Home » Blog » ଗଞ୍ଜାମ ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ

ଗଞ୍ଜାମ ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ

by Sunita Jena
0 comments

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକାଶ କରିଛନ୍ତି। ହିଞ୍ଜିଳି ଓ ଶେରଗଡ଼ ସମେତ ବିଭିନ୍ନ ପ୍ରଭାବିତ ଅଞ୍ଚଳର ସ୍ଥିତି ସମ୍ପର୍କରେ ସେ ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କ ଉଦ୍ଧାର ଏବଂ ସେମାନଙ୍କ ପାଇଁ ରିଲିଫ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ନବୀନ ପଟ୍ଟନାୟକଙ୍କୁ ସୂଚନା ଦେଇଥିଲେ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଅନେକ ଲୋକ ଅସୁବିଧାରେ ପଡ଼ିଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ପରିବାରଙ୍କ ପାଖରେ ତୁରନ୍ତ ଆବଶ୍ୟକୀୟ ସହାୟତା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି।

ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ଗଞ୍ଜାମ ପଠାଯାଇଛି। ଏହି ଦଳରେ ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡାଙ୍କ ସମେତ ଦଳର ଅନ୍ୟାନ୍ୟ ନେତାମାନେ ସାମିଲ ଅଛନ୍ତି। ପ୍ରତିନିଧି ଦଳ ଦୁଇ ଦିନ ଧରି ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କରିବା ସହ କ୍ଷୟକ୍ଷତି ଓ ରିଲିଫ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବେ।

ଏହାପରେ ପ୍ରତିନିଧି ଦଳ ନିଜର ରିପୋର୍ଟ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରିବ। ଏହି କଷ୍ଟ ସମୟରେ ବନ୍ୟା ବିପନ୍ନ ଲୋକଙ୍କ ପାଖରେ ରହି ସେବା ଓ ସହଯୋଗ କରିବାକୁ ନବୀନ ପଟ୍ଟନାୟକ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଓ ଗଜପତିରେ ବାତ୍ୟା ଏବଂ ବନ୍ୟା ପରିଚାଳନାକୁ ନେଇ ବିଜେଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଦଳର ଅଭିଯୋଗ ଅନୁସାରେ, ଆଗୁଆ ପାଣିପାଗ ସତର୍କ ସୂଚନା ଥିଲେ ମଧ୍ୟ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତି ହୋଇନଥିଲା।

ବିଜେଡି ପକ୍ଷରୁ ଜଳଭଣ୍ଡାର ପରିଚାଳନା, ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଦୁର୍ବଳ ନଦୀବନ୍ଧର ମରାମତି ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି କୁହାଯାଇଛି। ଦଳ ଅଭିଯୋଗ କରିଛି ଯେ, ଏବେ ମଧ୍ୟ କିଛି ବିପନ୍ନ ପରିବାରଙ୍କ ପାଖରେ ଆବଶ୍ୟକ ରିଲିଫ ପହଞ୍ଚିପାରିନାହିଁ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଭାବିତ ଲୋକଙ୍କ ନିକଟରେ ସମୟମତେ ପହଞ୍ଚାଇବାକୁ ବିଜେଡି ଦାବି କରିଛି। ଗଞ୍ଜାମ ଓ ଗଜପତିବାସୀଙ୍କ ସୁରକ୍ଷା, ଜୀବିକା ଓ ଥଇଥାନକୁ ପ୍ରାଥମିକତା ଦେବାକୁ ମଧ୍ୟ ଦଳ ଆହ୍ୱାନ ଜଣାଇଛି।

You may also like

Leave a Comment