୍ଲାର ରାଣୀବାହାଲଠାରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରେ ୬୦୦ ମେଗାୱାଟ୍ କ୍ଷମତାର ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ ନିର୍ମାଣ ହେବ। ରାଜ୍ୟ କ୍ୟାବିନେଟ୍ ଏହି ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି।
ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (OHPC) ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ନେଇଛି। ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍ ଇପିସି କଣ୍ଟ୍ରାକ୍ଟ ଜରିଆରେ ଏହାର କାର୍ଯ୍ୟ ସମ୍ପାଦନ କରିବ। ଏଥିପାଇଁ କମ୍ପାନୀ ପକ୍ଷରୁ ଦାଖଲ ହୋଇଥିବା ୩,୩୭୨.୮୮ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି ରାଶିରେ ଜିଏସ୍ଟି ସାମିଲ ନାହିଁ।
କେବଳ ନିର୍ମାଣ କାର୍ଯ୍ୟ ନୁହେଁ, ପ୍ରକଳ୍ପ ସହ ଜଡ଼ିତ ପରାମର୍ଶ ଶୁଳ୍କ, ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମତି ଏବଂ ନିର୍ମାଣ ସମୟରେ ଲାଗୁଥିବା ସୁଧ ଆଦି ଖର୍ଚ୍ଚକୁ ମିଶାଇ ମୋଟ ୪,୭୦୮.୬୪ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ସମ୍ପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
ପ୍ରକଳ୍ପର ଅର୍ଥ ଯୋଗାଣ ପାଇଁ ୮୦:୨୦ ଋଣ ଓ ଇକ୍ୱିଟି ଅନୁପାତ ନିର୍ଦ୍ଧାରଣ କରାଯାଇଛି। ଅର୍ଥାତ୍ ମୋଟ ଖର୍ଚ୍ଚର ୨୦ ପ୍ରତିଶତ ଅଂଶଧନ OHPC ନିଜ ଆଭ୍ୟନ୍ତରୀଣ ପାଣ୍ଠିରୁ ବିଭିନ୍ନ ପର୍ଯ୍ୟାୟରେ ନିବେଶ କରିବ। ବାକି ୮୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ସ୍ୱଳ୍ପ ସୁଧ ହାରରେ ଋଣ ଭାବେ ଯୋଗାଇଦେବେ। ଏହି ସରକାରୀ ଋଣର ବାର୍ଷିକ ସୁଧ ହାର ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ରେଟ୍ ସହ ସମାନ ରହିବ।
ସହର ଯୋଜନା ସେବା ନିଯୁକ୍ତି ନିୟମରେ ପରିବର୍ତ୍ତନ
ଅନ୍ୟପଟେ, ରାଜ୍ୟର ସହର ଯୋଜନା ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓଡ଼ିଶା ଲୋକସେବା ଆୟୋଗ (OPSC) ମାଧ୍ୟମରେ ୧୯ ଜଣ ସହକାରୀ ସହର ଯୋଜନା ଅଧିକାରୀଙ୍କୁ ସିଧାସଳଖ ନିଯୁକ୍ତି ଦେବା ପ୍ରକ୍ରିୟା ସହଜ କରିବା ଲକ୍ଷ୍ୟରେ ନିୟମାବଳୀରେ ସଂଶୋଧନ କରାଯାଇଛି।
ଏଥିପାଇଁ ୨୦୧୮ ମସିହାର ‘ଓଡ଼ିଶା ସହର ଯୋଜନା ସେବା-ଗ୍ରୁପ୍ ଏ’ (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମରେ ପରିବର୍ତ୍ତନ ଅଣାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ, ଏହି ପଦବି ପାଇଁ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୪୨ ବର୍ଷ ରହିବ। ନିଯୁକ୍ତି ବର୍ଷର ଜାନୁଆରି ୧ ତାରିଖକୁ ଆଧାର କରି ବୟସ ଗଣନା କରାଯିବ।
ଶିକ୍ଷାଗତ ଯୋଗ୍ୟତା କ୍ଷେତ୍ରରେ ମଧ୍ୟ ସ୍ପଷ୍ଟ ବ୍ୟବସ୍ଥା ରହିଛି। ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ପ୍ଲାନିଂ ବିଷୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଏହାବ୍ୟତୀତ ଇନଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ, ଇଣ୍ଡିଆର ଆସୋସିଏଟ୍ ସଦସ୍ୟ ଥିବା ପ୍ରାର୍ଥୀଙ୍କୁ ମଧ୍ୟ ଯୋଗ୍ୟତା ମାନଦଣ୍ଡରେ ସାମିଲ କରାଯାଇଛି।
ବିଚାରବିଭାଗୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ବ୍ୟବସ୍ଥାରେ ସଂଶୋଧନ
ଏହାସହ ନୂତନ ପ୍ରାର୍ଥୀଙ୍କୁ ଓଡ଼ିଶା ନ୍ୟାୟିକ ସେବାରେ ପ୍ରବେଶ ପାଇଁ ଅଧିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ବିଚାରବିଭାଗୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ଓ କାର୍ଯ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।
ନୂତନ ବ୍ୟବସ୍ଥା ଅନୁସାରେ, ପ୍ରଶିକ୍ଷଣରତ ବିଚାରବିଭାଗୀୟ ଅଧିକାରୀମାନେ ପ୍ରଥମେ ଏକ ବର୍ଷର ପ୍ରତିଷ୍ଠାନଗତ ପ୍ରଶିକ୍ଷଣ ନେବେ। ଏହା ପରେ ଆଉ ଏକ ବର୍ଷ ପାଇଁ ସୁବ୍ୟବସ୍ଥିତ ଆଇନ ସହାୟକ କାର୍ଯ୍ୟରେ ନିୟୋଜିତ ହେବେ। ଏହି ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ୨୦୦୭ ମସିହାର ଓଡ଼ିଶା ଉଚ୍ଚତର ନ୍ୟାୟିକ ସେବା ଓ ଓଡ଼ିଶା ନ୍ୟାୟିକ ସେବା ନିୟମାବଳୀରେ ସଂଶୋଧନ କରାଯାଇଛି। ଶକ୍ତି ଭିତ୍ତିଭୂମିର ବିକାଶ, ସହର ଯୋଜନା ସେବାରେ ନୂତନ ନିଯୁକ୍ତି ଏବଂ ନ୍ୟାୟିକ ସେବାରେ ପ୍ରଶିକ୍ଷଣ ବ୍ୟବସ୍ଥାର ସୁଧାର—ଏହି ସବୁ ପ୍ରସ୍ତାବକୁ ଅନୁମୋଦନ ଦେଇ ରାଜ୍ୟ କ୍ୟାବିନେଟ୍ ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ଓ ଭିତ୍ତିଭୂମିଗତ ପଦକ୍ଷେପ ନେଇଛି।
