ରାଜ୍ୟରେ ଜରାଜୀର୍ଣ୍ଣ ଓ ପୁରୁଣା କୋଠାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ। ଦୀର୍ଘଦିନ ଧରି ଅବ୍ୟବହୃତ ରହିଥିବା, ଦୁର୍ବଳ ହୋଇପଡ଼ିଥିବା ଏବଂ ବିପଦପୂର୍ଣ୍ଣ ସ୍ଥିତିରେ ଥିବା ପୁରୁଣା କୋଠାଗୁଡ଼ିକ ଉପରେ ଏବେ ନଜର ପକାଇଛି ପ୍ରଶାସନ। ସମସ୍ତ ପୁରୁଣା ସରକାରୀ ଓ ବେସରକାରୀ କୋଠାର ସ୍ଥିତି ଯାଞ୍ଚ କରାଯାଇ ଆବଶ୍ୟକ ସ୍ଥଳେ ଭାଙ୍ଗିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପୁରୁଣା କୋଠା ଦୁର୍ବଳ ହୋଇପଡ଼ିଲେ ଏହା ଯେକୌଣସି ସମୟରେ ଭୁଶୁଡ଼ିବାର ଆଶଙ୍କା ରହିଥାଏ। ଏଭଳି ଘଟଣାରେ ଧନଜୀବନ ନଷ୍ଟ ହେବା ସହ ସାଧାରଣ ଲୋକଙ୍କ ସୁରକ୍ଷା ମଧ୍ୟ ବିପଦରେ ପଡ଼ିପାରେ। ତେଣୁ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଉଛି।
ସରକାରୀ କାର୍ଯ୍ୟାଳୟ, ପୁରୁଣା ସରକାରୀ ଆବାସ, ବିଭିନ୍ନ ବିଭାଗର ଅବ୍ୟବହୃତ କୋଠା ସମେତ ଅନ୍ୟାନ୍ୟ ଜରାଜୀର୍ଣ୍ଣ ନିର୍ମାଣର ସୁରକ୍ଷା ଯାଞ୍ଚ କରାଯିବ। କୋଠାର ନିର୍ମାଣ ଅବସ୍ଥା, ବୟସ, ଭିତ୍ତିର ସ୍ଥିତି, କାନ୍ଥ ଓ ଛାତର ଦୁର୍ବଳତା ଆଦିକୁ ଯାଞ୍ଚ କରାଯାଇ ତାହା ରହିବା ଯୋଗ୍ୟ କି ନୁହେଁ, ସେନେଇ ନିଷ୍ପତ୍ତି ନିଆଯିବ। ଯେଉଁ କୋଠାଗୁଡ଼ିକ ମରାମତି ଦ୍ୱାରା ସୁରକ୍ଷିତ କରାଯାଇପାରିବ, ସେଗୁଡ଼ିକର ଆବଶ୍ୟକ ମରାମତି କରାଯିବ। ଅନ୍ୟପକ୍ଷରେ ଯେଉଁ କୋଠା ଅତ୍ୟନ୍ତ ଦୁର୍ବଳ ଏବଂ ମରାମତି କରିବା ସମ୍ଭବ ନୁହେଁ, ସେଗୁଡ଼ିକୁ ନିୟମ ଅନୁଯାୟୀ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯିବ। ଏହାଦ୍ୱାରା ଜରାଜୀର୍ଣ୍ଣ ନିର୍ମାଣକୁ ନେଇ ରହୁଥିବା ବିପଦକୁ କମାଇବା ସହ ନୂଆ ଓ ସୁରକ୍ଷିତ ଭିତ୍ତିଭୂମି ନିର୍ମାଣରେ ମଧ୍ୟ ବାଟ ଖୋଲିବ।
ବେସରକାରୀ କୋଠା କ୍ଷେତ୍ରରେ ମଧ୍ୟ ନିର୍ମାଣର ସୁରକ୍ଷା ଓ ଆଇନଗତ ନିୟମ ପାଳନକୁ ଗୁରୁତ୍ୱ ଦିଆଯିବ। ବିପଦପୂର୍ଣ୍ଣ କୋଠା ଚିହ୍ନଟ ହେଲେ ଲୋକଙ୍କୁ ସେଠାରୁ ଦୂରେଇ ରଖିବା ଏବଂ ଆବଶ୍ୟକ ପଦକ୍ଷେପ ନେବା ଉପରେ ମଧ୍ୟ ପ୍ରଶାସନ ନଜର ରଖିବ। ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା। ପୁରୁଣା ଓ ବିପଦପୂର୍ଣ୍ଣ କୋଠାକୁ ଚିହ୍ନଟ କରି ସମୟ ପୂର୍ବରୁ ପଦକ୍ଷେପ ନିଆଗଲେ ବଡ଼ ଅଘଟଣକୁ ଏଡ଼ାଇ ହେବ। ତେଣୁ ରାଜ୍ୟରେ ପୁରୁଣା କୋଠାଗୁଡ଼ିକର ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ଭଙ୍ଗା ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯିବାକୁ ଯାଉଛି।
