ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି (ଶରଦ ପାୱାର ଗୋଷ୍ଠୀ)ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ନାନା ପଟୋଲେ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଭଳି କୌଣସି ଆଲୋଚନା ହେଉନାହିଁ। ଏହା କେବଳ ଏକ ଗୁଜବ ଏବଂ ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି କଥା ପ୍ରଚାର କରାଯାଉଛି।
ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ପୃଥ୍ୱୀରାଜ ଚଭାଣ କହିଛନ୍ତି ଯେ, ସେ ଏହି ଖବର କେବଳ ଖବରକାଗଜରେ ପଢ଼ିଛନ୍ତି। ବ୍ୟକ୍ତିଗତ ଭାବେ ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ।
ତେବେ ପୃଥ୍ୱୀରାଜ ଚଭାଣ କହିଛନ୍ତି ଯେ, ଦେଶରେ ଆଗାମୀ ଦିନରେ ଦୁଇଟି ପ୍ରମୁଖ ଚିନ୍ତାଧାରା ରହିବ। ଗୋଟିଏ ହେଉଛି ହିନ୍ଦୁ ରାଷ୍ଟ୍ରବାଦ ଓ ଅନ୍ୟଟି ହେଉଛି ଫୁଲେ, ସାହୁ, ଆମ୍ବେଦକର, ଗାନ୍ଧୀ ଓ ନେହେରୁଙ୍କ ସମତାବାଦୀ ଚିନ୍ତାଧାରା। ତାଙ୍କ କହିବା ଅନୁସାରେ, ଜାତୀୟ ସ୍ତରରେ ଛୋଟ ଦଳଗୁଡ଼ିକ ପାଇଁ ସ୍ଥାନ କମିଯିବ ଏବଂ ଯେଉଁ ଦଳଗୁଡ଼ିକ ନିଜ ନାମରୁ ‘କଂଗ୍ରେସ’ ଶବ୍ଦ ହଟାଇ ନାହାନ୍ତି, ସେମାନେ ପୁଣି କଂଗ୍ରେସକୁ ଫେରିବା କଥା ଭାବିବା ଉଚିତ।
ଏପଟେ ଶରଦ ପାୱାର ଗୋଷ୍ଠୀର ବିଧାୟକ ରୋହିତ ପାୱାର ମଧ୍ୟ ଦଳ ମିଶ୍ରଣ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏହି ବିଷୟରେ ଦୁଇ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। କେତେକ ଲୋକ ଜାଣିଶୁଣି ଏଭଳି ଖବର ପ୍ରଚାର କରୁଛନ୍ତି।
ତେବେ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ବିଜୟ ୱଡେଟ୍ଟିୱାର କହିଥିଲେ ଯେ, କଂଗ୍ରେସ ହାଇକମାଣ୍ଡ ସହ ଏନସିପି (ଶରଦ ପାୱାର ଗୋଷ୍ଠୀ)ର ମିଶ୍ରଣକୁ ନେଇ ଆଲୋଚନା ଚାଲିଛି। ତାଙ୍କ ଏହି ବୟାନ ପରେ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଥିଲା। କିନ୍ତୁ ବର୍ତ୍ତମାନ କଂଗ୍ରେସ ଓ ଏନସିପି (ଶରଦ ପାୱାର ଗୋଷ୍ଠୀ)ର ଅନ୍ୟ ନେତାମାନେ ଏଭଳି କୌଣସି ଆଲୋଚନା ଚାଲିନଥିବା ସ୍ପଷ୍ଟ କରିଛନ୍ତି।
