ଟ୍ରାଫିକ୍ ନିୟମକୁ ମାନୁନାହାନ୍ତି ଅମାନିଆ ଗାଡ଼ି ଚାଳକ। ନିୟମ ଉଲ୍ଲଂଘନର ପରିଣାମ ହେଉଛି ଭୟଙ୍କର। ଦିନକୁ ଦିନ ବଢ଼ୁଛି ସଡ଼କ ଦୁର୍ଘଟଣା, ଆଉ ଅକାଳରେ ଝଡ଼ିପଡ଼ୁଛି ଅନେକ ମୂଲ୍ୟବାନ ଜୀବନ। ଗତ ତିନି ବର୍ଷର ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ତଥ୍ୟ ଏବେ ଚିନ୍ତା ବଢ଼ାଇଛି।
୨୦୨୩ରୁ ୨୦୨୫ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ କେବଳ ଭାରୀଯାନ ଦୁର୍ଘଟଣାରେ ୨୧୬୬ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୩ରେ ୫୭୪୯, ୨୦୨୪ରେ ୬୧୪୨ ଏବଂ ୨୦୨୫ରେ ୬୪୮୩ ଜଣଙ୍କ ଜୀବନ ନେଇଛି ସଡ଼କ ଦୁର୍ଘଟଣା। ସେହିପରି ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୪୬୩୫ ଜଣଙ୍କ ମୃତ୍ୟୁ ହୋଇଛି। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଅନ୍ୟପଟେ ଅମାନିଆ ଗାଡ଼ି ଚାଳକଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମାତ୍ର ୬ ମାସରେ ୨୬୪ କୋଟି ୬୬ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି।
ବିନା ହେଲମେଟ୍ ଓ ସିଟ୍ବେଲ୍ଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରେଡ୍ ଲାଇଟ୍ ଜମ୍ପ୍, ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର, ବିନା ଲାଇସେନ୍ସ ଓ ଇନ୍ସୁରାନ୍ସରେ ଗାଡ଼ି ଚଳାଇବା ସହ ଓଭରଲୋଡିଂ ଭଳି ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଗଣିଛନ୍ତି ଚାଳକ।
୨୦୨୪-୨୫ ଆର୍ଥିକ ବର୍ଷରେ ୧୩୧ କୋଟି ୫୫ ଲକ୍ଷ ଟଙ୍କା ଏବଂ ୨୦୨୫-୨୬ରେ ୧୩୨ କୋଟି ୪୩ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା।
ତେବେ ଆଦାୟ ହେଉଥିବା ଜରିମାନା ଅର୍ଥର ଏକ ଅଂଶ ସଡ଼କ ସୁରକ୍ଷା ପାଇଁ ବିନିଯୋଗ କରୁଛନ୍ତି ରାଜ୍ୟ ସରକାର। ଦୁର୍ଘଟଣାପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ର ସଂସ୍କାର ଏବଂ ଟ୍ରାଫିକ୍ ଭିତ୍ତିଭୂମିର ଉନ୍ନତି ପାଇଁ ୬୬ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ANPR କ୍ୟାମେରା ଓ ସ୍ପିଡ୍ ସେନ୍ସର କିଣିବା ପାଇଁ ୧୮ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ହୋଇଛି।
ହେଲେ ଏତେ କଟକଣା ଓ ଜରିମାନା ସତ୍ତ୍ୱେ କାହିଁକି କମୁନି ସଡ଼କ ଦୁର୍ଘଟଣା? ଅମାନିଆ ଚାଳକ କେବେ ସଚେତନ ହେବେ? ତାହା ଏବେ ବଡ଼ ପ୍ରଶ୍ନ।
